Unknown

 

 

 

 

 

 

 

 

 

 

କବିତାମାଳା

ସ୍ୱଭାବକବି ଗଙ୍ଗାଧର ମେହେର

 

ଗୋ-ବିଳାପ

କହନ୍ତି ଗୋମାତା ଶୋକ ଗଦ୍‌ଗଦ-ବଚନେ,

ବିକଳେ ହୃଦୟେ ଅଶ୍ରୁପୂରିତ ଲୋଚନେ ।

କି ହିନ୍ଦୁ ମୁସଲମାନ କିବା ଖ୍ରୀଷ୍ଟିଆନ,

ମାନବ ମାତ୍ରକେ ମୋର ଦୃଷ୍ଟିରେ ସମାନ ।

ବ୍ରିଟିଶ ନରେଶ ଆଉ ଭାରତୀୟ ରାଜା,

ଭୂସ୍ୱାମିଗଣ ସହିତ ଯେତେକ ପରଜା,

ଭାରତନିବାସୀ ଅନ୍ୟ ଦେଶବାସିଗଣ,

ସମସ୍ତଙ୍କଠାରେ ମୋର ଏହି ନିବେଦନ ।

ସମସ୍ତେ ସର୍ବଦା ମୋତେ ଚିହ୍ନିଛ ସର୍ବଥା,

ଚିହ୍ନାଇ ହେବାକୁ ମୋର ନାହିଁ ଆଉ କଥା ।

ଯାହା ଯାହା ମୋହୋଠାରୁ ପାଅ ଉପକାର,

ସେସବୁ ବର୍ଣ୍ଣିବା ମଧ୍ୟ ନାହିଁ ଦରକାର ।

ଜାଣୁଛ ତ ଦୁଇ ବେଳ ଦୁହିଁ ମୋର ଦୁଧ,

ଘିଅ କର ଛେନା କର ଖାଇ ହୁଅ ବୋଧ ।

ତହିଁରେ ବଢ଼ାଅ ନିଜ ଶାରିରୀକ ବଳ,

ବାଛୁରୀକୁ କର ଭୂମି ଚଷିବାରେ ହଳ ।

 

ଏକା ଭୂମି ଚଷିକରି ନାହିଁ ତା’ ନିସ୍ତାର,

ପାଣିଛିଞ୍ଚା ଗାଡ଼ିଟଣା କାର୍ଯ୍ୟ ହିଁ ତାହାର ।

ଲଦାଲଦି ଦ୍ରବ୍ୟ ନେଇ ବୁଲାଇ ବୁଲାଇ,

ବାଲିମୟ ପଥେ ଗିରିପଥରେ ଚଳାଇ,

 

ବାଣିଜ୍ୟ ବ୍ୟାପାର କରି ଅର୍ଜ୍ଜୁଅଛ ଧନ,

ବନାଉଛ ଉଚ୍ଚ ଉଚ୍ଚ ତ୍ରିତଳ ଭବନ ।

ଯେତେବେଳେ ବତ୍ସା ମୋର ନଦୀବାଲିଗାଡ଼ି

ଟାଣୁଥାଏ, ପୃଷ୍ଠେ ତାର ବର୍ଷୁଥାଏ ବାଡ଼ି ।

 

ତୁମ୍ଭ ଧନରକ୍ଷା ଲାଗି ସେ ପ୍ରହାର-ପ୍ରାସ,

ଦୂର କରେ ନିଜେ କରି ଶୁଷ୍କ-ତୃଣଗ୍ରାସ ।

ସେ ତୃଣରୁ ଯେ ଗୋବର ହୁଅଇ ବାହାର,

ଶୁଖାଇ ତା’ ଜାଳରୂପେ କର ବ୍ୟବହାର ।

 

ଜଳିକରି ଅବଶେଷେ ହୁଏ ଯାହା କ୍ଷାର,

ଖତରୂପେ କ୍ଷେତେ ପଡ଼ି କରେ ଉପକାର ।

ମୋହର ଗୋବର ଯାଇ ପଡ଼େ ଯେଉଁ ସ୍ଥଳ

ଚତୁର୍ଗୁଣେ ସହି ସ୍ଥାନ ଉପୁଯାଏ ଫଳ ।

 

ବିଚାର ମାନବଗଣ, ମୋହର ସନ୍ତତି

କେତେ ପରକାରେ ତୁମ୍ଭ ହିତ କରୁଛନ୍ତି ।

ଦେଖ ସର୍ବପରକାରେ ମୋହର କୁମର,

ପୋଷକ ଅଟନ୍ତି ତୁମ୍ଭ ଦେହ ଜୀବନର 

 

କରୁନାହିଁ ବାବା, ଏହା ମୁଁ ନିଜ ବଡ଼ାଇ,

ଉପହାସେ ମୋ’ କଥାକୁ ନ ଦିଅ ଉଡ଼ାଇ ।

ଅବଶ୍ୟ ନିଜର ପରଶଂସା ନୁହେ ଭଲ,

କିନ୍ତୁ ଭଲ ଥିଲେ ପର ଉପକାର ଛଳ ।

 

ଏଣୁ ସୁତଗଣ, ତୁମ୍ଭ ମଙ୍ଗଳ ବିଚାରି,

ବୁଝାଇ କହୁଛିଁ ଏକା ଏ କଥା ଉଚ୍ଚାରି ।

ମାତୃଗର୍ଭୁଁ ହେଲାମାତ୍ରେ ଭୂମିରେ ପତନ,

ଆଦ୍ୟେ ମୋର କ୍ଷୀର ପିଇ ରଖିୁଛ ଜୀବନ ।

 

ପୁଷ୍ଟ ହୁଅ ପୁଣି କରି ମୋର କ୍ଷୀରପାନ,

ଧର୍ମତଃ ମୁଁ ଏଣୁ ତୁମ୍ଭ ମାତାର ସମାନ ।

ତେଣୁ ହୃଦେ ସ୍ୱାଭାବିକ ପୁତ୍ରସ୍ନେହ ବହି,

ରହି ନ ପାରିଲି ହିତବଚନ ନ କହି ।

 

ପୁତ୍ରସ୍ନେହରସେ ପୂର୍ଣ୍ଣ ପଶୁର ହୃଦୟ,

ନ ହେବ କି ତୁମ୍ଭ ମାତୃସ୍ନେହର ଉଦୟ ।

ଆଶା ଅଛି ସ୍ୱଚ୍ଛ ନର-ହୃଦୟ-ଦର୍ପଣ,

ମୋ’ ଦୁଃଖର ପ୍ରତିବିମ୍ବ କରିବ ଗ୍ରହଣ ।

 

ଶୁଣିବ ଗୁହାରି ମୋର ହୋଇ ଅବହିତ,

ପ୍ରବର୍ତ୍ତିବ ତହିଁ ଯାହା କରିବା ବିହିତ ।

ଭାରତବରଷେ ହେଲା ଦୁର୍ଭିକ୍ଷର ବାସ,

ମହାମାରୀ ବିସୂଚିକା କଲେ ସର୍ବଗ୍ରାସ ।

 

ଜ୍ୱରର ପ୍ରଭାବ ମଧ୍ୟ ଋଣା ନୁହେଁ କିଛି,

ଧାତୁଗତ ରୋଗ ପ୍ରତି ଗ୍ରାମରେ ବ୍ୟାପିଛି ।

ଘିଅ ମୃଗ ଚାଉଳ ଯା’ ନିତ୍ୟ ବ୍ୟବହାର,

ଦଶ ବାର ଗୁଣ ମୂଲ୍ୟ ବଢ଼ିଛି ତାହାର ।

 

ତଥାପି କିଣିଲେ ଦ୍ରବ୍ୟ ମିଳୁନାହିଁ ଭଲ,

ଘୃତରେ ମିଶିଛି ଚର୍ବି, ଗୋରସରେ ଜଳ ।

ବଳଦର ମୂଲ୍ୟ ବଢ଼ିଅଛି ସେହିପରି,

ତା’ ଅଭାବେ ଚଷା ଚାଷ ନ ପାରଇ କରି ।

 

ମହରମ ପର୍ବେ ଶାନ୍ତିଭଙ୍ଗ ରକ୍ତପାତ,

ହିନ୍ଦୁ ପଠାଣଙ୍କ ମଧ୍ୟେ ବିଦ୍ରୋହ ସଂଜାତ ।

ଏ ସବୁର ହେତୁ କହିପାର ବାପଧନ,

ମୁଁ କହେଁ କେବଳ ହେତୁ ଗୋଧନ-ନିଧନ ।

 

ବାବୁମାନେ ପଢ଼ିଅଛ ବହୁତ କିତାବ,

କରିପାରେ ସମୁଦ୍ରର ତରଙ୍ଗ ହିସାବ ।

ଭାରତବର୍ଷରେ କେତେ ଗୋରୁର ମରଣ

ହେଉଅଛି, କିପାଇଁ ତା’ ନ କର ଗଣନ ।

 

ଖାଦ୍ୟଦ୍ରବ୍ୟଠାରୁ ଗୋରୁ ଚର୍ମ ଶତଗୁଣ

ଦେଶାନ୍ତର ନେଉଛନ୍ତି ବିଦେଶୀ ନିପୁଣ ।

ଗଣି ଦେଖ ପ୍ରତିଦିନ ସତୁରି ହଜାର,

ଭାରତରେ ହେଉଅଛି ଗୋରୁର ସଂହାର ।

 

ସହସ୍ର ସହସ୍ର ଗୋରୁ ନ ପାଇ ଯତନ,

ଏଣେତେଣେ କରୁଛନ୍ତି ପ୍ରାଣ ବିସର୍ଜ୍ଜନ ।

ଚାରଣଭୂମିର ବିନା ହଜାର ହଜାର,

ନିତି ଚଳିଯାଉଛନ୍ତି ଶମନ ବଜାର ।

 

ରୋଗ ଉପଦ୍ରବେ ପୁଣି ହଜାର ହଜାର,

ଆଶ୍ରା ନେଉଚନ୍ତି ଯାଇ ସେ ଯମରାଜାର ।

ଚର୍ମ୍ମବ୍ୟବସାୟୀ ମାଂସ ବ୍ୟବସାୟୀଗଣ,

ହଜାର ହଜାର ଗୋରୁ କରନ୍ତି ହନନ ।

 

ଜାଣୁଛ ତ ପଠାଣଙ୍କ କୁର୍ବାଣିର ହାଲ,

ସହସ୍ର ସହସ୍ର ଗୋରୁ ତହିଁରେ ହଲାଲ ।

ଲୋଭୀ ଲୋକମାନେ ଏଣେକରି ଗୋଦୋହନ,

ଶୋଷି ନେଇଯାଉଛନ୍ତି ବାଛୁରୀ-ଜୀବନ ।

 

ପେଟ କଲବଲେ ତହିଁ ହଜାର ହଜାର,

ଗୁହାରି କରନ୍ତି ନିତି ଯାଇ ଯମଦ୍ୱାର ।

ଯମରାଜା ଗୋରୁଙ୍କର ଗହଳେ ଅସ୍ଥିର,

ଜ୍ଞାନନେତ୍ର ଫେଡ଼ି ଦେଖିପାର ଜ୍ଞାନୀ ଧୀର !

 

ତହିଁ ଗୋରୁ ରଖିବାକୁ ଲୋକ ଦରକାର,

ତେଣୁ ବହୁ ଦୂତ ପେଷି ଯମ ସରକାର,

ଭାରତବାସୀଙ୍କୁ ନେଉଥିବା ପରି ଦିଶେ,

ପ୍ଳେଗ ଓଲଉଠା ରୂପେ ଆସିଛନ୍ତି କି ସେ !

 

ଦିନୁ ଦିନ ବଢ଼ୁଅଛି ମାନବର ବଂଶ,

କିନ୍ତୁ ଗୋରୁବଂଶ କିପାଁ ହେଉଅଛି ଧ୍ୱସଂ ?

ମାନବ ବିରାହେ ହୁଏ ଧନ ଦରକାର,

କେତେ ରୂପ ଗୁଣ ଲୋଡ଼ା କେତେ କାରବାର ।

 

ବିବାହ ହେଲେହେଁ କେତେ ନାରୀ ପୁତ୍ରହୀନା,

କେତେ ବା ବିଧବା କେତେ ବନ୍ଧ୍ୟାତ୍ୱ ଅଧୀନା ।

କୃତ୍ରିମ ଉପାୟେ କେତେ ହୁଏ ଗର୍ଭପାତ

କିସ ଖାଇ କେତେ ପୁତ୍ର ନ କରନ୍ତି ଜାତ ।

 

ମୋ’ ବଂଶରେ ସେସବୁର ନାହିଁ ପ୍ରୟୋଜନ,

ତେବେ କହ ମୋର ବଂଶ ହ୍ରାସର କାରଣ ।

ତହିଁର କାରର ଏକା ମୋହର ବିନାଶ,

ବୁଝି ବାବା, ମୋ’ ରକ୍ଷଣେ ନ ହୁଅ ଉଦାସ ।

 

ଦିନୁ ଦିନ ଭାରତରେ ବଢ଼ୁଅଛି କଳ,

ତହୁଁ ପାଇପାର ଅନ୍ନ ବସନ ସକଳ ।

କିନ୍ତୁ କେବେ ମନେ ଏହା ନ କରିବ ବୁଧ,

କଳରୁ କୌଣସି କାଳେ ପାଇବ ମୋ’ ଦୁଧ ?

 

ମୋ’ ବିନା ମୋ’ କ୍ଷୀର ବିନା ତୁମ୍ଭର ଯେ ହାନି

ପ୍ରଥମେ ସେସବୁ କହିସାରିଛି ଜ୍ଞାନୀ ।

ପର ଉପକାରେ ହୁଏ ନିଜ ଉପକାର,

ଏହା କହିଛନ୍ତି ବଡ଼ ବଡ଼ ଗ୍ରନ୍ଥାକାର ।

 

ଏଣୁ ନିଜ ହିତ ସଙ୍ଗେ ତୁମ୍ଭ ହିତ ପାଇଁ,

କହିବି ଏ ପରେ କଥା କେତେକ ବୁଝାଇ ।

ଭାରତସମ୍ରାଟ୍ ତଥା ତାଙ୍କ ପ୍ରତିନିଧି,

ଅନ୍ୟ ରାଜକର୍ମଚାରୀ ସମସ୍ତଙ୍କ ବିଧି ।

 

ଦେଖି ତାଙ୍କୁ ଦିଏଁ ଶତ ଶତ ଧନ୍ୟବାଦ,

ଯେହେତୁ ସେମାନେ ନେଉଛନ୍ତି ମୋ’ ସମ୍ବାଦ ।

ପଶୁଗଣ ପ୍ରତି ହୋଇଅଛନ୍ତି ସଦୟ,

ସ୍ଥାନେ ସ୍ଥାନେ ରଖି ପଶୁ-ଚିକିତ୍ସା-ଆଳୟ ।

 

ପଶୁ ପ୍ରତି ନିଷ୍ଠୁରତା ନିବାରଣ ପାଇଁ,

ଚଳାଉଅଛନ୍ତି କେତେ ଆଇନ ବନାଇ ।

ତହିଁରେ ହେଉଛି ମୋର ବହୁ ଉପକାର,

ଏଣୁ ତାଙ୍କ ଶୁଭ ବାଞ୍ଛା କରେ ବାରମ୍ବାର ।

 

ଦୁଃଖୀର ଦୁଃଖକୁ ଦେଖି ଦୟା ଯେ କରଇ,

ଦୁଃଖୀ ତାଙ୍କଠାରେ ଦୁଃଖ କହି ଭରସଇ ।

ଯହିଁ ହୋଇପାରେ ମୋର ରକ୍ଷାର ବିଧାନ,

ତହିଁପାଇଁ ଲୋଡ଼ୁଅଛି ରାଜ-ଅବଧାନ ।

 

ହେ ରାଜେନ୍ଦ୍ର-ଚୂଡ଼ାମଣି ଭାରତସମ୍ରାଟ,

ଆହେ ରାଜପ୍ରତିନିଧି ବାବା ବଡ଼ଲାଟ,

ହେ ରାଜପୁରୁଷବୃନ୍ଦ ଭାରତ-ଭୂଷଣ,

ଦୟାକରି ଦୂର କର ମୋହର କଷଣ ।

 

ମୋ’ ଚର୍ମରେ ଲୋକମାନେ ଅରଜିଲେ ଧନ,

ଏଣୁ ମୋତେ କରୁଛନ୍ତି ଅକାଳେ ନିଧନ ।

ଚର୍ମ ବ୍ୟବସାୟ ଯଦି ନ କରିବ ବନ୍ଦ,

ତା’ ହେଲେ ଭାରତ ଦଶା ହୋଇବଟି ମନ୍ଦ ।

 

ଇଚ୍ଛାକଲେ କରିପାର ସକଳ ବିଧାନ,

ମୋ’ ରକ୍ଷାକୁ ନ କରିବ କି ପ୍ରତିବିଧାନ ?

ଗ୍ରାମେ ଗ୍ରାମେ ଛାଡ଼ିଦିଅ ମୋ’ ଚରିବା ସ୍ଥାନ,

ତା’ ନ ହେଲେ କିରୂପେ ମୁଁ ରଖିପାରେ ପ୍ରାଣ ?

 

ମୋ’ ବିନା କି ଚାଷୀଲୋକ କରିପାରେ ଚାଷ

ପ୍ରଶସ୍ତହୃଦୟେ ତୁମ୍ଭ ହେଉଛି ବିଶ୍ୱାସ ?

ଚାଷ ବିନା ଚାଷୀମାନେ କାହୁଁ ଦେବେ କର,

କେମନ୍ତେ ଚଳିବ ଅବା ସମ୍ରାଜ୍ୟ ତୁମ୍ଭର ?

 

ମୋ’ ଉପରେ ପ୍ରଜାଙ୍କର ରହିଛି ଜୀବନ,

ପ୍ରଜାମାନଙ୍କର ମୁହିଁ ଏକା ମୂଳଧନ ।

ଅବଶ୍ୟ ସମୟେ ହେବ ଗୋରୁର ମରଣ,

ସେକାଳେ ଗୋଚର୍ମ ପାଇଁକି ଅଛି ବାରଣ ?

 

ସେ ଚର୍ମରୁ ଲୋକେ ଲାଭ କରିବେ ଯେ ଧନ,

ତହୁଁ ଅଂଶ ନେଇ କର ଗୋ-ହିତ-ସାଧନ ।

ସ୍ଥାନେ ସ୍ଥାନେ କରିଦିଅ ଗୋଶାଳା ସ୍ଥାପନ,

କରିବେ ଅକ୍ଷମ ଗୋରୁ ଜୀବନଯାପନ ।

 

ରାଜା ଜମିଦାରଗଣେ ହେଉ ସେ ଆଦେଶ,

ଗୋ-ହିତ କରନ୍ତୁ କରି ଉପାୟ ବିଶେଷ ।

ଯଦି ମୋ’ ବିନାଶ ହେବ ଭାରତେ ରହିତ,

ନ ଥିବ ବିବାଦ ହିନ୍ଦୁ ପଠାଣ ସହିତ ।

 

ବିସ୍ତାରିତ ହେବ ଶାନ୍ତି-ଚନ୍ଦ୍ରର କିରଣ,

ଆନନ୍ଦେ ରହିବେ ତୁମ୍ଭ ଭକ୍ତ ପ୍ରଜାଗଣ ।

ହେ ବାବା ମୁସଲମାନ, ଶୁଣ ମୋର ବାଣୀ,

ମୋ’ ବିନା କି ନ ଚଳିବ ତୁମ୍ଭର କୁର୍ବାଣି ?

 

ଏକା ମୋତେ ମାରିବାକୁ ତୁମ୍ଭ ଆଲାକୋରାନ,

କହି ନାହିଁ, କରିପାର ତୁମ୍ଭେ ପଶୁ ଆନ ।

ଜୀବହତ୍ୟା ବିନା ଯଦି କୁର୍ବାଣି ଅଚଳ,

ଧରାରେ ଅଛନ୍ତି ଛେଳି ମେଣ୍ଢା ପଲପଲ ।

 

କହୁଅଛି କୁର୍ବାଣିର ଅସଲ କଥାଏ,

ଶୁଣ ଥରେ ଶାସ୍ତ୍ରେ ଯଦି ସୁବିଶ୍ୱାସ ଥାଏ ।

ହଜରତ୍, ଇବ୍ରାହିମ, ଖଲିଲୁଲା ଥରେ

କୁର୍ବାଣି ଆରମ୍ଭ କଲେ ଈଶ୍ୱରାଦେଶରେ ।

 

ସ୍ନେହବଶେ ଚକ୍ଷୁ ବୁଜି ପୁତ୍ରକୁ ହାଣିଲେ,

ତାହାଙ୍କ ସେ ଭାବସବୁ ଈଶ୍ୱର ଜାଣିଲେ ।

ମାୟାବଣେ ରଖି ତାଙ୍କ ପୁତ୍ରକୁ ଅନ୍ତରେ,

ମେଣ୍ଢାଟିଏ ରଖିଦେଲେ କୁମର ସ୍ଥାନରେ ।

 

ଚକ୍ଷୁ ଫେଡ଼ି ଦେଖିବାରେ ଜିଇଛି କୁମର,

ଖଣ୍ଡା ଚୋଟ ପଡ଼ିଅଛି ମେଣ୍ଢାର ଉପର ।

ଜଣାଗଲା ଭକତର ସ୍ୱାର୍ଥ ବିସର୍ଜନ,

ତହିଁ ସଙ୍ଗେ ଈଶ୍ୱରଙ୍କ ଦୟା ନିଦର୍ଶନ ।

 

ଈଶ୍ୱର ଘେନନ୍ତି ପ୍ରେମଭକ୍ତି ହିଁ କେବଳ,

ମୋର ମାଂସେ ନାହିଁ ତାଙ୍କ ତୋଷ, ତୁମ୍ଭ ଫଳ ।

ମୋର ମାଂସ ନର ପକ୍ଷେ ନୁହେଁ ସ୍ୱାସ୍ଥ୍ୟକର,

ଅଟଇ କେବଳ ମହାବ୍ୟାଧିର ଆକର ।

 

ମେଣ୍ଢାମାଂସ ଛାଗମାଂସ ଅଟଇ ସୁସ୍ୱାଦ,

ତାହା ଖାଇବାରେ ନାହିଁ କାହାରି ବିବାଦ ।

ମନର ତୃପତି ତହିଁ ସ୍ୱାସ୍ଥ୍ୟର ବର୍ଦ୍ଧନ,

ତା ଘେନି ମୋ’ ମାଂସ କରିପାର ବିବର୍ଜ୍ଜନ ।

 

ମର୍କଟର ମାଂସ ତୁମ୍ଭେ ନ ଖାଅ ଯେପରି,

ମୋ’ ମାଂସକୁ ଛାଡ଼ିପାର ବିଚାରି ସେପରି ।

ଅନେକ ହଲାଲ ଜନ୍ତୁ ଅଛନ୍ତି ଜଗତେ,

ଖାଦ୍ୟ ନୁହେ ସେସବୁର ମାଂସ ତୁମ୍ଭ ମତେ ।

 

ସେସବୁର ପରି ମୋତେ ଛାଡ଼ି ଦେଇପାର,

ଛାଡ଼ିଦେଲେ ହେବ ତୁମ୍ଭ ବହୁ ଉପକାର ।

ଚାରି-ଛଅଜଣ ତୃପ୍ତ ହେବ ମାଂସ ଖାଇ,

ଦିନକରେ ସେ ଆହାର ଯିବ ଧ୍ୱଂସ ପାଇ ।

 

କିନ୍ତୁ ଯଦି ପ୍ରାଣରେ ମୁଁ ରହିବି ଜୀବିତ,

ଶତ ଶତ ଲୋକ କରିପାରିବି ତୋଷିତ ।

ଅନେକ ଅଛନ୍ତି ପୂର୍ବ-ଅଙ୍ଗେ ତୁମ୍ଭ ଜାତି,

ଜୀବିକା କେବଳ ମାତ୍ର କୃଷି କରିଥାନ୍ତି ।

 

ବଳଦ ସୁଲଭ ତାଙ୍କୁ ମୋ’ ବିନାଶ ବିନା,

ନ ହେଲେ କୃଷିରେ ତାଙ୍କ କଷ୍ଟ ହେବ କିନା ?

ଆଜୀବନ କରିବି ମୁଁ ସଦା ତୁମ୍ଭ ହିତ,

ମୋ’ ଉପରେ ସ୍ନେହ ତୁମ୍ଭ ରହିବା ବିହିତ ।

 

ଗୁଣ ବୁଝି ଦେଖ ମୋତେ ସସ୍ନେହଲୋଚନ,

ସେରୂପେ ବିରତ ହୁଅ ମୋ’ ମାଂସଭୋଜନେ ।

ସ୍ନେହ ରଖ ହିନ୍ଦୁଠାରେ ଭାଇ ମନେକରି,

ନ ହୁଅ ମୋ’ ପାଇଁ ତାଙ୍କ ସଙ୍ଗେ ମରାମରି ।

 

ଭାରତବାସୀ କି ହିନ୍ଦୁ କି ମୁସଲମାନ,

ସମସ୍ତେ ଅଟନ୍ତି ଏକ ମାତାର ସନ୍ତାନ ।

ଛାଡ଼ିଦିଅ ବାବା, ମୋର ଚର୍ମ-ବ୍ୟବସାୟ,

ଜଗତେ ପୂରିଛି ଆଉ ଅନେକ ଉପାୟ ।

 

ସମୟେ ମରିବେ ଗୋରୁ ନେଇ ତାଙ୍କ ଚର୍ମ,

ବାଣିଜ୍ୟ ବ୍ୟାପାର କଲେ ନ ହେବ ଅଧର୍ମ ।

ଆଜୀବନ କରିବି ମୁଁ ନାନା ଉପକାର,

ନ କର ନ କରାଅ ମୋ’ ଜୀବନ-ସଂହାର ।

 

ହେଉଅଛି ତୁମ୍ଭ କ୍ଷତି ମୋ’ ଜୀବନନାଶେ,

ଜଣାଉଛି ଏଣୁ ଦୀନଭାବେ ତୁମ୍ଭ ପାଶେ ।

ପଶୁର ବିକଳ ଦେଖି ସାବକତଗିନ,

ଦ୍ରବିଥିଲେ ଦୟାବଶେ ପୂର୍ବେ ଏକଦିନ ।

 

ସେ କଥା ତୁମ୍ଭର ଆଗେ କରୁଛି ବ୍ୟକତ,

ତାଙ୍କ ବଂଶେ ଜନ୍ମି ଦୟା ନ କର ତ୍ୟକତ ।

ମୃଗୟାକୁ ଯାଇଥିଲେ ସାବକତଗିନ,

ମୃଗଶିଶୁଟିଏ ଥିଲା ମାତାଠାରୁ ଭିନ୍ନ ।

 

ସେ ମୃଗଶିଶୁକୁ ଧରି ଆଣୁଥିଲେ ଘର,

ପଛେ ଗୋଡ଼ାଇଲା ପାଇ ତା’ ମାତା ଖବର ।

ସାବକ୍ତଙ୍କୁ ଜଳପୂର୍ଣ୍ଣନେତ୍ରେ ବାରମ୍ବାର,

ଚାହୁଁଥାଏ ଭୟ କରି ହୃଦରୁ ବାହାର ।

 

ମୃଗୀ ପୁତ୍ରସ୍ନେହ ଦେଖି ସାବକ୍ତ ସଦୟେ,

ମୃଗଶିଶୁଟିକୁ ଛାଡ଼ିଦେଲେ ସେ ସମୟେ ।

ମୃଗଶିଶୁ ଡେଇଁ ଡେଇଁ ପଳାଇ ସତ୍ୱରେ,

ଜନନୀର ସ୍ତନ୍ୟ ପାନ କଲା ଆନନ୍ଦରେ ।

 

ଏ କି କଥା ! ସେ ମୃଗୀର ଅଶ୍ରୁ ପୂର୍ବପରି,

ଅବିଶ୍ରାନ୍ତ ନେତ୍ରଯୁଗୁଁ ପଡ଼ୁଥାଏ ଝରି ।

ଲେଉଟି ଲେଉଟି ଚାହିଁ ଚାହିଁ ଲେଉଟିଲା,

ସାବକ୍ତଙ୍କୁ କୃତଜ୍ଞତା-ଚିହ୍ନ ଦେଖାଇଲା ।

 

ଶୟନେ ସାବକ୍ତ ରାତ୍ରେ ଦେଖିଲେ ସ୍ୱପନ,

ତୋଷେ ବରଦେଲେ ତାଙ୍କୁ ଶ୍ରୀଦୀନଶରଣ-

‘‘ସାବକ୍ତ ତୁ ଦେଖାଇଲୁ ଦୟାନିଦର୍ଶନ,

ସେ ଫଳେ ଲଭିବୁ ବେଗେ ଦିଲ୍ଲୀ ସିଂହାସନ । ’’

 

କିଛି ଦିନ ପରେ ସେହି ସାବକତଗିନ,

ଦିଲ୍ଲୀ ରାଜସିଂହାସନେ ହେଲେ ସମାସୀନ ।

କେମନ୍ତେ ଦୟାଳୁ ଥିଲେ ଦେଖ ତୁମ୍ଭ ବଂଶେ,

ତୁମ୍ଭ ଦୟା ନ ହେବ କି ମୋତେ କିଛି ଅଂଶେ ?

 

ଆହେ ଆର୍ଯ୍ୟବଂଶଧର ହିନ୍ଦୁ ପୁତ୍ରଗଣ,

କର ତୁମ୍ଭ ପୂର୍ବବଂଶ-ଆଚାର ସ୍ମରଣ ।

ମୋ’ ଠାରେ କିପରି ଭକ୍ତି ଥିଲା ତାହାଙ୍କର,

କି ଫଳ ସେ ପାଇଛନ୍ତି ପ୍ରସାଦେ ମୋହର ।

 

ପୃଷ୍ଠେ ବ୍ରହ୍ମା ଗଳେ ବିଷ୍ଣୁ ମୁଖେ ରୁଦ୍ର ସ୍ଥିତ,

ଆର୍ଯ୍ୟଋଷି ମୁଖେ ଏହା ହୁଅଇ କଥିତ ।

ଦେବତାଏ କରୁଥିଲେ ସୁରଭି ପାଳନ,

ବଶିଷ୍ଠଙ୍କ ଧେନୁ କଥା କରିଛି ଶ୍ରବଣ ।

 

ଦିଲୀପ ନରେଶ ସେବା କରି ନନ୍ଦିନୀର,

ପାଇଲେ କୁମରମଣି ରଘୁ ମହାବୀର ।

ବିପଦରୁ ନନ୍ଦିନୀକୁ କରିବାରୁ ତ୍ରାଣ,

ସେ ଦିଲୀପ ଦେଇଥିଲେ କେଶରୀକୁ ପ୍ରାଣ ।

 

 

ନିଜେ କୃଷ୍ଣଚନ୍ଦ୍ର କରୁଥିଲେ ଗୋପାଳନ,

ତାଙ୍କଠାରୁ ବଡ଼ ତୁମ୍ଭେ ହେଲ କେଉଁ ଜନ ?

 

‘‘ଗ୍ରାମେଛୟା ଗ୍ରୋପ୍ରଚାରୋ ଭୂମିରାଜ ବଳେନ ବା

ଦ୍ୱିଜସ୍ତୃଣୈନ୍ଧଃପୁଷ୍ପାଣି ସର୍ବତଃ ସର୍ବଦାହରେତ୍,

ଧନୁଃ ଶତଂ ପାରିଗ୍ରାହେ । ଗ୍ରାହେ କ୍ଷେତ୍ରାନ୍ତରଂ ଭବେତ୍

ଦ୍ୱେଶତେ ଖର୍ବଟସ୍ୟ ସ୍ୟାନ୍-ନଗରସ୍ୟ ଚତୁଃଶତମ୍ । ’’

 

ଏହି ଆର୍ଯ୍ୟନୀତି ମନେ ରଖ ହେ ସତତ,

ସଯତନେ କର ପୁଣି କାର୍ଯ୍ୟ ପରିଣତ ।

ଆଜି ତୁମ୍ଭ ଗୋରୁ ପ୍ରତି କରୁଅଛ ହେଳା,

ନ ଜାଣି ବିପଦ-ଜଳେ ବୁଡ଼ିଯିବ ଭେଳା ।

 

ଗୋ ଚରିବା ଭୂମିସବୁ ନେଉଅଛ ଚଷି,

ପଛକୁ ରହିବ ଗାଲେ ହାତ ଦେଇ ବସି ।

ନବ୍ୟସଭ୍ୟ ବାବୁମାନଙ୍କର ବ୍ୟବହାର,

ଦେଖି ଦେଖି ମଣୁଅଛି ଅତି ଚମତ୍କାର ।

 

ତାଙ୍କଠାରେ ରହୁ ନାହିଁ ମୋହର ସମ୍ମାନ,

ମୋତେ କରୁଛନ୍ତି ଅନ୍ୟ ପଶୁର ସମାନ ।

କୁକୁରକୁ କୋଳେ ଧରି ଦିଅନ୍ତି ଚୁମ୍ବନ,

କଂସାଇକୁ ଦିଅନ୍ତି ମୋ’ ବାଛୁରୀ-ଜୀବନ ।

 

ବଳ ଥିବାଯାଏ ମୋତେ ରଖିଥାନ୍ତି ଘରେ,

ବିକନ୍ତି କଂସାଇ ହାତେ ବୃଦ୍ଧ ବୟସରେ ।

କଂସାଇ ମୋ’ ମାଂସ ବିକେ ମୋ’ ଜୀବନ ଗଲେ,

ଜୀବ ଥାଉଁ ତନୁକୁ ମୋ’ ତୁମ୍ଭେ ବିକ ବଳେ ।

 

ନ ହେଲ କି ତୁମ୍ଭ ମାଂସବିକାରୁ ଅଧିକ ?

ଧିକ ହିନ୍ଦୁ କୁଳାଙ୍ଗାର ପ୍ରାଣ ତୁମ୍ଭ ଧିକ ।

ଚିରଦିନ କଲ ମୋର ସ୍ୱାଦୁ କ୍ଷୀର ପାନ,

ଅର୍ଥଲୋଭେ ଶେଷେ କଲ କଂସାଇକୁ ଦାନ ।

 

ଶିଖିଲ ଇଂରେଜଠାରୁ ସବୁ ରୀତିନୀତି,

ଅଭ୍ୟାସିଲ ଇଂଲଣ୍ଡୀୟ ଋଷିଙ୍କର ଗୀତି ।

ଇଙ୍ଗରେଜମାନେ ମୋତେ କେମନ୍ତ ଯତନ,

କରନ୍ତି, ତହିଁରେ କିମ୍ବା ନ ପଡ଼େ ନୟନ ?

 

ଇଂରେଜ ରଖନ୍ତି ମୋତେ ପରିଷ୍କୃତ ଘରେ,

ମଳମୂତ୍ର ଦୂରେ ନେଇ ପକାନ୍ତି ସତ୍ୱରେ ।

ଦିଅନ୍ତି ଉତ୍ତମ ଖାଦ୍ୟ ପରିଷ୍କୃତ ଜଳ,

ସଞ୍ଚି ରଖିଥାନ୍ତି ମୋର ଜୀବନସମ୍ବଳ ।

 

ଇଉରୋପ, ଆମେରିକା, ମହାଦେଶେ ତଥା,

କରୁଛନ୍ତି ସମାଦରେ ମୋ’ ପ୍ରତି ସର୍ବଥା ।

ସେଠା ଗୋରୁଙ୍କର ରୂପ ବଳବୀର୍ଯ୍ୟ କଥା,

ଶୁଣି ଚମତ୍କାରେ ତୁମ୍ଭ ଘୂରିଯିବ ମଥା ।

 

ଭାରତର ଛୋଟ ଛୋଟ ହସ୍ତୀର ସଦୃଶ,

ବୀର୍ଯ୍ୟ ପରାକ୍ରମେ ହେବେ ବିଲାତର ବୃକ୍ଷ ।

ତୁମ୍ଭେ ମୋତେ ରଖ ଅତି ଖାଲଢିପ ଘରେ,

ବନ୍ଧା ହୋଇ ଶୁଏଁ ମଳମୂତ୍ରର ଉପରେ ।

 

ବୁଲି ବୁଲି ଚରେ ପୂର୍ଣ୍ଣ ନ ହୁଏ ଉଦର,

ବରଷାକାଳର କଷ୍ଟ କେ ଦେଖେ ମୋହର ।

ଯହିଁ ଦେଖ ଚଷାମାନେ ବସିଛନ୍ତି ମାଡ଼ି,

ମୁହଁ ଲମ୍ବାଇଲେ ତେଣେ ପ୍ରହାରନ୍ତି ବାଡ଼ି ।

 

କେତେ ଦୂର ଗଲେ ସୁଦ୍ଧା ପୂରେ ନାହିଁ ପେଟ,

ଘରକୁ ଆସିଲେ ଆଉ ଖାଦ୍ୟେ ନାହିଁ ଭେଟ ।

ଏ କାରଣେ ଦିନୁ ଦିନ ହେଲି ହୀନବଳ,

କାହିଁରୁ ବା କ୍ଷୀର ଦେବି ପେଟ କଳବଲ ।

 

ଯାହା କିଛି କ୍ଷୀର ମୋର ସ୍ତନେ ଥାଏ ପୂରି,

ସବୁ ଦୁହିଁନିଅ ଭୋକେ ରହନ୍ତି ବାଛୁରୀ ।

ହେଉଅଛି ବଂଶ ମୋର ଦିନୁଦିନ ହ୍ରାସ,

ଆଉ କିଛିଦିନେ ହୋଇଯିବ ସର୍ବନାଶ ।

 

ମୋ’ ବିନା ନ ହେବ କୃଷି, ନମିଳିବ ଖାଦ୍ୟ,

ନର ପ୍ରାଣ ରଖିବାର ହେବ କଷ୍ଟସାଧ୍ୟ

ବେଳ ଥାଉଁ ଥାଉଁ କର ତାର ପ୍ରତିକାର,

ପଛେ ପୃଥିବୀରେ ପଡ଼ିଯିବ ହାହାକାର ।

 

ଲକ୍ଷ ଲକ୍ଷ ଚେଷ୍ଟା ପଛେ ନ ହେବ ସଫଳ,

କି ହେବ ବାନ୍ଧିଲେ ବନ୍ଧ ଗଲା ପରେ ଜଳ ?

ବେଗେ କର ସ୍ଥାନେ ସ୍ଥାନେ ଗୋଶାଳାସ୍ଥାପନ,

ଗୋପୂଜିବା ପର୍ବେ କର ଗୋରୁଙ୍କୁ ପୂଜନ ।

 

ପ୍ରଶସ୍ତ ପଡ଼ିଆ ଛାଡ଼ିଦିଅ ଗ୍ରାମେ ଗ୍ରାମେ,

ତୃଣ ଚରି ଗୋରୁମାନେ ରହିବେ ଆରାମେ ।

ବିକ୍ରୟ ନ କର ମୋତେ କଂସାଇଙ୍କ କରେ,

କୃତଘ୍ନତା ପାପଭାର ନ ବୁହ ମୁଣ୍ଡରେ ।

 

ମୁଁ ନିରୀହ ଜୀବ ସଦା ତୁମ୍ଭ ଉପକାରୀ,

ଶିଶୁକୁ ମୋ’ ନ ଶୁଖାଅ କରି ନିରାହାରୀ ।

ହିନ୍ଦୁର ଧରମ ରଖ ଅଟ ପରା ହିନ୍ଦୁ,

ସଦାଚାର ରଖି ଚଳ ଜଗତ ନ ନିନ୍ଦୁ ।

 

କଳଙ୍କ ନ ଦିଅ କୁଳେ ନୁହ କୁଳାଙ୍ଗାର,

ପୂର୍ବପୁରୁଷଙ୍କ ପରି କର ମୋ’ ସତ୍କାର ।

ମୋର ଉନ୍ନତିରେ ହେବ ଉନ୍ନତି ତୁମ୍ଭର,

ମୋହର ଯତନେ ସଦା ହୁଅ ତତପର ।

 

ମୋର ବିପଦକୁ ତୁମ୍ଭ ବିପଦରେ ଗଣ,

ମୋହାର ପତନେ ହେବ ତୁମ୍ଭର ପତନ ।

ମୋହର ସମ୍ପଦେ ହେବ ତୁମ୍ଭର ସମ୍ପଦ,

ମଙ୍ଗଳ କରିବେ ତୁମ୍ଭ ପ୍ରଭୁ ଆଦିକନ୍ଦ ।

 

ମହିଷୀ ଅଟଇ ମୋର ଭଗିନୀ ସମାନ,

ମୋହ ପରି ତାକୁ ମଧ୍ୟ କରୁଥିବ ମାନ୍ୟ ।

ମନଦେଇ ଶୁଣିଲ ମୋ ସକଳ ଗୁହାରି,

କରନ୍ତୁ ମଙ୍ଗଳ ତୁମ୍ଭ ଗୋଲକବିହାରୀ ।

ଘେନ ମୋର ହୃଦୟର ଶତ ଧନ୍ୟବାଦ,

ଖଣ୍ଡନ୍ତୁ ଗୋପାଳଚନ୍ଦ୍ର ସକଳ ପ୍ରମାଦ ।

 

(ପୂର୍ବରୁ ‘କବିତାମାଳା’ ରେ ସ୍ଥାନିତ ହୋଇନଥିବା ଓ ଗ୍ରନ୍ଥାବଳୀରେ ପ୍ରକାଶ ପାଇନଥିବା କବିତାଗୁଡ଼ିକ ଏଠାରେ ସ୍ଥାନିତ ହେଲା)

 

ମହାପ୍ରୟାଣ

(୧୯୧୦) (୨୮.୦୫.୧୯୧୦, ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ)

ସମ୍ରାଟ୍ ସପ୍ତମ ଏଡ଼ୱାର୍ଡ଼ଙ୍କ ବିୟୋଗ ଉପଲକ୍ଷେ ରଚିତ

 

ହେ ରାଜରାଜେନ୍ଦ୍ର                  ଧରାତଳ-ଇନ୍ଦ୍ର

ପ୍ରଜାଙ୍କ ପରମବନ୍ଧୁ

କିପାଇଁ ଅନ୍ତର                  ହେଲ ପ୍ରାଜ୍ଞବର

ଧରଣୀର ପ୍ରେମ-ବନ୍ଧୁଁ ।

 

ସୌଦାମିନୀ ମୁଖ                  ଚାହୁ ଥାଅ ଦୁଃଖ

ବୁଝିବାକୁ ଧରଣୀର,

କିପାଇଁ ଅନାଉ                  ନାହଁ ଆଜ ଆଉ

ଦେଖି ତା’ ନୟନ-ନୀର ।

 

କାନ୍ଦୁଛି ଭାରତ                  ଅତୀବ ଆରତ-

ନାଦେ ତୁମ୍ଭ ଅଦର୍ଶନେ,

ଶ୍ରବଣ କିପାଇଁ                  ଦେଉ ନାହିଁ ସେହି

ଦୂତୀ ସୌଦାମିନୀ-ସ୍ୱନେ ।

 

ବାନ୍ଧବ ସାମନ୍ତେ                  ବିକଳେ କେମନ୍ତେ

ଗାଉଛନ୍ତି ତୁମ୍ଭ ଗୁଣ,

ବାନ୍ଧବ-ବତ୍ସଳ                  କିପାଇଁ ଅଚଳ

ଭାବେ ରହି ତା’ ନ ଶୁଣ ।

 

ସୌଦାମିନୀ ଆସି                  ଭାରତେ ପ୍ରକାଶି

ଦେଲା ନିଦାରୁଣ ଭାଷ,

ଏଡ଼ୱାର୍ଡ଼ ବୀର                  ପତି ପୃଥିବୀର

ସ୍ୱର୍ଗପୁରେ କଲେ ବାସ ।

 

ସୌଦାମିନୀ ସଙ୍ଗେ,            କୁଳିଶ ପତନ

ବିଧିର ଯା’ ଥିଲା ବିଧି,

ଏତେ କାଳେ ତୁମ୍ଭ                  ଶାସନବିହୀନେ

ଅବନୀରେ କଲା ସିଦ୍ଧି ।

 

ସେ ବଜ୍ରନିନାଦ                  ପଡ଼ିଲା ପ୍ରମାଦ

ହିମାଚଳୁ ଲଙ୍କାଯାଏ,

କେ’ବା ସ୍ତମ୍ଭୀଭୂତ                  କେ’ବା ଚମକିତ

ହେଲେ ଯେ ଥିଲେ ଯେଠାଏ ।

 

ନଗରେ ନଗରେ                  ହାଟରେ ବାଟରେ

ପଡ଼ିଗଲା ହାହାକାର,

ଏମନ୍ତ ମାନବ                  ଦେଖାଗଲା ନାହିଁ

ବିସ୍ମୟ ନ ହେଲା ଯା’ର ।

 

ମହୀରେ ଏମନ୍ତ                  ସ୍ଥାନ ନାହିଁ ଯହିଁ

ଶୁଭି ନାହିଁ ଘଡ଼ଘଡ଼ି,

ଆହା ଏ ବିପଦେ                  ରାଜଜନପଦେ

ଉଠିଥିବ ଶୋକ-ରଡ଼ି ।

 

ନିତ୍ୟୋତ୍ସବମୟ                  ଯେ ରାଜନିଳୟ

ଆଜି ତା’ ରୋଦନପୂର୍ଣ୍ଣ,

ସାମ୍ରାଜ୍ଞୀ-ହୃଦୟ                  ଶାନ୍ତି ରତ୍ନଚୟ

ହୋଇଯାଇଥିବ ଚୂର୍ଣ୍ଣ ।

 

ରାଜସୁତ ରାଜ-                  କୁମାରୀଏ ଆଜ

ବିକଳେ ରୋଦନ କରି,

ବିଦୀର୍ଣ୍ଣ-ହୃଦୟେ                  ଥିବେ ଏ ସମୟେ

ପିତାଙ୍କ ବାତ୍ସଲ୍ୟ ସ୍ମରି ।

 

ଭାବିତ ମୁଁ ହେଲି             ଦୁର୍ଯ୍ୟୋଗେ ବା ‘ହେଲି’(୧)

ଦୁଷ୍ଟ ଦୁଷ୍ଟ ‘ଧୂମକେତୁ’,

ଆସି ହେଲା ମହୀ-                  ମଣ୍ଡଳର ଏହି

ଘୋର ଅମଙ୍ଗଳ-ହେତୁ ।

 

ଅବା ଆଲୋକିତ                  କରିବା ନିମିତ୍ତ

ସମ୍ରାଟଙ୍କ ସ୍ୱର୍ଗରାହା,

ଜ୍ୟୋତିର୍ଭୁବନରୁ                  ଏକ ପରିଚର

ପେଶିଥିଲେ ସ୍ୱର୍ଗ ନାହା ।

 

ରଞ୍ଜନ ବିରହେ                  ତୁମ୍ଭର ବିରହେ

ପ୍ରକୃତି ଆଜି ଶ୍ରୀହୀନ,

ନଦନଦୀ ସର                  ରଜନୀ ଶରୀର

ହୋଇଯାଉଅଛି କ୍ଷୀଣ ।

୧ । ହେଲି – ଧୂମକେତୁ ।

ବିଧି-ବିଧାୟକ                  ବିଧାନ-ପାଳକ

ବିଧିର ବିଧାନ ମାନି,

ଅମରାବତୀକି                  ବିହିଲ ଗତିକି

ତେଜି ନିଜ ରାଜଧାନୀ ।

 

ମର୍ତ୍ତ୍ୟଲୀଳା ଶେଷ                  କରିଛ ଅଶେଷ

ଜନହିତ କାର୍ଯ୍ୟ କରି,

ଅମର ନଗରେ                  ରହିବ ଶମରେ

ଅମର ଶରୀର ଧରି ।

 

ମାତା ତୁମ୍ଭ ଆଜି                  ଦେବୀ ରୂପ ସାଜି

ହୃଦେ ହୃଦେ ପ୍ରପୂଜିତ,

ତାଙ୍କ ଶାନ୍ତିମୟ                  କୋଳରେ ନିଶ୍ଚୟ

ତୁମ୍ଭେ ହେବ ସୁଶୋଭିତ ।

 

ଗୋ ସମ୍ରାଟ୍-ଜାୟା !            ସରଳାହୃଦୟା

ତୁମ୍ଭ କଷ୍ଟ ଭାବି ମନ,

ଦୁଃଖ-ଜଳଧିର                  ତରଙ୍ଗ ଅଧୀର

ଗର୍ଭେ ହୁଏ ନିଗମନ ।

 

ଶିରୀଷ ପ୍ରସୂନେ                  କରକା ବର୍ଷଣେ

ଚିରାଭ୍ୟସ୍ତ ଯେଉଁ ବିଧି,

ଯା’ ବିଧାନେ ସୀତା                  ଚିର ବିରହିତା

କି ହେବ ତାହାକୁ ନିନ୍ଦି ।

 

ସେ ବିଧି ଇଚ୍ଛାର                  ପ୍ରତିକୂଳେ ଛାର

ମାନବ ନ ପାରେ ଚଳି,

ଯେ ଯେତେ କୋମଳ            ତହିଁ ତେତେ ବଳ

ପ୍ରକାଶେ ଧନ୍ୟ ସେ ବଳୀ 

 

ତୁମ୍ଭ ଅଶ୍ରୁ ବିନ୍ଦୁ                  ଭାରତରେ ସିନ୍ଧୁ

ସମାନ ହେଉଛି ବୋଧ,

ତହିଁ ଭାସି ଭାସି                  କି ବୋଲି ଆଶ୍ୱାସି

ଜନନୀ, ଦେବୁଁ ପ୍ରବୋଧ ।

 

ଜନନୀ ରୋଦନ                  ଚାହିଁ ପୁତ୍ରଗଣ

କାନ୍ଦୁଛୁଁ ଅଧିକତର,

ଆମ୍ଭ ନେତ୍ର-ନୀର                  ପୋଛି ଅବନୀର

ଶାନ୍ତି ସାଧି ଶାନ୍ତି ଧର ।

 

ମଙ୍ଗଳାଚରଣ

(୧୯୧୧)
(ଅକ୍ଟୋବର ମାସ ସଂଖ୍ୟା ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ)

ପୂଜାକରି ଶକ୍ତିଶ୍ୱରୀ-ଶକ୍ତିପ୍ରଦ ପାଦ,

ପାଇ ତହୁଁ ନବ ବଳ ନବୀନ ପ୍ରସାଦ,

ରଖି ସେ ପବିତ୍ର ପଦକମଳେ ଭରସା,

ବଳାଉଛୁଁ ଲୋକସେବା-ଧର୍ମରେ ଲାଳସା ।

 

ଜଗତଜନନୀଙ୍କର କୁମାରସକଳ,

ପାଇଛନ୍ତି ଆଜି ନବ ପ୍ରାଣ ନବ ବଳ ।

ଚାହିଁ ତାଙ୍କ ପ୍ରଭାପୂର୍ଣ୍ଣ ବଦନମଣ୍ଡଳ,

ଫୁଟି ଉଠୁଅଛି ଆମ୍ଭ ହୃଦୟ-କମଳ ।

 

ଦେବୀଙ୍କି ବସାଇ ସେହି ଫୁଲ୍ଲ ପଦ୍ମାସନେ,

ତାଙ୍କ ରାଜ୍ୟେ ତାଙ୍କ ଶୁଭକାମନା ସାଧନେ ।

ତାଙ୍କରି ପ୍ରେରଣେ ହେଉଅଛୁଁ ଅଗ୍ରସର,

ବାଧାବିଘ୍ନ ଦଳୁଥିବ ତାଙ୍କ ଶ୍ରୀପୟର ।

 

ଦେଖୁଛୁଁ ସେ ଦେବୀ ପ୍ରାଣେ ପ୍ରାଣେ ବିରାଜିତ

କରାଉଅଛନ୍ତି ବହୁ ମଙ୍ଗଳ ସାଧିତ ।

ପ୍ରତି ପ୍ରାଣେ ଚାହିଁ ତାଙ୍କ ପ୍ରତିଭା ବିସ୍ତାର,

ଜଗତଜନଙ୍କୁ କରୁଅଛୁଁ ନମସ୍କାର ।

 

ତାଙ୍କ ମଧୁମୟୀ ପ୍ରଭା ଘେନି ‘ହିତୈଷଣୀ’,

ନବ ବର୍ଷେ ହେଉ ଜନ-ହୃଦୟ-ତୋଷିଣୀ ।

ହୃଦେ ହୃଦେ ଫୁଟୁ ରମ୍ୟ ପ୍ରତିଭା-କମଳ.

ଦିଗେ ଦିଗେ ସଞ୍ଚରୁ ତା’ ଦିବ୍ୟ ପରିମଳ ।

 

ସ୍ୱର୍ଗତ କାଶୀନାଥ ପଣ୍ଡାଙ୍କ ପ୍ରତି

(୧୯୧୨) (ମଇ ମାସ ସଂଖ୍ୟା, ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ)

ସ୍ୱର୍ଗବାସୀ କାଶୀନାଥ, ସ୍ମରୁଛି ମୋ’ ମନ,

କହୁଥିଲ ଯେଉଁ ମଧୁମିଶ୍ରିତ ବଚନ ।

ଦେଖିଥିଲି ଥରେ ତୁମ୍ଭ କାର୍ଯ୍ୟର କୌଶଳ,

ଖଣ୍ଡେ କାଷ୍ଠେ କରିଥିଲ ଚାରିଟି ଲାଙ୍ଗଳ ।

ସ୍ୱାଧୀନ ଜୀବନେ ତୁମ୍ଭେ ଥିଲ କର୍ମବୀର,

ଯୁବା ପରି ଦକ୍ଷ ଥିଲ ହେଲେହେଁ ସ୍ଥବିର ।

 

ଗର୍ବ ଅଭିମାନ ଦେଇ କର୍ମପୀଠେ ବଳି,

ଜୀବନ-ସଂଗ୍ରାମେ ଥିଲ କ୍ଷତ୍ରିୟଙ୍କୁ ବଳୀ ।

ବୁଝିଥିଲ କୃଷିକର୍ମ ଜୀବନ ଆଧାର,

କୃଷି ବିନା ସୂର୍ଯ୍ୟ ଥାଉଁ ଜଗତ ଅନ୍ଧାର ।

 

ହେଉ ରାଜା ମହାରାଜା ବିଶ୍ୱେ ଉଡ଼ ବାନା,

କୃଷିର ଅଭାବେ ତାକୁ ନ ମିଳନ୍ତା ଦାନା ।

ତେଣୁ କୃଷି ପ୍ରସାରିଲ ହୋଇ ମହାଜନ,

ଧନ ଦେଇ କଲ ବହୁ ଭୂମି ଅରଜନ ।

 

ପିତାଠାରୁ ପାଇଥିଲ ଯେଉଁ ମୂଳଧନ,

ସହସ୍ର ଗୁଣରେ କଲ ଉନ୍ନତିସାଧନ ।

ଲରମ୍ଭାର ହୋଇ ତୁମ୍ଭେ ଚତୁର୍ଥାଂଶଭାଗୀ,

ଖଲିଆପାଲିକି ଘେନିଥିଲ ସଉଭାଗୀ ।

 

ଶେଷେ ଦେଖେଁ ଏ ଜିଲ୍ଲାର ଶତ ଶତ ଗ୍ରାମ,

ଜମାବନ୍ଦି ବକ୍ଷେ ଶୋଭୁଅଛି ତୁମ୍ଭ ନାମ ।

କାହିଁ ବା କୃଷକ ତୁମ୍ଭେ କାହିଁ ଗ୍ରାମାଧିପ,

ହୋଇ ଶୋଭୁଥିଲ ମହୀରାଣୀଙ୍କ ସମୀପ ।

 

ବିଳାସର ବିନାଶରେ ହୋଇ ଖଡ଼୍‌ଗକର,

ବିକାଶିଛ ପଦ୍ମାଙ୍କର ପ୍ରିୟ ପଦ୍ମାକର ।

ଦେଖୁଅଛି ପୁତ୍ର ତୁମ୍ଭ ସୁଶୀଳ, ସୁଧୀର,

ନ ଟଳନ୍ତି ତରଙ୍ଗରେ ଧନ-ଜଳଧିର ।

 

ହୃଦୟ ସରଳ ଶୁଦ୍ଧ ପ୍ରଶାନ୍ତ ଗମ୍ଭୀର,

ଗୁଣ-ପଦ୍ମାକରେ ନାହିଁ ଗରବ-କୁମ୍ଭୀର ।

ଫଳରୁ ମିଳଇ ଲୋକେ ବୃକ୍ଷ ପରିଚୟ,

ପୁତ୍ର ପ୍ରକାଶିବେ ତୁମ୍ଭ ସଦ୍‌ଗୁଣନିଚୟ ।

 

ଆସିଥିଲ(+) ଅବନୀକି ଅମା ଅନ୍ଧକାରେ,

ସ୍ୱର୍ଗକୁ(++) ଚଳିଲ ପୂର୍ଣ୍ଣଚନ୍ଦ୍ର ଚନ୍ଦିକାରେ ।

କାଶୀନାଥ ସ୍ୱଦେଶର ଗୌରବଭାଜନ,

କରିଅଛ ସ୍ୱଦେଶର ପୀରତି ଅର୍ଜନ ।

 

ଯେତେ କାର୍ଯ୍ୟ କରିଅଛ ଦେଶପ୍ରୀତିକର,

ସେ ଘେନି ସ୍ୱର୍ଗରେ ଲଭ ଦେବଙ୍କ ଆଦର ।

+++ କାଶୀନାଥ ପଣ୍ଡାଙ୍କ ଜନ୍ମ-ଶ୍ରାବଣ-

ଅମାବାସ୍ୟା ଓ ମୃତ୍ୟୁ- ଚୈତ୍ରପୂର୍ଣ୍ଣିମା ।

 

*କାଶୀନାଥ ପଣ୍ଡା- ସ୍ୱଦେଶପ୍ରେମିକ ବାବୁ ବ୍ରଜମୋହନ ପଣ୍ଡା, ବି.ଏ.ଙ୍କ ପିତାମହ ଅଟନ୍ତି ।

 

ସ୍ୱର୍ଗତ ଧନଞ୍ଜୟ ସିଂହ

(୧୯୧୬) (ଅକ୍ଟୋବର, ନଭେମ୍ବର, ୧୯୧୬ ମୁକୁର ପତ୍ରିକାରେ ପ୍ରକାଶିତ)

ଆଶା ଥିଲା ଧନଞ୍ଜୟ ଉଚ୍ଚପଦ ଲଭି,

ଶୋଭିତ କରିବ ବୋଲି ଉନ୍ନତ ପଦବୀ ।

ଆଶାର ଅଙ୍କୁର ଗୋଟି ନୋହୁ ପଲ୍ଲବିତ,

ହେଲା ତହିଁ ନିଦାରଣ କୁଳିଶ ପତିତ ।

 

ଆଶା ଭସ୍ମ-ସ୍ମୃତି ରୂପେ ରହି ଜନ୍ମସ୍ଥଳ-

ହୃଦକୁ ବିଷମ ତାପେ କରୁଛି ବିକଳ ।

ଲଭିଥିଲ ଜନ୍ମ ତୁମ୍ଭେ ଦରିଦ୍ର କୁଟୀରେ,

ସତୃଷ୍ଣେ ପହଞ୍ଚିଲେ ସୁଧା-ସିନ୍ଧୁତୀରେ ।

 

ପାପରସ ସ୍ୱଭାବେ ଯା’ ଆପାତମଧୁର,

ପାଶେ ଚାହିଁ ନ ଛୁଇଁ ତା’ କରିଥିଲ ଦୂର ।

ପାଇଥିଲ ସୁନିର୍ମଳ ବିନୟ ଭୂଷଣ,

କରୁଥିଲ ତହିଁ ଜନମନ ଆକର୍ଷଣ;

 

ଦେବ ଲୋଭନୀୟ ଥିଲା ଚରିତ୍ର ତୁମ୍ଭର,

ତେଣୁ ଅବା ବରିନେଲେ ଦେବେ ନିଜ ଘର ।

 

*ଧନଞ୍ଜୟ ସିଂହ ବରପାଲି-ନିବାସୀ ଜଣେ ଛାତ୍ର । ସେ କଟକରେ ଆଇ.ଏ. କ୍ଳାସ୍‌ରେ ଅଧ୍ୟୟନ କରୁଥିବାବେଳେ ବିସୂଚିକା ରୋଗରେ ପ୍ରାଣତ୍ୟାଗ କରିଅଛନ୍ତି । ସମ୍ବଲପୁରର ସୁପ୍ରସିଦ୍ଧ ଓକିଲ ରାମନାରାୟଣ ମିଶ୍ରଙ୍କ ଆଶ୍ରୟରେ ସେ ଶିକ୍ଷାଲାଭ କରୁଥିଲେ । ପରେ ଉଚ୍ଚ ଶିକ୍ଷା ପାଇଁ କଟକ ଯାଇଥିଲେ । ଗଙ୍ଗାଧରଙ୍କୁ ଧନଞ୍ଜୟ ସିଂହ ଉଚ୍ଚ ଦୃଷ୍ଟିରେ ଦେଖୁଥିଲେ । (‘ପିତୃ-ପ୍ରସଙ୍ଗ’–ପୃ.୬୯)

 

ଫକୀରମୋହନଙ୍କ ସ୍ୱର୍ଗାରୋହଣ

(୧୯୧୭)

ସ୍ୱରଗ ନଗରେ ଆଜି କିପାଁ ଏତେ କଳକଳ,

ଯାଉଛନ୍ତି ଆସୁଛନ୍ତି ଦେବଗଣ ଦଳ ଦଳ ।

ରତ୍ନମାଳେ ମଣ୍ଡୁଛନ୍ତି କେତେ ଜଣ ସଭାଘର,

ସାଜୁଛନ୍ତି ରତ୍ନଯାନ କେତେ ହୋଇ ହରବର ।

 

କେତେଜଣ ସାଜୁଛନ୍ତି ତୋରଣ ମଣ୍ଡପ ଶିର,

ବାନ୍ଧୁଛନ୍ତି ଧ୍ୱଜ ତହିଁ ସିଇଁ ସ୍ୱର୍ଣ୍ଣମୟ ଚୀର ।

ନନ୍ଦନକାନନେ ପଶି ଅମର ଅବଳାଗଣ,

ବାଛି ବାଛି ଫୁଲସବୁ କରୁଛନ୍ତି ଆହରଣ ।

 

ତରତର ଗୁନ୍ଥୁଛନ୍ତି ସରଳ ସୁନ୍ଦର ହାର,

ସାଜୁଛନ୍ତି ସ୍ୱର୍ଣ୍ଣଥାଳେ କାହା ପାଇଁ ଉପହାର ?

କାହାକୁ ସେ ଆଗେ କରି ଚାଲିଛନ୍ତି ବେଗ ବେଗ,

କାହାକୁ ଦେଖିବା ପାଇଁ ମନେ ଏତେ ଉଦବେଗ ?

 

ଦେଖୁଁ ଦେଖୁଁ ରୁଣ୍ଡ ହୋଇ ମଣ୍ଡିଦେଲେ ସ୍ୱର୍ଗଦ୍ୱାର

ପ୍ରଫୁଲ୍ଲ ନୟନେ ଚାହିଁ ରହିଛନ୍ତି ଅନିବାର ।

 

ଫକୀରମୋହନ ତହିଁ ଯାଇ ହେଲେ ଉପଗତ,

ବହୁ ମୁଖେ ଉଚ୍ଚେ ହେଲା ହୁଳୁହୁଳି ସମୁଦ୍‌ଗତ ।

 

ପ୍ରିୟା ତାଙ୍କ ଗଳେ ଆଗେ ଦେଇ ରମ୍ୟ ପୁଷ୍ପମାଳ,

ପାଦତଳେ ପଡ଼ିଗଲେ ପ୍ରେମେ ହୋଇ ଅସମ୍ଭାଳ ।

ଅନ୍ୟ ଦେବଯୋଷାମାନେ ପେଲାପେଲି ହରବର-

ହୋଇ ପୁଷ୍ପହାର ଧରି ଉର୍ଦ୍ଧ୍ୱକୁ ଟେକିଲେ କର ।

 

ନ ପା’ନ୍ତେ ଶିରକୁ ହେଲେ ହସାହସି ପରସ୍ପର,

ଶିର ନତ କରି ହାର ଘେନିଲେ କବିଶେଖର ।

ନ ପାରି ଭିଡ଼କୁ ପଶି ଦୂରେ ଥାଇ କେତେ ଜଣ,

ସୁକୁମାରୀ ଦେବବାଳା କଲେ ପୁଷ୍ପ ପ୍ରକ୍ଷେପଣ ।

 

ଫକୀରମୋହନ ଧରି ପ୍ରଣୟିନୀ ମୃଦୁ କର,

ଉଠାଇ ଦେଖିଲେ ଉଭା ତେଣେ ସବୁ ବନ୍ଧୁବର ।

କବିଗୁରୁ ରାଧାନାଥ ମଧୁସୂଦନ ସହିତ,

ଆଗେ ଥାଇ ଚାହିଁଛନ୍ତି ଚିତ୍ତ କରି ଅବହିତ ।

 

ପ୍ରିୟା କର ଛାଡ଼ି କଲେ ତାଙ୍କ କର-ମରଦନ,

ପରସ୍ପର ଆଲିଙ୍ଗନେ ହେଲା ମୁଦ ବରଧନ ।

 

ଅନ୍ୟ ବନ୍ଧୁଗଣ ସଙ୍ଗେ ସେହିପରି କୋଳାକୋଳି,

ସ୍ୱର୍ଗୀୟ ସୁବାସ ତୈଳ ଅଙ୍ଗେ ହେଲେ ବୋଳାବୋଳି

ଦେବେ ଥିଲେ ରଖି ପାଶେ ସ୍ୱର୍ଣ୍ଣମୟ ରଥଶ୍ରେଣୀ,

ତହିଁରେ ବସାଇ ବସି ଫକୀରକୁ ଗଲେ ଘେନି ।

 

ଆଗେ ଆଗେ ବାଜୁଥାଏ ଅମର-ନ୍ଦୁନ୍ଦୁଭିବାଜା,

ଯାଇ ହେଲେ ଉପଗତ ଯହିଁ ଥିଲେ ଦେବରାଜା ।

ଫକୀରକୁ ଚାହିଁ ହେଲେ ଦେବରାଜ ହରଷିତ,

ବିଦ୍ୟାଧରୀ କରମୁକ୍ତ ପୁଷ୍ପ ହେଲା ବରଷିତ ।

 

ଦେବଗଣ କଲେ ତହିଁ ଫକୀରଙ୍କ ଗୁଣଗାନ,

ପାଇଲେ ଗନ୍ଧର୍ବଗଣ ଲୟରେ ମିଶାଇ ତାନ ।

ଫକୀରଙ୍କ ଗଳେ ଶଚୀ ଦେଲେ ବୈଜୟନ୍ତୀ ମାଳା,

ଉଚ୍ଚରବେ ହୁଳହୁଳି ଦେଲେ ସର୍ବ ଦେବବାଳା ।

 

ଶିରେ ତାଙ୍କ ଇନ୍ଦ୍ର ଦେଲେ ସ୍ୱର୍ଣ୍ଣମୟ ଜରିପାଗ,

ଝୁକୁଥିଲା ଲାଗି ତହିଁ ହୀରା ନୀଳା ପଦ୍ମରାଗ ।

କୃଷ୍ଣକୁମାରୀଙ୍କି କରି ତାଙ୍କ କରେ ସମର୍ପଣ,

ବୋଇଲେ ସ୍ୱପୁରେ ରହି ଭୋଗ ନିତ୍ୟ ସନ୍ତର୍ପଣ ।

 

‘ଉତ୍କଳ-ସେବକ’ର ନବବର୍ଷ ଉପଲକ୍ଷରେ ରଚିତ

(୧୯୧୮)

ନବୀନ ବରଷେ                  ନବୀନ ହରଷେ

ଘେନି ନବ ଉପହାର,

ପାଞ୍ଚ ବରଷର                  ବାଳୁତ ‘ସେବକ’

ଦେଇ ବୁଲ ଦ୍ୱାର ଦ୍ୱାର ।

 

ଦେଶହିତ କଥା                  ବିଦେଶ ବାରତା

କହିବୁ ତୁ କାନେ କାନେ,

ଥରେ ନ ବୁଝିଲେ                  ବାରମ୍ବାର କହି

ଭେଦାଇବୁ ପ୍ରାଣେ ପ୍ରାଣେ ।

 

ସେ ତୋର ଧରମ                  ସେ ତୋର କରମ

ତହିଁରେ ନ ହେବୁ ଚିଟା,

କେହି ଯଦି ତୋତେ             କଡ଼ା କଥା କହେ

ତୁହି କହୁଥିବୁ ମିଠା ।

 

ଆଦର ନ ଚାହିଁ                  ଅତିଥି ପରାଏ

ଯିବୁ ବାବୁ ଘର ଘର,

ଖରଚା ନ ଦେଲେ                  ଚରଚା ନ କଲେ

ତାକୁ ନ ମଣିବୁ ପର ।

 

ଦିନାକେତେ ଗଲେ                  ପୁପୁନି ହେବ

ସେ ଦିନ ଦେଖିବୁ ପ୍ରାତେ,

ଛେରଛେରା କୁଟି                  ବୁଲିବେ ପିଲାଏ

ଥରି ଥରି ଶୀତବାତେ ।

 

ଥିବ କା ଡେବିରି(୧)                  ହାତରେ ଟୁପୁଲୀ(୨)

ଭୁଜନୀ(୩) ହାତରେ ବାଡ଼ି,

କେ ଥିବ ଉଲଙ୍ଗ                  ଉଡ଼ିଥିବ କେହି

ମାଆର ପୁରାଣା ଶାଢ଼ି ।

 

ଶାଢ଼ି ବେଢ଼ିଥିବ                  ବେକୁଁ ପଦଯାଏ

ବେକ ପଛେ ଥିବ ଗଣ୍ଠି,

ଦୁଇପ୍ରସ୍ତ ଶାଢ଼ି                  ଚାରିପ୍ରସ୍ତ ହୋଇ

ବେଢ଼ି ଦେଇଥିବ ତଣ୍ଟି ।

 

କିଏ ବା ପିତାର                  କରିଆ(୪) ଖଣ୍ଡିଏ

ଯା’ ଥିବ ଛିଣ୍ଡା ପୁରୁଣା,

ଅଧା-ପିନ୍ଧା ଅଧା-                  ବେକେ ଦେଇ କାନି-

ଯୋଡ଼ି କରିଥିବ ମୁଣା ।

 

କେ ଛିଣ୍ଡା କରିଆ                  ପିନ୍ଧୁଥିବ, ଦୁଇ

ତିନିଠାରେ ଦେଇ ଗଣ୍ଠି,

ଛେରଛେରା ଲାଭ                  ଧରିବାକୁ ପୁଣି

ରାଜି କରିଥିବ ଅଣ୍ଟି ।

 

ମହା ଆନନ୍ଦରେ                  ଦଳ ଦଳ ହୋଇ

ଘର ଘର ବୁଲି ବୁଲି,

ଧାନ ଚାଉଳରେ                  ପୂରାଇ ଆଣିବେ

ଯେ ଯାହା ଅଣ୍ଟି ଟୁପୁଲୀ ।

 

ପିଲାମାନଙ୍କର                  ଛେରଛେରା ରାବେ

ବାଡ଼ି ଠୁକୁ ଠୁକୁ ସ୍ୱର,

ପ୍ରତି ପଲ୍ଲୀ ହେବ                  ମୁଖରିତ, ତାହା

ଚାହିଁବୁ କଉତୁକରେ ।

 

ଯେ ଯାହା ପିଲାଙ୍କୁ                  ନ ଦେବ ଗୃହସ୍ଥ

ଚାଉଳ ଅଥବା ଧାନ,

ବାଡ଼ି ଠୁକି ଠୁକି                  ଉଚ୍ଚେ କରୁଥିବେ

ଛେରଛେରା ଗୀତ ଗାନ ।

 

ତୁ ପାଞ୍ଚ ବରଷ                  ବାଳୁତ ସେବକ

ଧରି ସେ ବାଳକ ଦୀକ୍ଷା,

ରାଜପୁରୁଷଙ୍କ                  ଘର ଘର ଯାଇ

କରିବୁ କରୁଣା-ଭିକ୍ଷା ।

 

ଯାବତ ନ ହେବୁ                  ସିଦ୍ଧକାମ, ବାର-

ବାର କରୁଥିବୁ ଅଳି,

ପୁନରୁକ୍ତି ଦୋଷ                  ନ ଘେନିବେ କେହି

ନ ମଣିବେ କେହି କଳି ।

 

ମନେ ରଖିଥିବୁ                  ଯାବତ ପିଲାଙ୍କୁ

ମିଳି ନାହିଁ ଭଲ ବାସ,

ତାବତ ତୋହର                  ଭରି ନାହିଁ ଝୁଲି

ପୂରି ନାହିଁ ତୋର ଆଶ ।

 

୧ । ଡେବିରି-ବାବ ।

୨ । ଟୁପୁଲୀ-ବାଉଁଶ ତିଆରି ଛୋଟ ପାତ୍ର ।

୩ । ଭୁଜନୀ- ଡାହାଣ ।

୪ । କରିଆ-ଗାମୁଛା ।

 

ଧର୍ମ

(୧୯୧୮) (ମାର୍ଚ୍ଚ, ୧୯୧୮ରେ ରଚିତ ଓ ପ୍ରକାଶିତ, ଉତ୍କଳମଧୁପ)

ଧର୍ମ ଏକା ଜଗତର ଉତ୍ପତ୍ତି-କାରଣ,

ଏକା ଧର୍ମ କରିଅଛି ଜଗତଧାରଣ ।

ଅଖିଳ ଜଗତ ସେହି ଧରମେ ଚାଳିତ,

ଧରମରେ ବୃଦ୍ଧିମାନ ଧରମେ ପାଳିତ ।

 

ଧରମେ ଜନମି ଜୀବ ଧର୍ମେ ହୁଏ ବଡ଼,

ଧର୍ମଯୋଗେ ଦୈବବଳ ଲଭିଥାଏ ଜଡ଼ ।

ଜଡ଼କୁ ଆଶ୍ରୟ କରି ଜୀବନ ବିକଶେ,

ଜଡ଼ଯୋଗେ ବଡ଼ି ସୁଖେ ଜଗତେ ବିଳସେ ।

 

ସୁଖଶ୍ରୀ ସମ୍ପଦ ସଦା ବାଞ୍ଛି କରେ ଜନ,

ତହିଁ ପାଇଁ ଜଡ଼-ଧର୍ମ-ଜ୍ଞାନ ପ୍ରୟୋଜନ ।

ଜୀବଧର୍ମ ବଡ଼ଧର୍ମ ଜାଣିବା ଶକତି,

ମାନବକୁ ଦେଇଛନ୍ତି ବିଭୁ ବିଶ୍ୱପତି ।

 

ସର୍ବଧର୍ମ ସମନ୍ୱିତ ମାନବ-ଧରମ

ସ୍ୱତନ୍ତ୍ର ପ୍ରକାର ପୁଣି ତାହାର ମରମ ।

ଦେଶ-କାଳ-ପାତ୍ର-ଭେଦେ ତାର ବ୍ୟବହାର,

କଲେ ଭଲେ ଚଳିଥାଏ ମାନବ-ସଂସାର ।

 

ନିଜ ନିଜ ଧର୍ମ ଉପଯୋଗୀ ଜୀବଗଣ,

ପାଇଛନ୍ତି ଭିନ୍ନ ଭିନ୍ନ ରୂପ ଅପଘନ ।

ମାନବକୁ ଧର୍ମତତ୍ତ୍ୱବୋଧ ଦିବ୍ୟଜ୍ଞାନ

ବିଶେଷରେ ବିଶ୍ୱେଶ୍ୱର କରିଛନ୍ତି ଦାନ ।

 

ସେହି ଜ୍ଞାନ ବ୍ୟବହାର ସକାଶେ ରସନା

ମୁଖ ଆଦି ନର ଅଙ୍ଗେ ବିଶିଷ୍ଟ ରଚନା ।

ବଦନେ ବିବିଧ ବର୍ଣ୍ଣ କରି ଉଚ୍ଚାରଣ

କରେ ନର ବହୁବିଧ ଶବ୍ଦ ସଞ୍ଚାରଣ ।

 

ବାକ୍ୟ ବାନ୍ଧି ମନୋଭାବ କରି ସୁପ୍ରକାଶ,

ପରସ୍ପରେ କରିଥାନ୍ତି ଜ୍ଞାନର ବିକାଶ ।

ଜ୍ଞାନେ ପୂର୍ଣ୍ଣ ରହିଅଛି ଭଲମନ୍ଦ ଭାବ,

ଭଲ ମନ୍ଦ ଘେନେ ନର ଯା’ର ଯେ ସ୍ୱଭାବ ।

 

ସୁଜ୍ଞାନରେ ଦେବତୁଲ୍ୟ ହୁଅଇ ମାନବ,

କୁଜ୍ଞାନେ ପାଲଟିଯାଏ ଭୀଷଣ ଦାନବ ।

ମାନବର ଦେବତ୍ୱହିଁ ସଦା ବାଞ୍ଛନୀୟ,

ଦାନବତ୍ୱ ଜଗତରେ ଚରି ଲାଞ୍ଛନୀୟ ।

 

ମାନବ-ସମାଜେ ଭଲ ଜ୍ଞାନ ସଞ୍ଚାରଣ

କାରଣେ ହେଉଛି ନାନା କଥା ପ୍ରଚାରଣ ।

ବହୁ ଲୋକ ଭଲ କଥା ସଂଗ୍ରହ ସକାଶ

ମାସିକ ପତ୍ରିକାମାନ ହେଉଛି ପ୍ରକାଶ ।

 

ଭଲ କଥା ଶୁଣି ଲୋକ ହୋଇଥାନ୍ତି ଭଲ,

ଭଲ ଲୋକେ କରିଥାନ୍ତି ଜଗତ ମଙ୍ଗଳ ।

ଦୁଃଖ ତମ ନାଶ କରିଥାନ୍ତି ଭଲ ଲୋକ,

ଚୌଦିଗେ ପ୍ରକାଶ କରି ଜ୍ଞାନର ଆଲୋକ ।

 

ବିଜ୍ଞବୃନ୍ଦ ଉଚ୍ଚ ହୃଦ ପର୍ବତରୁ ଝର-

ସ୍ୱରୂପେ ପ୍ରବନ୍ଧମାନ ବହି ନିରନ୍ତର,

ପୂର୍ଣ୍ଣ କରି ଚିତ୍ରୋତ୍ପଳା ବିଶାଳ ହୃଦୟ

ବହିଯାଉ ଉତ୍କଳରେ ଅନନ୍ତ ସମୟ ।

 

ଚିତ୍ରୋତ୍ପଳା ହୃଦ ହେଉ ପବିତ୍ର ନିର୍ମଳ,

ଶାନ୍ତି ପିଇ କରୁ ନିଜ ଜୀବନ ସଫଳ ।

ଲାଗିଥାଉ ଅବିରତେ ବିବୁଧ ଅର୍ଚ୍ଚନେ

ସିଦ୍ଧବ୍ରତା ହେଉ ଲୋକ ପୀରତି ଅର୍ଜନେ ।

ଧର୍ମେ ରହୁ ମତି ପର ଧର୍ମେ ହେଉ ଗତି,

ଧର୍ମ ଏକା ହେଉ ଚିର ଜୀବନ-ସମ୍ପତ୍ତି ।

 

ସୁଭାବ ଓ ସ୍ୱଭାବ

(୧୯୧୮)

(ମାର୍ଚ୍ଚ, ୧୯୧୮, ଉତ୍କଳ ସାହିତ୍ୟ)

କୁକୁର ଗଳାରେ ଯଦି ଖଞ୍ଜିବ କେଶର,

ସିଂହ ନୋହି ଚାଟିବ ସେ ଅଇଁଠା ପତର ।

ସୁବର୍ଣ୍ଣ ଅମାରି ଯୋଗେ ମଣ୍ଡିଲେ ଶୂକର,

ସମ ହେବ ନାହିଁ ଗଜରାଜ ଶାବକର ।

 

ବରଡ଼ାଳ ଭୁଞ୍ଜି ତାର ତୃପ୍ତି ହେବ ନାହିଁ,

ତା’ ଖାଦ୍ୟ ଲୋଡ଼ିବ ଗ୍ରାମ ଉପକଣ୍ଠେ ଯାଇ ।

ଚଣ୍ଡାଳକୁମର ନାମ ହେଲେ ରାଜାରାମ,

ହୁଏ ନାହିଁ ଦାଶରଥି ସମ ଗୁଣାଧାମ ।

 

ଚୋର ଯେବେ ବସିଥିବ ଜପାମାଳି ଧରି,

ପରଧନଲୋଭ ତାର ହୃଦେ ଥିବ ଭରି ।

କିନ୍ତୁ ନୀଚ ଉଚ୍ଚ ହେବା ନିମନ୍ତେ ଶକତି,

ମାନବକୁ ଦେଇଛନ୍ତି ଜଗତର ପତି ।

 

କୁକୁର ସମାନ ନୀଚ ଥିବ ଯେଉଁ ଜନ,

ଶିକ୍ଷାଫଳେ ହେବ ନର ମଧ୍ୟେ ପଞ୍ଚାନନ ।

ଶୂକର ସମାନ ଯା’ର ଥିବ ନୀଚବୁଦ୍ଧି,

ଗାଜେନ୍ଦ୍ର ସମାନ ଭଲେ ହୋଇଯିବ ବୃଦ୍ଧି ।

 

ଚଣ୍ଡାଳ କୁଟୀରେ ଜନ୍ମ ହେଲେ କିସ ହେବ,

ସାଧୁତାରେ ନରମଧ୍ୟେ ହୋଇପାରେ ଦେବ ।

ଚୋର ଯଦି ନିରନ୍ତର ସାଧୁସଙ୍ଗ କରେ,

ଜଗତର ହିତଚିନ୍ତା ହେବ ତା’ ମନରେ ।

 

ତଥାପି ଅନେକ’ଥାନ୍ତି ସ୍ୱଭାବ ଦୁର୍ଜନ,

କରି ନୁହେ ତାଙ୍କ ପ୍ରାଣେ ସୁଭାବ ସର୍ଜନ ।

ନାନା ଶିକ୍ଷା ଦେଇ ତାଙ୍କୁ ବହୁ ଯତ୍ନ କର,

ବଳେ ନେଇ ଦିବ୍ୟ ଭାବ ହୃଦେ ତାଙ୍କ ଭର;

ଭିନ୍ନଭାବେ ଉପୁଜିବ ସୁଶିକ୍ଷାର ଫଳ,

ରହିଥିବେ ମାତ୍ର ସେହୁ ଯେ ଖଳ ସେ ଖଳ ।

 

ବିଭୁ ବନ୍ଦନା

(୧୯୧୮)
(ମାର୍ଚ୍ଚ, ୧୯୧୮, ଗୁଣ ଦର୍ପଣ, ୦୮.୦୩.୧୯୧୮ରେ ପ୍ରକାଶିତ)

ବନ୍ଦଇଁ ଚରଣେ ତୁମ୍ଭ ମଙ୍ଗଳନିଧାନ,

ମଙ୍ଗଳମୂଳକ ତୁମ୍ଭ ସକଳ ବିଧାନ ।

ଗହନ ଦହନକାରୀ ତପନ କିରଣ,

ନିତି ନିତି କରୁଅଛି ହିତ ବିତରଣ ।

 

ଘର ଗଛ ଭାଙ୍ଗେ ଯେଉଁ ପ୍ରବଳ ପବନ,

ସେ ମଧ୍ୟ ମହୀରେ କରେ ମଙ୍ଗଳ ବପନ ।

ବହୁ ଜନ୍ତୁ ପ୍ରାଣ ନିଏ ଯେ ଘୋର ବରଷା,

ସେ ଜୀବନ ଧାରଣର ପ୍ରଧାନ ଭରସା ।

 

ପାଷାଣ ପାଲଟେ ଯେଉଁ ଦାରୁଣ କାକର,

ସେହୁ ମଧ୍ୟ ଅବନୀର ମଙ୍ଗଳ ଆକର ।

ନବୁଝି କରୁଣା ତୁମ୍ଭହେ କରୁଣାମୟ,

କରୁଣା ପ୍ରବାହ ଚାହିଁ ଦୂରୁ କରୁଁ ଭୟ ।

 

ତୁମ୍ଭ କାୟା କରିବାକୁ ଉତ୍କଳେ ସଫଳ,

ଉତ୍କଳେ ଉଦିତ ପତ୍ର-ପତ୍ରିକା ସକଳ ।

ଉଇଁଥିଲା ଗଞ୍ଜାମରେ ଗୁଣ ଦରପଣ,

କରିଥିଲା ତୁମ୍ଭ ପଦେ ଭକ୍ତି ଅରପଣ ।

 

ତୁମ୍ଭ ଇଚ୍ଛାମତେ ହେଲା ତାହାର ଶୟନ,

ତୁମ୍ଭ ଇଚ୍ଛାମତେ ଏବେ ଫେଡ଼ିଛି ନୟନ ।

ନବ ବଳ ଦିଅ ନାଥ, ଭକତବତ୍ସଳ,

ନବୀନ ଉତ୍ସାହ ହେଉ ଜୀବନେ ପ୍ରବଳ ।

 

ସୁଯୋଗ ସୁବର୍ଣ୍ଣ ସେହି ଦରପଣ ସାଜି,

କରୁଣା ସିନ୍ଦୂର ଯୋଗେଦିଅ ଘଷିମାଜି ।

ପ୍ରତିବିମ୍ବରୂପେ ତୁମ୍ଭ ଶୁଭାଶିଷମାନ,

ପଡ଼ି ତହିଁ କରୁ ଉତ୍କଳ-କଲ୍ୟାଣ ।

 

ତୁମ୍ଭ ସେହି ଶୁଭାଶିଷ ହୋଇ ସୁଧାମୟ,

କରୁ ପ୍ରଜାକୁଳ ହିତ ରାଜାଙ୍କର ଜୟ ।

ଦୃଢ଼ତର ହେଉ ରାଜଧର୍ମ-ନିକେତନ,

ଉଡ଼ୁ ତହିଁ ସମ୍ରାଟ୍‌ଙ୍କ କୀରତି-କେତନ ।

 

ମହାଜନ

(୧୯୧୮) (ମଇ, ୧୯୧୮, ଉତ୍କଳ ସାହିତ୍ୟ)

ମିଥ୍ୟାବାଦୀ ପ୍ରବଞ୍ଚକ କପଟ ଆଚାରୀ,

ଅଳଂକାରବିମଣ୍ଡିତ ଉଚ୍ଚପଦଧାରୀ ।

ପରମୁଣ୍ଡ ପିଟି କରେ ବିଭବ ଅର୍ଜନ,

ତହିଁପାଇଁ କରେ ନାନା କୌଶଳ ସର୍ଜନ ।

 

ଧନଲୋଭେ ନାଶୁଥାଏ ନିରୀହଙ୍କ ପ୍ରାଣ,

ଉତ୍କୋଚର ବଳେ ପାଏ ବାରମ୍ବାର ତ୍ରାଣ ।

ବେଠିଆ ବଳରେ କରି ପ୍ରସ୍ତୁତ ପ୍ରସାଦ,

ସୁଖେ ଭୋଗ କରଥାଏ କମଳାପ୍ରସାଦ ।

 

ମୁକ୍ତକଣ୍ଠେ ସର୍ବେ ତାକୁ ବୋଲ ମହାଜନ,

ତଥାପି ସେ ଲୋକ ନୁହେ ସେ ପଦ-ଭାଜନ ।

ସତ୍ୟବାଦୀ ସୁଚରିତ୍ର ବିଶୁଦ୍ଧ ଆଚାରୀ ।

ସୁଲଭ ବସନ ତୃପ୍ତ ଅପଦ- ଭିଖାରି,

 

ପରଦୁଃଖ ହରି କରେ ଆଶିଷ ଅର୍ଜନ,

ତହିଁପାଇଁ କରେ ନାନା ଉପାୟ ସର୍ଜନ ।

ପ୍ରାଣ-ଆଶା ତେଜି ରଖେ ବିପନ୍ନର ପ୍ରାଣ,

ସତ୍‌ସାହସେ ପାଉଥାଏ ବିପଦରୁ ତ୍ରାଣ ।

 

ନ୍ୟାୟପଥେ ଅର୍ଜି କରେ କୁଟୀରେ ନିବାସ,

ପର ପରସାଦ ଲୋଭେ ନ କରେ ପ୍ରୟାସ ।

ନ କର ତାହାକୁ ପଛେ କେହି ସଭାଜନ,

ଜଗତରେ ସେହି ଲୋକ ଏକା ମହାଜନ ।

 

ଉଦ୍‌ବୋଧନ

(୧୯୧୮)
(ଜୁଲାଇ, ୧୯୧୮ ଉତ୍କଳ ସାହିତ୍ୟ)

ଭାରତ ନନ୍ଦନ            ଉଠ ହେ ବହନ

ଉପଗତ ଏବେ ଶୁଭ ସମୟ,

ଦିନ ମନ କର୍ଣ୍ଣ            ଉଚ୍ଚେ ଘନ ଘନ

ଡାକ ଆସୁଅଛି ଓଜସମୟ ।

 

ନୁହେ ତାହା ଡାକ            ଦେବତାଙ୍କ ବାକ୍ୟ

ତୁଚ୍ଛବାକ୍ୟ ନୁହେ, ଗୌରବବର,

ଦେଉଛନ୍ତି ନର-            କଳେବର ଧର

ଦେବତା ଆମ୍ଭର ଭାରତେଶ୍ୱର ।

 

ଭାରତ ଭୂପତି            ଧରମ ମୂରତି

ଯୁଗେ ଯୁଗେ ରକ୍ଷଦଳନେ ଦକ୍ଷ,

ନିଶାଚର ବଳ            ହେଲେ ପରବଳ

ଇନ୍ଦ୍ର ହିଁ ଲୋଡ଼ନ୍ତି ତାଙ୍କ ସାପକ୍ଷ ।

 

ଭାରତୀୟ ବୀର            ସଦା ପୃଥବୀର

ବକ୍ଷେ ରଖିଯାଇଛନ୍ତି କୀରତି,

ଗର୍ଭରୁ ଶିକ୍ଷିତ            ହୁଅନ୍ତି ବୀକ୍ଷିତ(୧)

ସମର-ମରଣେ ତାଙ୍କ ପୀରତି ।

 

ଜିଣିଲେ ବସୁଧା            ମଲେ ସ୍ୱର୍ଗ-ସୁଧା

ଭୋଗ କରିଥାନ୍ତି ଭାରତ ବୀର,

ନ ମିଳିଲେ ଅସ୍ତ୍ର            କୁଶ କରି ଶସ୍ତ୍ର(୨)

କରନ୍ତି ସମର ନୋହି ଅଧୀର ।

 

ନବ୍ୟ ସଭ୍ୟଦଳ            ହାସରେ କେବଳ

ଉଡ଼ାଇ ନ ଦିଏ ଏ କଥାମାନ,

ତୁମ୍ଭ ପୂର୍ବବଂଶ            ବୀରତ୍ୱର ଯଶ

ଗ୍ରୀକ୍‌ବୀରେ କରିଅଛନ୍ତି ଗାନ ।

 

ନବ ଯୁବାଦଳ            ବୀରେନ୍ଦ୍ର ବାଦଲ

ସମ ହୋଇପାର ଋଣ-ପଣ୍ଡିତ,

ସମ୍ରାଟ୍ ସକାଶ            ଭୂଷଣ ସଙ୍କାଶ

କର ହେ ଭାରତ-ବକ୍ଷ ମଣ୍ଡିତ ।

 

ରାଜା ପାଇଁ ଧନ            ଜୀବନ କି ମନ

ଦାନେ ଏତେବେଳେ ହେଲେ କୁଣ୍ଠିତ,

ବର ଏଡ଼ି ଦର-            ଭଜି ବିପଦର-

ପଦେ, ପଦେ ପଦେ ହେବ ଲୁଣ୍ଠିତ ।

 

ବ୍ରହ୍ମାଙ୍କର ଧାନ-ବିହୁଡ଼ା

(୧୯୧୮) (ଡିସେମ୍ବର, ୧୯୧୮ ଉତ୍କଳ ସାହିତ୍ୟ)

କୃଷକ ବୁଣଇ ଧାନ ଲୋକହିତ ପାଇଁ,

ହେଲେ ଫଳବାନ ଧାନ ନିଜେ ଖାଏ, ପୁଣି

ଖାଆନ୍ତି ତା’ ପରିଜନ ପାଏ ମହାଜନ

ଧାନ ନାଡ଼ ଗୋରୁ ଖାଇ ଚଷିଦିଏ ଭୂମି ।

 

୧ । ଅଭିମନ୍ୟୁ । ୨ । ଅଶ୍ୱତ୍‌ଥାମା ।

 

ଦୁଗ୍‌ଧ ଦିଏ ଗାଭୀ ସେହି କୃଷକର ହିତେ,

କୃଷକ ତହିଁରେ କରେ ସୁଖ ଅନୁଭବ ।

ବିହୁଡ଼ଇ ଧାନ ସେହି କୃଷକ ଯେ କାଳେ,

ନଷ୍ଟ ଭ୍ରଷ୍ଟ ଇତସ୍ତତଃ ହୋଇ ଗଛ ସବୁ

ଦିଶନ୍ତି ଶ୍ରୀହୀନ, କିନ୍ତୁ ହୁଅନ୍ତି ବର୍ଦ୍ଧିତ,

କ୍ରମେ ହୃଷ୍ଟପୁଷ୍ଟ ହୋଇ ଫଳନ୍ତି ବହୁତ ।

ସ୍ୱୟମ୍ଭୁ ସୃଜନ୍ତି ନର ଲୋକହିତ ପାଇଁ,

ନର ବୃଦ୍ଧି ହେଲେ ବିଧି ଲଭନ୍ତି ସନ୍ତୋଷ,

ହୁଅନ୍ତି ପାଳିତ ତାଙ୍କ ନିୟମ ସକଳ

ଲଭନ୍ତି ସନ୍ତୋଷ ପ୍ରଭୁ ପରମ ଈଶ୍ୱର ।

 

ବ୍ରହ୍ମାଙ୍କ ବଳଦ ଜ୍ଞାନ କର୍ମଭୂମି ଚଷେ

ବୁଦ୍ଧି ଗାଭୀ ଦେଇଥାଏ ମଙ୍ଗଳ-ଗୋରସ ।

ଏହି ଦୁହେଁ ଚରିଥାନ୍ତି ମାନବ କରମ,

ତହିଁରେ କମଳ-ଭବ ହୋଇଥାନ୍ତି ସୁଖୀ ।

କୈଶର ଲାଙ୍ଗଳେ ଏବେ ବିହୁଡ଼ିଲେ ବିଧି ।

ନରକୁଳ ଧାନ, ହୋଇଅଛନ୍ତି ସମ୍ପ୍ରତି

ନଷ୍ଟ ଭ୍ରଷ୍ଟ ଇତସ୍ତତଃ ଶ୍ରୀହୀନ ସକଳେ ।

ଲାଙ୍ଗଳର ଗାରେ କ୍ରମେ ହେବେ ଶୋଭାନ୍ୱିତ ।

ଲଭିବେ ଶୀତଳ ଶାନ୍ତି ନ୍ୟାୟଧର୍ମରୂପୀ ।

ପବନ ସଲୀଳ, ଏବେ ରହିବ ସେ ଜଳ ।

ଦୃଢ଼ ସଂଧି ବନ୍ଧ ଯୋଗେ ହୋଇ ଅବହିତ,

ଫଳିବ ସୁଫଳ ବିଧି ହେବେ ସିନ୍ଧକାମ ।

ଲାଙ୍ଗଳଟି ତୁନି ହୋଇ ରହିଅଛି ପଡ଼ି ।

ସମୟେ ପଡ଼ିବ ମୃତ୍ୟୁ ଚୁଲ୍ଲୀର ଗରଭେ ।

ଏଥିଲାଗି ହୋଇଗଲା ମହାଘୋର ରଣ,

ତମୋମୟ ଘନଘଟା ତୋପ ବଜ୍ରନାଦ ।

ବୋମା ବଜ୍ରପାତ, ଦୀପ୍ତଶସ୍ତ୍ର ସୌଦାମିନୀ-

ଆବିର୍ଭାବ, ଯାଇଅଛି ଏବେ ସବୁ ଚାଲି ।

ଆମେରିକା ମହାଶକ୍ତି ଶରଦାଗମନେ ।

 

ପ୍ରାର୍ଥନା

(୧୯୧୮)
(ଯୁକ୍ତ କରେ ମୁକ୍ତ ହୃଦେ.....)

ଯୁକ୍ତକରେ ମୁକ୍ତହୃଦେ ଭରି ଭକତି,

ଉତ୍କଳୀୟ ସମ୍ମିଳନୀ ମାଗେ ଶକତି ।

ବିଶ୍ୱପତି ନିଃସ୍ୱ ପ୍ରତି ସଦା ସଦୟ,

ବାଳ ଦେହେ କର ସ୍ନେହ ଶକ୍ତି ଉଦୟ ।

ଦିଅ ନାଥ କୋଟି ମନ ଗୋଟିଏ କରି,

ରେଣୁ ରେଣୁ ମିଶି ହେଉ ତୁଙ୍ଗ ଶିଖରୀ ।

ଖନ୍ଦାଖନ୍ଦି ହୋଇଉଠୁ ମନରେ ଧନ,

ଉଚ୍ଚୁ ଉଚ୍ଚତର ହୋଇ ମଣ୍ଡୁ ଗଗନ ।

ଧର୍ମବଳ କର୍ମବଳ ହେଉ ଉନ୍ନତ,

ତୁମ୍ଭ କୃପାଫଳ ମୁଗ୍‌ଧ କରୁ ଜଗତ ।

 

‘ଉତ୍କଳ-ସମ୍ମିଳନୀ’ ଉପଲକ୍ଷରେ ରଚିତ

(୧୯୧୮)

ନିଜ ଘରେ ବସି ନିର୍ବାସନ ଦୁଃଖ

ଆମ୍ଭ କି ଲଲାଟ ଲିଖନ

ମାତୃଭାଷା-ମନା ଭାଇ ସଙ୍ଗ ବିନା

ବିକଳ ହେଉଛି ଜୀବନ । ପଦ ।

 

ଗୁହାରିଲେ ଦୁଃଖ ନୃପତି ଆଗରେ,

ତଡ଼ି ଦେଉଛନ୍ତି ଛାମୁରୁ ରାଗରେ;

ନୁହେଁ ତାଙ୍କ ଦୋଷ, ବୁଝନ୍ତି ନାହିଁ ସେ

ଆମ୍ଭର କଥିତ ବଚନ । ୧ ।

 

ବିଦେଶୀ ସଦସ୍ୟ ଛନ୍ତି ନିକଟରେ,

କହି ଦେଉଛନ୍ତି ଶ୍ରବଣପଟରେ;

ହସୁଛନ୍ତି ବୋଲି ବୁଝାଉଅଛନ୍ତି

କରୁଅଛୁଁ ଯେତେ ରୋଦନ । ୨ ।

 

ପରଦେଶୁ ଆସି ପରଦେଶବାସୀ,

ଦେଉଛନ୍ତି ଆମ୍ଭ ଅନ୍ନଜଳ ଗ୍ରାସି;

ଭକୁଆ ପରାଏ ଭକ ଭକ ଚାହିଁ-

ରହିଅଛୁଁ ତାଙ୍କ ବଦନ । ୩ ।

 

ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,

ଆମ୍ଭରି ମସ୍ତକେ ଚରଣ ପ୍ରଦାନ-

କରି ଉଠୁଛନ୍ତି ସମ୍ରାଟ୍‌-ସଭାକୁ

ହରଷେ ବିକାଶି ରଦନ । ୪

 

ଆସିଅଛ ବଡ଼ ସୋଦରସକଳ,

ଦେଖି ଦଶା, କର ବୁଦ୍ଧି କଉଶଳ;

କୋଟି କଣ୍ଠେ ଗୋଟିସ୍ୱରେ ଉଚ୍ଚେ ଡାକ

କମ୍ପିଯାଉ ରାଜସଦନ । ୫ ।

 

‘ସମ୍ବଲପୁର ହିତୈଷିଣୀ’ର ନବବର୍ଷ ଉପଲକ୍ଷରେ ଲିଖିତ

ଆଜି ନବ ଦିନେ            ନବୀନ ଜୀବନେ

ହୋଇଅଛି ଉପଗତ,

ଶିରେ ଦେଇ ହାତ            ଜଣାଉଛିଁ ନାଥ

ଚରଣେ ହୋଇ ପ୍ରଣତ,

 

ଲୋକବାନ୍ଧବ ହେ-

ଦିଅ ମୋତେ ନବବଳ,

ଲୋକସେବା ବ୍ରତ            କର୍ମେ ହୁଏ ରତ

ଜୀବନ ହେବ ସଫଳ ।

 

ଉଠୁଛନ୍ତି ରବି            ଉନ୍ନତ ପଦବୀ

କ୍ଷୀଣ ହେବ ବିଭାବରୀ,

ତୁମ୍ଭ ଦତ୍ତ ଜ୍ଞାନ            ହେଉ ବର୍ଦ୍ଧମାନ

ଜାଡ଼୍ୟ ଯାଉ ଅପସରି,

 

ଜ୍ୟୋତିନିଧାନ ହେ-

ପ୍ରାଣେ ଦିଅ ଜ୍ୟୋତି-କଣା,

ତା’ ଧରି ଚଳିବି            ସଂସାରେ-ଅଟବୀ

ବିପଥେ ନ ହୋଇ ବଣା ।

 

ଦିଅ ହେ କ୍ଷମତା            ଲୋଭର ମମତା

ଲୀନ ହେବ ମୋ’ ମନରେ,

ବାଧା ଉପଗତ            ହେଲେ ସମରଥ

ହେବି ତାହା ସହନରେ,

 

ଶକ୍ତିସାଗର ହେ-

ଶକ୍ତିକଣା କର ଦାନ,

ଲୋକ-ଆରାଧନା            ପରମ ସାଧନା

କର୍ମେ ହେବି ଶକ୍ତିମାନ ।

 

ବାଳକର ଖଡ଼ୀ-            ଗାରମାନ ପଡ଼ି-

ଗଲେ ପଣ୍ଡିତ ନୟନେ,

ଅକ୍ଷର ବାହାର            କରନ୍ତି ତାହାର

ଅଜ୍ଞତା ନ ଘେନି ମନେ,

 

ବୁଧ ବାଞ୍ଛିତ ହେ-

ବୁଧ-ହୃଦେ କରି ବାସ,

ମୋ’ ସେବାର ଦୋଷ      ମଧ୍ୟରେ ସନ୍ତୋଷ

ଦେଖାଅ ତୋଷ ବିଳାସ ।

 

ଭିକ୍‌ଟୋରିଆ ସ୍ତବ

(୧୯୧୯)

ଯା’କୀର୍ତ୍ତି-ଲତିକା-ପ୍ରସୂନ-ସୁରଭି

ସଞ୍ଚାର ଦିଙ୍‌ମଣ୍ଡଳେ,

ଯା’ ମୂର୍ତ୍ତି ପରମୋପକାରିଣୀ ସଦା

ପୂଜିତ ପୃଥ୍ୱୀତଳେ,

ଯା’ କାନ୍ତି ଅକଳଙ୍କ ଚନ୍ଦ୍ର ସଦୃଶୀ

ବିଦ୍ୟାରେ ଯେ ଭାରତୀ,

ହେଉନ୍ତୁ ଚିରଜୀବିନୀ ମହୀତଳେ

ଭିକ୍‌ଟୋରିଆ ଶ୍ରୀମତୀ । ୧ ।

 

ରାଜ୍ୟ ଯା’ର ବିରାଜଇ ଦିନପତି

ରାତ୍ରିଦିବା ସନ୍ତତେ,

କାର୍ଯ୍ୟେ ଯା’ର ସହାୟକ ଜଳନିଧି

ଅଗ୍ନି-ମରୁତ୍ ସଙ୍ଗତେ,

ଲକ୍ଷ୍ମୀ ଯା’ ସଦନେ ମହାମୁଦମନେ

ସ୍ଥିରେ କରନ୍ତି ସ୍ଥିତି,

 

ହେଉନ୍ତୁ ଚିରଜୀବିନୀ ମହୀତଳେ

ଭିକ୍‌ଟୋରିଆ ଶ୍ରୀମତୀ । ୨ ।

 

ଆଟ୍‌ଲାଣ୍ଟିକ ମହାସମୁଦ୍ର ଭିତରେ

ୟୁରୋପ ପଶ୍ଚିମରେ,

ବ୍ରିଟିଶ୍ ଦ୍ୱୀପ ନାମରେ ଧରଣୀରେ

ସୁଖ୍ୟାତ ଇଂଲଣ୍ଡରେ,

ସ୍ୱସ୍ଥାନ ପୁରୁହୂତପୁର, ଅକାଳ-

ପୁରୀକୁ ନିନ୍ଦେ ନିତି,

ହେଉନ୍ତୁ ଚିରଜୀବନୀ ମହୀତଳେ

ଭୀକ୍‌ଟୋରିଆ ଶ୍ରୀମତୀ । ୩ ।

 

ଗଙ୍ଗା, ଗୋମତୀ, ଘର୍ଘରା, ସରିଦ୍‌ବରା-

ଗୋଦାବରୀ, ନର୍ମଦା,

ପ୍ରଜାହିତାର୍ଥରେ ତ୍ୱରିତ ପ୍ରବାହିତା

ଯା’ ରାଜ୍ୟରେ ସର୍ବଦା,

ସେବନ୍ତି ନୀରଦାନରେ ନିରତରେ

ଯା’ନାମେ ଗାଇ ଗୀତି,

 

ହେଉନ୍ତୁ ଚିରଜୀବିନୀ ମହୀତଳେ

ଭୀକ୍‌ଟୋରିଆ ଶ୍ରୀମତୀ । ୪ ।

 

ବିଦ୍ୱନ୍‌ମଣ୍ଡଳପାଳିନୀ ସତତରେ

ଦସ୍ୟୁମୂଳୋତ୍ପାଟିନୀ,

ପୂର୍ଣ୍ଣେନ୍ଦୁ ସମରେ ପ୍ରଜାକୁମୁଦରେ

ଆନନ୍ଦ-ଉତ୍ପାଦିନୀ

ଏତଦ୍ ପ୍ରାର୍ଥନୀୟ ଜଗତ୍‌ପତି ପଦା-

ମ୍ଭୋରୁହ ଯୁଗ୍ମେ ନିତି,

ହେଉନ୍ତୁ ଚିରଜୀବିନୀ ମହୀତଳେ

ଭିକ୍‌ଟୋରିଆ ଶ୍ରୀମତୀ । ୫ ।

 

ଏହି କବିତାଟି ମହାରାଣୀ ଭିକ୍‌ଟୋରିଆଙ୍କ ଜୟନ୍ତୀଉତ୍ସବରେ ଲିଖିତ ହୋଇଥିଲା; କିନ୍ତୁ ଏହାର ପୂର୍ଣ୍ଣାଂଶ ନ ମିଳିବାରୁ ଲୋକମୁଖରୁ ଯେତିକି ସଂଗୃହୀତ ହୋଇପାରିଲା ଦିଆଗଲା ।

 

ଉତ୍କଳ-ଗୌରବ

(୧୯୧୯)
(ଅକ୍ଟୋବର-ଡିସେମ୍ବର, ୧୯୧୯, ହରାଖଣ୍ଡ)

ଜନ୍ମଦାତ୍ରୀ ମାତୃଭୂମି ପୁଣ୍ୟକୀର୍ତ୍ତିଶାଳିନୀ,

ପାପତାପଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ ।

ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ,

ପାଦସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ ।

ଶାନ୍ତ ଗାତ୍ରୀ କାନ୍ତ କୁଞ୍ଜ-ପୁଞ୍ଜ ଶୈଳବର୍ଗରେ,

ଚାହିଁ ମୁଗ୍‌ଧ ଥାଇ ଲୁବ୍‌ଧ ସ୍ୱର୍ଗବାସୀ ସ୍ୱର୍ଗରେ ।

ଶୂନ୍ୟ ଶଙ୍କେ ପୁଣ୍ୟ ଅଙ୍କେ କୋଟି ପୁତ୍ରଧାରିଣୀ

ପୁଷ୍ପମାଳେ ଶସ୍ୟ ଜାଲେ ତୁଷ୍ଟ ପୁଷ୍ଟକାରିଣୀ ।

ଶୁଭ୍ରଫେଣୀ କୃଷ୍ଣବେଣୀ ବକ୍ଷେ ତାରବାହିନୀ,

କାନ୍ତ ବର୍ଣ୍ଣ ଶୁଦ୍ଧ ସ୍ୱର୍ଣ୍ଣ ବଜ୍ରଖଣ୍ଡଦାୟିନୀ ।

ପାଣି ନାମ ଅମୃତ ତା’ ବାଣୀଧାମ ସଂସ୍କୃତ,

ଅନ୍ନ ତାର ଆର୍ଯ୍ୟାବର୍ତ୍ତୁ ଲଙ୍କାଯାଏ ସତ୍କୃତ ।

ଭ୍ରାତୃବର୍ଗ ଆଜି ସ୍ୱର୍ଗ ସେବ୍ୟ ମାତୃ-ସଦ୍ମରେ,

କୋଟି ଚିତ୍ତଗୋଟି ବାନ୍ଧି ଲୋଟି ପାଦପଦ୍ମରେ;

 

ମାଗିଭିକ୍ଷା ନେଉଁ ଦୀକ୍ଷା ଥାଇ ପ୍ରେମବନ୍ଧନେ,

ଭାଗ୍ୟଭାଗୀ ହେଉଁ ଜାଗିଲାଗି ଦୁଃଖଖଣ୍ଡନେ ।

ଜ୍ଞାନେ ମଗ୍ନ କର୍ମେ ଲଗ୍ନ ହେଲେ ହେବ ସତ୍ୱର

ସର୍ବବିଘ୍ନ ଗର୍ବଭଗ୍ନ ଋଦ୍ଧି ବୃଦ୍ଧି ସତ୍ୱର ।

ଏକ ଭେକ ଏକ ଟେକ ଦୂରେ ଫିଙ୍ଗୁ ପାର୍ଥକ,

ନୀଳଶୈଳ ସାମ୍ୟନୀତି ପ୍ରାଣେ ହେଉ ସାର୍ଥକ ।

 

ହୀରାଖଣ୍ଡର ଜନ୍ମ

(୧୯୧୯) ହୀରାଖଣ୍ଡ

(୧)

ଶୁଭ ଆଜ୍ଞା ହେଉ ମଙ୍ଗଳମୟ,

ଅବନୀର ହେଉ ମଙ୍ଗଳୋଦୟ,

ତବ କୃପାକରେ            ତିମିର ପରାଏ

ଦୂର ହୋଇଯାଉ ଦୁରିତଚୟ ।

 

(୨)

ଲାଜେ ସଢ଼ିଲୁଣି ନ ପାଇ ବାସ,

ଅନ୍ନ ବିନା ପ୍ରାଣ ହେଉଛି ନାଶ,

ହଟହଟା ସହି            କଲବଲ ହୋଇ

ରହିଅଛୁଁ କରି ଶ୍ରୀପଦେ ଆଶ ।

 

(୩)

ହେଲାଣି ଅବନୀ ଅତି ବିକଳ,

ସହିବାକୁ ଆଉ ନାହିଁକି ବଳ,

ଏଥିରୁ ଅଧିକ            ହେଲେ ମହାବାହୁ,

କୃପାମୟ ନାମ ହେବ ବିଫଳ ।

 

(୪)

ଦିଶିଲାଣି ତୁମ୍ଭ କୃପାଲକ୍ଷଣ,

ନିବୃତ୍ତ ହେଲେଣି ଦୁର୍ବୃତ୍ତଗଣ,

ଦାନବ-ଗରବ            ହେଲାଣି ଖରବ

ଉଠିଲାଣି ନଭେ ଶାନ୍ତି-କେତନ ।

 

(୫)

ତପତ ଜୀବନେ ଦେବାକୁ ଜଳ

ଉଠିଲେଣି ନଭେ ଘନପଟଳ,

ତୁମ୍ଭ କୃପା ଘେନି            ବରଷି ଅବନୀ-

ଅପଘନ କରୁଅଛି ଶୀତଳ ।

 

(୬)

ନିର୍ବାଣ ହେଲାଣି ଦାବ ଦହନ,

ଶାନ୍ତି ଲଭିଲେଣି ଗିରି ଗହନ,

କଦମ୍ବ କେତକୀ            କୂଟଜ ଯୂଥିକା

କଲେଣି କୁସୁମ-ଶିରୀ ବହନ ।

 

(୭)

ତୁମ୍ଭ କୃପା ଲଭି ତୁମ୍ଭ ଆଦେଶେ,

‘ହୀରାଖଣ୍ଡ’ ହୀରାଖଣ୍ଡ ପ୍ରଦେଶେ,

ଲଭିଛି ଜନମ            ତୁମ୍ଭର ଧରମ

ପ୍ରଚାରିବା ପାଇଁ ନବୀନ ବେଶେ ।

 

(୮)

ତୁମ୍ଭର ମହିମା କରି ସ୍ମରଣ,

ଉତ୍କଳ-ମଣ୍ଡଳ ମାନବଗଣ,

ରଥଯାତ୍ରା ସହ            ତା’ ଜନ୍ମ ଉତ୍ସବେ

ମାତି କରୁଛନ୍ତି ମୁଦ ବର୍ଦ୍ଧନ ।

 

(୯)

ଶଙ୍ଖ ଘଣ୍ଟା ତାଳ ମୃଦଙ୍ଗ ନାଦ,

ବଣ୍ଟନ କରୁଛି ତବ ପ୍ରସାଦ,

ଟାଣୁଛନ୍ତି ଲୋକେ            ରଥର ଦଉଡ଼ି

କରେ, ହୃଦେ ଧରି ତୁମ୍ଭର ପାଦ ।

 

(୧୦)

ଜୟ ଜଗଦୀଶ ଶିବ-ନିଧାନ,

ହୀରାଖଣ୍ଡ ତବ ଶିବ ବିଧାନ-

ବିତରଣେ ହେଉ             ସମରଥ, କର

ତାକୁ ଜ୍ଞାନ ଆୟୁ ଶକତି ଦାନ ।

 

ଶାନ୍ତି ସଂଗୀତ

(୧୯୧୯)
(ଜୁଲାଇ, ୧୯୧୯, ହୀରାଖଣ୍ଡ)

ଜୟ ଜଗଦୀଶ ଧର୍ମ ସ୍ୱରୂପ

ଧର୍ମେ ତୁମ୍ଭ ଉଦୟ ହେ,

ଧର୍ମ ପ୍ରତାପ ଖଳ ପାପତାପ

ବଳକୁ ନ କରେ ଭୟ ହେ । ଘୋଷା ।

ହେଉ ମହାପାପ ଯେତେ ଭୀଷଣ

ଦେଉ ମହାପ୍ରାଣେ ଯେତେ କଷଣ,

କାଳ ଅନୁସରି                  ସବୁ ଧ୍ୱଂସ କରି

କର ଧର୍ମର ଜୟ ହେ । ୧ ।

 

ଚାରିବର୍ଷ କାଳ କି ଭୟଙ୍କର

ଜର୍ମ୍ମାନୀ ଦେଲା ଦୁଃଖନିକର,

ମହାପାପାନଳ                  ଧର୍ମ ମହାଜଳ

ନିଧିରେ ଳଭିଲା ଲୟ ହେ । ୨ ।

 

ବ୍ରିଟିଶ୍ ସମ୍ରାଟ୍ ଧର୍ମବଳେ

ରିପୁ ଦର୍ପ ହରି ମହୀମଣ୍ଡଳେ

ଥାପିଲେ କୀରତି                  ଅକ୍ଷୟ ମୂରତି

କାନ୍ତି ଯା’ର ଶାନ୍ତିମୟ ହେ । ୩ ।

 

ଜର୍ଜ ପଞ୍ଚମ ଆମ୍ଭ ସମ୍ରାଟ୍

ଧର୍ମ-ମହିମା ତାଙ୍କ ବିରାଟ

ପାଳନ୍ତୁ ପୃଥିବୀ                  ହୋଇ ଚିରଜୀବୀ

ନିରାପଦ ନିରାମୟ ହେ । ୪ ।

 

ଧର୍ମର ଜୟ ଗାଅ ହେ ଭାଇ,

ଶାନ୍ତି ଶୀତଳ ଛାଇରେ ଥାଇ,

ସମ୍ମିଳନ ବର                  ପାଇବା ଏଥର

ଓଡ଼ିଆମାନେ ନିଶ୍ଚୟ ହେ । ୫ ।

 

ପ୍ରାର୍ଥନା

ଜୟ ଜୟ ଜଗନ୍ନାଥ କରୁଣାସାଗର,

ଜୟ ହେ ମଙ୍ଗଳମୟ ବିଶ୍ୱହିତକର ।

ବିଶ୍ୱରୂପୀ, ବିଶ୍ୱବ୍ୟାପୀ, ବିଭୁ ବିଶ୍ୱମ୍ଭର,

ଇଙ୍ଗିତେ ଚଳଇ ତୁମ୍ଭ ବିଶ୍ୱଚରାଚର ।

ଜ୍ଞାନମୟ ଜ୍ଞାନରୂପେ ଜ୍ଞାନିହୃଦବାସୀ,

ସତ୍ତା ଦେଖାଉଛ ପ୍ରାଣରୂପେ ପରକାଶି ।

ଶିଶୁ ପାଇଁ ତୁମ୍ଭେ ପିତାମାତା ଅବତାର;

ତରୁଣରେ ହୁଅ ଜ୍ଞାନ ସ୍ୱରୂପେ ସଞ୍ଚାର ।

ଯେ ଯେତେ ଭଜଇ ତୁମ୍ଭ ଜ୍ଞାନରୂପ-ପାଦ,

ଲଭଇ ସେ ଜନ ସେତେ ଅମୂଲ୍ୟ ପ୍ରସାଦ ।

ଭୀଷଣ ଦୁସ୍ତର ଭବ-ସିନ୍ଧୁ ପାର ପାଇଁ,

ଭିଆଇଛ କର୍ମରୂପ ନାବ ବିଶ୍ୱସାଇଁ !

ବୁଡ଼ାଇ କୁକର୍ମ-ନାବ ଦୁଃଖ-ତରଙ୍ଗରେ,

ସୁକର୍ମ-ନଉକା ଲାଗେ ସୁଖ-ସାମ୍ରାଜ୍ୟରେ ।

ଦୁଃଖଯନ୍ତ୍ରଣାକୁ ଲାଗୁଅଛି ବଡ଼ ଡର,

ଦୀନବନ୍ଧୋ ! ଜଣାଉଛି ଏଣୁ ଯୋଡ଼ି କର,

 

ସୁକର୍ମ-ନାବରେ ଦେଇ ଭାଗ୍ୟ –କର୍ଣ୍ଣଧାର,

ଦୟାବହି ଦୟାନିଧେ, କର ମୋତେ ପାର ।

ବନ୍ଧୁରୂପେ ତୁମ୍ଭେ ତହିଁ ଅନୁକୂଳ ବାତ,

ହେବାକୁ କୁଣ୍ଠିତ ନୁହ ବ୍ରହ୍ମାଣ୍ଡର ତାତ ।

ନିଃସ୍ୱାର୍ଥ ପୁଲିନେ ବୁଲି କରିବି ସଞ୍ଚିତ-

କୀରତି ରତନରାଶି, ହେଉଛି ମୋ’ ଚିତ୍ତ ।

ତୁମ୍ଭର କରୁଣା ହେବ ଯଦ୍ୟପି କିଞ୍ଚିତ,

ହେବି ନିଶ୍ଚେ କୃତକାର୍ଯ୍ୟ ନ ହୋଇ ବଞ୍ଚିତ ।

 

Unknown

ପ୍ରଭାତ-ପ୍ରାର୍ଥନା

ଦୀନବନ୍ଧୁ ଦୀନଶରଣ,

ଧନ୍ୟନାଥ ରାତି            କରିଛ ଅରାତି

ଭୟଚୟ ମୋର ହରଣ ।

 

ଏବେ ଚକ୍ଷୁ ଫେଡ଼ି            ଦେଇଅଛ ଛାଡ଼ି

ଚଳିବାକୁ ନିଜ ମନରେ,

ପୂର୍ବ କଥାମାନ            କଲ ବିଦ୍ୟମାନ

ପୁଣି ମୋ’ ସ୍ମୃତି-ସଦନରେ । ୧ ।

 

ଦେବ ବିଭାବସୁ            ନିଜ ଭାବବଶୁ

ଉଠି ଆସୁଛନ୍ତି ଗଗନ,

ଉଠିବାର ଶେଷେ            ଖସି ବିଧିବଶେ

ଅସ୍ତ-ନଗେ ହେବେ ମଗନ । ୨ ।

 

ଏହି ଦିନ ମଧ୍ୟେ            ଏହି ଦୀନ ମଧ୍ୟେ

ଥାଇ ନାଥ ଦିଅ ସୁପଥ,

ତୁମ୍ଭରି କାମନା            କରିବି ସାଧନା

କହୁଅଛି କରି ଶପଥ । ୩ ।

 

କୃତ କଥାମାନ            ହୋଇ ସାବଧାନ

ସ୍ମରଣ-ସଦନେ ଥୋଇବି,

ପୁଣି ତୁମ୍ଭ କୋଳେ            ପଡ଼ିଯିବି ଭୋଳେ

କୃପାଜଳେ ପାଦ ଧୋଇବି । ୪ ।

 

କରିଛି ଯେ ପାପ            କରି ଅନୁତାପ

ଦେଉଅଛୁଁ କୃପା-ଭିଖାରି,

ସେ ପଥେ ଗମନ            କରିବାର ମନ

ନ ଦିଅ କରୁଣାବିହାରି । ୫ ।

 

ଗୁରୁଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର,

ଯୋଗ୍ୟ ସେହି ପାଇବାକୁ ଗୁରୁ-ବ୍ୟବହାର ।

ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ,

ନିଜକୁ ଗଣଇ ଜ୍ଞାନୀ, ସଦା ଶିଷ୍ୟମତେ ।

ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ,

ମାନବକୁ ଦେଇଥାଏ ନିତି ଉପଦେଶ ।

ଯାହା ଦେଖ ଅଛି ତହିଁ ଶିଖିବାର କଥା,

ତହୁଁ ଶିକ୍ଷା ଲଭେ ଜ୍ଞାନୀ ନତ କରି ମଥା ।

ଯେ ଦିନୁ ମାନବଜାତି ସମ୍ଭୁତ ଜଗତେ,

ସେଦିନୁ ଚାଲିଛି ତା’ ଶିକ୍ଷା ଅବିରତେ ।

ଯାବତ ନହେବ ନର ଅବନୀରେ ଲୀନ,

ଶିଖିବା ବିଷୟ ତାର ଅଛି ତେତେ ଦିନ ।

ଯେ ଲୋକ ମନରେ ପୋଷା ଗୁରୁ-ଗଉରବ

ସେ ଗରବେ ଜ୍ଞାନ ତାର ହୁଅଇ ଖରବ ।

ନିଜକୁ ସେ ନିରନ୍ତର ଶିଷ୍ୟରୂପେ ଗଣେ,

ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ ।

 

ଅମୂଲ୍ୟ ଓ ମୂଲ୍ୟବାନ

ଅମୂଲ୍ୟ ପଦାର୍ଥ କରେ ଲୋକ ଉପକାର,

ମୂଲ୍ୟବାନ୍ ପାଇଥାଏ ଲୋକେ ଉପଚାର ।

ମୂଲ୍ୟବାନ୍ ରହେ ଲୋକେ ସୁପ୍ରୀତୀ ବାଦରେ,

ଅମୂଲ୍ୟ ନ ଥାଏ କେବେ ତା’ ପ୍ରତିବାଦରେ ।

ଗୁଣବଳେ ନ ହେଲେହେଁ ଅମୂଲ୍ୟ ସମାନ,

ମୂଲ୍ୟଗୁଣେ ମୂଲ୍ୟବାନ୍ ଲଭଇ ସମ୍ମାନ ।

ଅମୂଲ୍ୟର ମୂଲ୍ୟ ନାହିଁ ଗୁଣ ଅନୁସାରେ;

ତା’ ଯୋଗ୍ୟ ଆଦର ତେଣୁ ନ ହୁଏ ସଂସାରେ ।

ଅମୂଲ୍ୟ ଅତୁଲ୍ୟ ହିତକର ରବିକର,

ଲୋକେ କରି ନ ପାରନ୍ତି ତା’ ଯୋଗ୍ୟ ଆଦର ।

କିନ୍ତୁ ବହୁମୂଲ୍ୟ ଦେଇ ବିବିଧ ଆଲୋକେ,

ରଜନୀରେ ଆଲୋକିତ ହୋଇଥାନ୍ତି ଲୋକେ,

କ୍ଷଣେ ବାୟୁ ବିନା ପ୍ରାଣ ହୁଏ କଲବଲ,

ତା’ ମୂଲ୍ୟକୁ ଧନ ନାହିଁ ଲୋଡ଼ା କଳ ବଳ ।

ବ୍ୟଜନେ ନିମନ୍ତେ ହୁଏ ଧନ ପ୍ରୟୋଜନ,

ତା’ ଘେନି ବ୍ୟଜନ ହୁଏ ଆଦରଭାଜନ ।

ମୂଲ୍ୟବାନ୍ ଲୋକ ବସେ ରାଜଦରବାରେ,

 

ଅମୂଲ୍ୟ ପ୍ରଜାଏ ଦୂରେ ରହନ୍ତି ବାହାରେ ।

ଅମୂଲ୍ୟ ପଦାର୍ଥ ଯହିଁ ହୁଏ ଉପଗତ,

ସରିଯାଏ ତହିଁ ମୂଲ୍ୟବାନ୍‌ର ମହତ ।

ମୂଲ୍ୟକ୍ରୀତ ଦ୍ରବ୍ୟ କରେ ଗୃହ ଅଧିକାର,

ଅମୂଲ୍ୟ ଅକ୍ରେୟ ଗଲେ ମନାହୁଏ ଦ୍ୱାର ।

 

ମନପ୍ରତି

ମନ, ଭ୍ରମୁଛୁ କାହିଁକି ରେ

ନିଜେ ଧନେ କରି ହେଳା,

ଭବସିନ୍ଧୁ ଖେଳା ତେଜି ଧର ବେଳା-

ଥାଉଁ ଏ ଜୀବନ-ଭେଳା ।

ଭୂତରୁ ଜନମି            ଅଭୂତରେ ଭ୍ରମି-

ପାରିବା ତୋ’ ଅଧିକାର,

ଭୂତ ପାଇଁ ଶ୍ରମୀ            ନୋହି ଅତିକ୍ରମି

ଯାଇ ଧର ଅବିକାର । ୧ ।

 

ଭାବ ହୋଇ ଧୀର            ଭୂତ ଧନ ଚିର-

ସ୍ଥାୟୀ ନୁହେ ଜଗତରେ,

ନିଜେ ହୋଇ ବୀର            ଟାଣ ପୃଥିବୀର

ଯଶ-ଧନ ନିରନ୍ତରେ । ୨ ।

 

ଯେତିକି ଟାଣିବୁ            ତେତିକି ଜାଣିବୁ

ହେଉଥିବ ବରଧନ,

ଅମର ଅକ୍ଷୟ            ତା’ ପରି ନିଶ୍ଚୟ

ନାହିଁଟି ଅପର ଧନ । ୩ ।

 

ଭୂତ ଧନେ ବଦ୍ଧ            ହୋଇଥିଲେ ଗଧ

ପରି ରହିଥିବୁ ବହି,

ବୁଡ଼ିଗଲେ ନାବ            ତୁଟିଯିବ ଭାବ

କେହି ନ ପାରିବ ରହି । ୪ ।

 

ତୋ’ ଆଦେଶମତେ      ଇନ୍ଦ୍ରିୟ ସମସ୍ତେ

କରନ୍ତି ନିଜ କରମ,

ତୁ ନିଜ କରମ            ନ କଲେ ଭରମ

ସହିବନି କି ଧରମ ।

 

ଧନପ୍ରତି

ଧନ, ନୀରବେ ଆସିବୁ ରେ

ଗରବ ନ ଦେବୁ ମନେ,

ବିରତ ନ କରି ଅବିରତ ଥିବୁ

ବିବେକ ଅନୁଗମନେ ।

ପଡ଼ିଲେ ତୋ’ ପାଦ            ଦେବି ଧନ୍ୟବାଦ

ତୋଷିମି ମୁଁ ସମାଦରେ,

କିନ୍ତୁ ଏ ଜଗତେ            ଅନ୍ୟକୁ ବା ମତେ

ନ ପେଲିବ ପ୍ରମାଦରେ

 

କରୁଛିଁ ଆୟାସ            ହସି ହସି ଆସ

ହସାଇ ଆସିବା ଭଲ,

ରସାଇବୁ ନାହିଁ            ଭସାଇବା ପାଇଁ

କରିବୁ ନା କଲବଲ । ୨ ।

 

ବଢ଼ାଇବୁ ଶାଖା            ତହିଁରୁ ପ୍ରଶାଖା

ହେଉଥିବୁ ପଲ୍ଲବିତ;

କୁ-ସ୍ଥାନ ନ ଯିବୁଁ            କୁତ୍ସା ନ ଅର୍ଜିବୁ

ନ ହେବୁ ଅପହ୍ନବିତ । ୩ ।

 

ଯଶ ଆହରଣେ            ବିପଦହରଣ

ନ ହେବୁ ଗତିକୁଣ୍ଠିତ,

ନୋହି ମୋର ଗୁରୁ            ହେଉଥିବୁ ଗୁରୁ

ଭାବରେ ଅବଗୁଣ୍ଠିତ । ୪ ।

 

ଗୁଣ ଅରଜନେ            ଗୁଣ ସରଜନେ

ନ ଦେଖିବୁ ନିଜ ପର,

ଗୁଣ ସଙ୍ଗେ ମିଶି-            ଗଲେ ଦିଶି ଦିଶି

ଦିଶିବୁ ହୋଇ ଅମର । ୫ ।

 

ଆତ୍ମକଥା

ପାପ କରିବାକୁ ଯିବି କାହିଁକି ?

ବାପ ଯା’ ଅଛନ୍ତି            ଜଗତର ପତି

କେଉଁ କଥା ତାର ନାହିଁ କି ?

ପଞ୍ଚ-ମହାଭୂତ            ଘେନି ମୁଁ ଜନିତ

ସେ ଭୂତ ପୋଷଣ ପାଇଁ କି,

ସଦା ମୋ’ ସକାଶେ      ଅବନୀ ଆକାଶେ

ସବୁ ନୁହେ ଚିରସ୍ଥାୟୀ କି ?

 

ଥାଉଁ ଶତ ଶତ            ଆଲୋକିତ ପଥ

ଅନ୍ଧାରିତ ପଥେ ଧାଇଁ କି,

ସାଧୁ ଶୁଭାଶିଷ            ଏଡ଼ି ଆଶୀବିଷ-

ଗରଳ ଲୁଚାଇ ଖାଇ କି ?

 

ବହୁ ସଦାଚାର            ଥାଉଁ କଦାଚାର

ନିକଟକୁ ମନ ଯାଇ କି,

କରି ଅରଜନ            ପୋଷି ପରିଜନ

ଥିଲେ କିଛି ଦୁଃଖ ଥାଇ କି ?

 

ପାଇଛି ସୁମନ            ତୋଷିବି ସୁମନ

ଦୁଷ୍ଟ ସେବି ହେବି ବାଇ କି,

ନିଜେ କଲେ ପାପ            ନିଜଲଭ୍ୟ ତାପ

ଜନକ ତହିଁରେ ଦାୟୀ କି ?

 

ଅର୍ଚ୍ଚନା

ଜୟତୁ ଜୟ ଶଶି ମଣ୍ଡନ

ଦୁଃଖ ଦୁରିତ ତାପ ଖଣ୍ଡନ

ଜୟ ବିପଦହାରୀ            କଇଲାସ ବିହାରୀ

ସୁର ସରିତ ଶିରେ ରଞ୍ଜନ ।

ପ୍ରଚଣ୍ଡ ବିଷଧର            ସର୍ବାଙ୍ଗେ ଭୟଙ୍କର

ରିପୁ ଦର୍ଦୁର ଦର୍ପ ଗଞ୍ଜନ । ୧ ।

 

ଭୀମରୁଦ୍ର ମହେଶ            ଯୋଗୀନ୍ଦ୍ର ବ୍ୟୋମକେଶ

ଦବଳ ତନୁ ଦିଗବସନ,

ହିମାଦ୍ରି-ସୁତାକାନ୍ତ            ତୁମ୍ଭପଦ ଏକାନ୍ତ

କରୁ ମୋ’ ହୃଦପଦ୍ମେ ଆସନ । ୨ ।

 

ଭୁଜେ ତୀକ୍ଷ୍‌ଣ ତ୍ରିଶୂଳ      ଭକତ ଅନୁକୂଳ

ପାତକୀ ପାପପୁଞ୍ଜ ମର୍ଦ୍ଦନ

ନିଜେ ମାଖି ବିଭୂତି            ଜନେ ଦିଅ ବିଭୂତି

କରନ୍ତି ସୁରାସୁର ବନ୍ଦନ । ୩ ।

 

ତୁମ୍ଭେ ତ ସଦାଶିବ            କର ମୋ’ ସଦା ଶିବ

ପଦକମଳେ ଗଲି ଶରଣ ।

ଅଭୟ ମୃତ୍ୟୁଞ୍ଜୟ            ଦିଅ ହୋଇ ସଦୟ

ମାଗୁଛି ଗାଢ଼େ ଧରି ଚରଣ । ୪ ।

 

ଗଣେଶପୂଜା

ଅଭ୍ୟୁଦୟଦାୟୀ ଗଣେଶ ଗୋସାଇଁ

କର ଆମ୍ଭ ପୂଜା ଗ୍ରହଣ

ହୃଦ-ଦୁର୍ବଳତା ମନର ନୀଚତା

ଉତ୍ସାହରେ କର ହରଣ ।

 

ଆଳସ୍ୟ ବିସାଳ ସୁଖାଭିଳାଷ,

ଅଧ୍ୟବସାୟରେ ହେଉ ବିନାଶ,

ପଠନ ମନନ ଜ୍ଞାନ ଅରଜନ

କର୍ମେ ଲାଗୁ ଅନ୍ତଃକରଣ ।

 

ପିଲାଙ୍କ ପାଇ ରଚିତ

ପାପ-ପଥ ଦିଗେ ଚାହିଁଲେ ମତି,

ଅଗ୍ରେ ଉଭା ହୋଇ ରୋଧିବ ଗତି,

ଧରି ଭୟଙ୍କର ପ୍ରାଣ-ଦମ୍ଭହର

ତ୍ରିଶୂଳ ତୀକ୍ଷ୍‌ଣ ପ୍ରହରଣ ।

 

ସଦା ଆମ୍ଭ ଧ୍ୟାନ ଆଗରେ ରହି,

ଦେଉଥାଅ ଜ୍ଞାନ ସରଣୀ କହି ।

 

ଶୁଣ୍ଢେ ଦିଅ ଭାଜି କୁଭାବନରାଜି

ଦନ୍ତେ କର ଲୋଭ ଦାରଣ ।

 

କରୁଅଛୁ କର ଯୋଡ଼ି ଭକତି,

ହୃଦେ ଦିଅ ତୁମ୍ଭ ଶୁଣ୍ଢ ଶକତି,

ତୁମ୍ଭର ଦଶନ ବଳ ଦିଅ ମନ

କରୁ ଏକାଗ୍ରତା ଧାରଣ ।

 

ତୁମ୍ଭର ଦଶନ ବଳ ଦିଅ ମନ

କରୁ ଏକାଗ୍ରତା ଧାରଣ ।

ତୁମ୍ଭେ ତ ସକଳ ସିଦ୍ଧନାୟକ,

ଦୟା ବହି ହୁଅ ସିଦ୍ଧିଦାୟକ,

ଦିଅ ତୁମ୍ଭ ଦୀକ୍ଷା ଅନୁରୂପ ଶିକ୍ଷା

ଅଜ୍ଞାନ-ଜଳଧି-ତାରଣ ।

 

ରଞ୍ଜୁ ଅଛୁ ଅନୁରାଗ ସିନ୍ଦୂରେ,

ବସ ଆମ୍ଭ କ୍ଷୁଦ୍ରସେବା ଇନ୍ଦୁରେ,

ଜଡ଼ତା-ଭୂଧର-ପୃଷ୍ଠେ ବିଜେ କରି

କର ଆଶିଷ ଉଚ୍ଚାରଣ ।

 

ରାଜମିଳନ

(ଢାଳେ ତ ଢାଳିଲୁ ନାହିଁ କୃପା- ସୁଧାଝରି କି ରେ-ବୃତ୍ତ)

ଶୁଭେ ଆଜ ହୋଇଅଛି ରାଜେ ରାଜ-ସମ୍ମିଳନ

ଦଇବ ଘଟାଇ ଅଛି ସଂଯୋଗ

ମଣି କାଞ୍ଚନ । ଘୋଷା ।

ଦେଖ ଦେଖ ଏହିଠାରେ ସଫଳ ନୀତିବଚନ,

ସିଂହେ ସିଂହ ସମାଯୁକ୍ତ,

ଗଜରେ ଗଜ ବନ୍ଧନ । ୧ ।

ଚନ୍ଦନେ ଚନ୍ଦନ ତରୁ କରୁଅଛି ଆଲିଙ୍ଗନ,

ପରସ୍ପର ସଂଘର୍ଷଣେ

ହେଉଛି ବାରି ବର୍ଦ୍ଧନ । ୨ ।

ଜଳଧରେ ଜଳଧର ମିଳାଇଛି ଅପଘନ,

ଘନେ ଘନ ଘନ ହୋଇ

କରିବେ ହିତସାଧନ । ୩ ।

ଧନ୍ୟ ହେ ମଙ୍ଗଳମୟ ବିଶ୍ୱପତି ଧନ୍ୟ ଧନ୍ୟ,

ଏ ଶୁଭ ସଂଯୋଗ ଚାହିଁ

ହେଉଛୁଁ କୃତାର୍ଥମନ୍ୟ । ୪ ।

 

‘ଚିତ୍ରୋତ୍ପଳା’

(୧)

ଜୟ ଚିତ୍ରୋତ୍ପଳା            ଉତ୍କଳ ପାବନୀ

ଉତ୍କଳ-ହୃଦୟ-ଚାରିଣୀ,

ଉତ୍କଳ ଜୀବନ            ଶାନ୍ତି ବିଧାୟିନୀ

ଅମୃତ କଲ୍ଲୋଳ ଧାରିଣୀ ।

ତୋ’ ପୁଣ୍ୟ ଜୀବନ ଉତ୍କଳ ହିତ-

ସାଧନ ନିମନ୍ତେ ଚିର ବହିତ,

ବିକଟ ସଙ୍କଟ-            ଦଳନଶାଳିନୀ

ଧାରା ଢେଉ ତାପହାରିଣୀ ।

 

(୨)

ବିଭୁକୃପା ଦ୍ରବି            ଅବନୀରେ ସ୍ରବି

ହୋଇଛି ତୋ’ ଅବତରଣ,

ବିଭୁ ନିଦେଶରେ            ଆସି ଏ ଦେଶରେ

କରୁଛୁ କଳ୍ମଷହରଣ ।

ବିନତ ବଦନେ ଗମ୍ଭୀର ହୃଦେ

କରି ଲୀଳାଞ୍ଚିତ ଗମନ ମୁଦେ,

 

କୁଳବତୀ କୁଳ            ସଙ୍ଗେ କରି ଠୁଳ

ପୂଜୁଅଛୁ ଅତି ଚରଣ ।

 

(୩)

ଯେମନ୍ତ ନିର୍ମଳ            ତେମନ୍ତ ଶୀତଳ

ତୋହର ପବିତ୍ର ଜୀବନ,

ସଭିଙ୍କି ସମାନ            ଦେଖି କରୁ ଦାନ

କି ପଲ୍ଲୀ ନଗରୀ କି ବନ ।

ଲୋକ ଉପକାର ଉପଲକ୍ଷରେ

ନାବ ନାବ ବୋଝ ବହୁ ବକ୍ଷରେ

କେତେ ‘ଦେବ’ ନଦୀ      ରହିଛନ୍ତି ସେବି

ମର୍ତ୍ତ୍ୟେ ନାହିଁ ତୋର ନିଧନ ।

 

(୪)

ଆଜି ତୋ’ ନାମରେ      ତୋହରି ଧାମରେ

ଆଶ୍ରୟ କରି ତୋ’ ଧରମ,

ବୁଢ଼ାରଜା ଗିରି            ପାଦପଶ ଚିରି

ଏହି ପତ୍ରିକାର ଜନମ ।

କର ତୋହରି ଦୀକ୍ଷାରେ ଦୀକ୍ଷିତ

 

କର ତୋହରି ଶିକ୍ଷାରେ ଶିକ୍ଷିତ,

ଦିଅ ତୋ ଆୟୁ             ତୋହୋ ପରି ପାଉ

ଅମୃତ ନିଧିଙ୍କ ସଙ୍ଗମ ।

 

ମଙ୍ଗଳ ଗୀତିକା

ରାଜେନ୍ଦ୍ର ଭବନେ            ଜନମିଛ ଜେମା

ବଢ଼ିଅଛ ରାଜକୋଳେ,

ସେନେହ ରଜ୍ଜୁରେ             ଆବର ଆସନେ

ଦୋଳିଛ ସମ୍ପଦ ଦୋଳେ ।

 

ଲଭିଅଛ ଶିକ୍ଷା            ଗୃହ-ଧର୍ମ-ଦୀକ୍ଷା

ପିତାମାତାଙ୍କ ଯତନେ

ଥିଲ ସୁଖମୟ            ସ୍ନେହର ନନ୍ଦିନୀ

ମଣ୍ଡିତ ସ୍ନେହ ରତନେ ।

 

ଲଭିଅଛ ରତ୍ନ-            ଭୂଷଣ ସହିତ

ଅମୂଲ୍ୟ ଗୁଣ ଭୂଷଣ,

ଆଲୋକିବ ବୋଲି            ରତନେ ଭବନ,

ଗୁଣର ତେଜେ ଭୁବନ ।

 

ଜନକ ନିଳୟ            ଶୈଶବର ଲୀଳା

ହୋଇଅଛି ଆଜି ଶେଷ,

 

ଶ୍ୱଶୂର ଆଳୟ            ସଂସାର ଲୀଳାରେ

ନୂତନ ହେଲ ପ୍ରବେଶ ।

 

ଜାଣନ୍ତି ତୁମ୍ଭର            ପିତାରତ୍ନଠାରୁ

ଗୁଣ ଅତି ମୂଲ୍ୟବନ୍ତ,

ତେଣୁ ସେ ତୁମ୍ଭଙ୍କୁ            କରାଇ ଅଛନ୍ତି

ବିବିଧ ଗୁଣେ ଅଭ୍ୟସ୍ତ ।

 

ଗୁଣ ବ୍ୟବହାର            ସମୟ ଏଥର

ହେଲା ତୁମ୍ଭ ଉପଗତ,

ତୋଷିବ ଶ୍ୱଶୂର-            ପୁର-ରାଜ୍ୟ ତୁମ୍ଭ

ଗୁଣ କରି ଫଳବନ୍ତ ।

 

ସୁଖମୟ ହେଉ            ମୁଦମୟ ହେଉ

ତୁମ୍ଭର ଶୁଭ ସଂସାର,

ନୃସିଂହ ପ୍ରସାଦ            ସହ ହେଉ ତୁମ୍ଭ

ସଦନେ ଶୁଭ ସଞ୍ଚାର ।

କୌଣସି ରାଜଜେମାଙ୍କ ବିବାହ ଉପଲକ୍ଷେ ଲିଖିତ । ମୁଦ୍ରିତ ହୋଇ ସେ ସମୟରେ ଏହା ବଣ୍ଟନ କରାଯାଇଥିଲା ।

 

ମଙ୍ଗଳଗାନ

ବାଜୁ ଶଙ୍ଖ ଶୁଭ ସ୍ୱନେ, ରେ ସଜନି

ବାଜୁ ଶଙ୍ଖ ଶୁଭ ସ୍ୱନେ,

ନୃସିଂହନାଥଙ୍କ ଶୁଭାଦେଶ ଘେନି,

ଶୁଭେ ଏ ରାଜଭବନେ, ରେ ସଜନି । ଘୋଷା ।

ବିବୁଧ ମଣ୍ଡଳ ବ୍ରାହ୍ମଣ ସକଳ

କରନ୍ତୁ ମଙ୍ଗଳ ଗାନ,

ରମଣୀ ବଦନ ହୁଳୁହୁଳି ସଙ୍ଗେ

ମିଶୁ ଜୟ-ଗୀତ ତାନ, ରେ ସଜନି । ୧ ।

ଜନମୁଖୁ ଉଠି ଜୟ ଜୟ ନାଦ,

ଉଛୁଳି ରାଜସଦନେ,

ଲଙ୍ଘି ଜନପଦ-ବନ-ତରୁଲତା

ଉଲ୍ଲସୁ ଗନ୍ଧମାଦନେ, ରେ ସଜନି । ୨ ।

ସେ ନାଦ କପିଳ-ଧାରେ ଧୌତ ହୋଇ

ନୃସିଂହ ଚରଣ ବନ୍ଦି,

ଆନନ୍ଦ ସହିତ ବିଚରି ଭୁବନେ

ହୃଦେ ହୃଦେ ହେଉ ଛନ୍ଦି, ରେ ସଜନି । ୩ ।

 

ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ଶୁଭାଶିଷ

ସହିତ କୁସୁମରାଶି

ନବ ଦମ୍ପତିଙ୍କ ମସ୍ତକେ ବରଷି

ଦେଉ ଶୁଭ ପରକାଶି, ରେ ସଜନି । ୪ ।

 

ବୋଡ଼ାସମ୍ବର ରାଜକୁମାରୀ ଶ୍ରୀମତୀ ଲକ୍ଷ୍ମୀକୁମାରୀ ଦେଈଙ୍କ ବିବାହୋପଲକ୍ଷେ ଲିଖିତ । ମୁଦ୍ରିତ ହୋଇ ସେ ସମୟରେ ଏହା ବଣ୍ଟନ କରାଯାଇଥିଲା ।

 

ହରିବୋଲ

ହରିବୋଲ ହରିବୋଲ ବୋଲିଥାନ୍ତି ଜନେ

ହୃଦେ ଘେନି ହରି କେହି ନ ବୋଲନ୍ତି ଜଣେ ।

ଉଠାଇ ଶବଦରୋଳ ହରିବୋଲ ହରିବୋଲ

ଆନନ୍ଦେ ନାଚନ୍ତି କିନ୍ତୁ ନ ଥାନ୍ତି ଭଜନେ,

ଉପଦେଶ ଶେଷ ହୁଏ କେବଳ ବଚନେ ।

ଉଖୁଡ଼ାର ଅନୁପାତେ ଲୋକ ଉପସ୍ଥିତ

ଲୋକ ଅନୁପାତେ ହୁଏ ଶବଦ ଉତ୍‌ଥିତ ।

ଭୋଗବଣ୍ଟା ହେଲେ ଶେଷ ସରିଯାଏ ଉପଦେଶ

ହରିବୋଲ ରବ ଆଉ ନ ହୁଏ କଥିତ,

ଉଖୁଡ଼ା ସହିତ ହୁଏ ସ୍ଥାନରୁ ପ୍ରସ୍ଥିତ ।

 

ମାରିଚ-ବଧ

(ହିନ୍ଦୀର ଅନୁବାଦ)

ରାବଣ ଆଦେଶେ ମାରୀଚ

ରାମ କୁଟୀର ପାଶେ,

ମାୟାମୃଗେ ବେଶେ ଚରଇ

ଧୀରେ ଧୀରେ ଉଲ୍ଲାସେ

ସ୍ୱର୍ଣ୍ଣମୟ ତାର ଶରୀର ତହିଁ ମଣି ଖଚିତ,

ଦରଶନ କରି ଜନକ-ସୁତା ହେଲେ ଲୋଭିତ ।

ବୋଇଲେ ହେନାଥ,

ମୃଗଟି ଆହା କେଡ଼େ ସୁନ୍ଦର,

ବିଚିତ୍ର ଅଜିନେ ଶରଧା ହେଉଅଛି ମୋହର ।

କୃପାକରି ମୋରେ ସତ୍ୱର ଏହି ମୃଗଟି ମାରି,

ମନୋହର ଚର୍ମ ଖଣ୍ଡିକ ଆଣ କୋଦଣ୍ଡଧାରି !

ତାହା ଶୁଣି ରଘୁନନ୍ଦନ ଚାହିଁ ଲକ୍ଷ୍ମଣ ପ୍ରତି,

ବୋଇଲେ ହେ ବାବୁ, ଥିବଟି ରହି ଜାନକୀ କତି ।

ମୃଗ ବଧକରି ଯାବତ ମୁହିଁ ଆସିବି ନାହିଁ,

ଜାନକୀଙ୍କି ଛାଡ଼ି ତାବତ ତୁମ୍ଭେ ନ ଯିବ କାହିଁ ।

ଜାନକୀ ସମର୍ପି ଲକ୍ଷ୍ମଣେ ରାମ ହୋଇ ବାହାର,

 

ଯେଉଁ ଦିଗେ ଗଲା ହରିଣ ପଛେ ଗଲେ ତାହାର ।

ଥରେ ଦୂରେ ଥରେ ନିକଟେ

ଥରେ ହୋଇ ଅଦୃଶ୍ୟ,

ବନ ମଧ୍ୟେ ରାମଚନ୍ଦ୍ରଙ୍କୁ ନେଲା ମୃଗ ସାଦୃଶ୍ୟ ।

ବହୁ ଦୂର ବନ ମଧ୍ୟକୁ ଯାଇ କୋଦଣ୍ଡଧାରୀ,

ନ ପାରିଲେ ବହୁ ଯତନ କରି ମୃଗକୁ ମାରି ।

ଅବଶେଷେ ରୋଷେ ବିନ୍ଧିଲେ

ଏକ ସୁତୀକ୍ଷ୍‌ଣ ଶର

ଶର ପଡ଼ି ଅଙ୍ଗେ ଜୀବନ ଉଡ଼ିଗଲା ମୃଗର ।

ମୃତ୍ୟୁକାଳେ ଉଚ୍ଚେ ଡାକିଲା ମୃଗ ତ୍ରାହି ଲକ୍ଷ୍ମଣ,

ହେଲେ ଚମତ୍କୃତ ଏ ରୀତି ଦେଖି ରଘୁନନ୍ଦନ ।

 

ଏପରି ଅନେକ କବିତା ହିନ୍ଦୀରୁ ଅନୁବାଦ କରି ସେତେବେଳେ ସମ୍ବଲପୁର ଜିଲ୍ଲାରେ ଚଳୁଥିବା ପାଠ୍ୟପୁସ୍ତକମାନଙ୍କରେ କବି ଦେଇଥିଲେ । ନମୁନା-ସ୍ୱରୂପ ଏହା ପ୍ରଦତ୍ତ ହେଲା ।

 

ମୃଗୟା-ଦର୍ଶନ

ବନ୍ଦଇ ନୃସିଂହ ନାଥ ତୁମ୍ଭ ଶ୍ରୀଚରଣ,

ଯେଉଁ ପାଦ କରେ ପାପୀ-ପାତକହରଣ,

ଯେଉଁ ପାଦତଳେ ପାପହରଣଝରଣ,

ଶିଖରୀଶିଖରୁ ଡେଇଁ ମାଗଇ ଶରଣ

ବନଲକ୍ଷ୍ମୀ ଘେନି ବନପୁଷ୍ପ ଆଭରଣ,

ରହିଛନ୍ତି କରି ଯା’କୁ ମନ ଆବରଣ ।

ବିନୟେ ଯା’ ପୂଜାଫଲ ତେଣୁ ଆହରଣ,

କରି ସମୀରଣ କରେ ଲୋକେ ବିତରଣ ।

ଯା’ ପାଶେ ଅଚଣ୍ଡ ହୋଇ ମାର୍ତ୍ତଣ୍ଡକିରଣ,

ଭୟେ କ୍ଷୀଣଦେହେ କରେ ମୃଦୁ ବିଚରଣ ।

ତବାଶ୍ରିତ ଲୋକ ଦୁଃଖ ଅନ୍ତରକରଣ,

ମାତ୍ର ସିନା ଥାଏ ତାର ପ୍ରବେଶ-କାରଣ ।

ସେ ସୁଯୋଗେ ମାଗେ ନିଜ ରତନବରଣ,

ପ୍ରପାତ ଅସାରେ କରି ମୁହୁଃ ସଞ୍ଚରଣ ।

ପ୍ରଭୁସେବା ଛଳେ ପରଦୁଃଖ ନିବାରଣ,

କେବଳ ଜୀବନେ ପୁଣ୍ୟଜ୍ୟୋତି ପ୍ରସାରଣ ।

ବହୁଦିନୁଁ ସେହି ଆଶା ପୋଷି ମୋର ମନ

 

ଲୋଡୁଥିଲା ନାଥ ଥରେ ତବ ଦରଶନ ।

ରାଣୀ ଯେବେ ଚାଲିଥାଏ ଧରି ସ୍ୱର୍ଣ୍ଣଝରି,

ମାଟି ଘାଟୀ ଧରି ଚାଲେ ତା’ କାଣୀ କିଙ୍କରୀ ।

ସେହି ନୀତି ସିନା ମୋର କାହିଁ ସୂର୍ଯ୍ୟକର,

କାହିଁ ମୁହିଁ ଦୀନହୀନ ମାନବ ପାମର ।

କିନ୍ତୁ ଯେଉଁ ବାତେ ହୁଏ ସୁରଭି ଲୁଣ୍ଠିତ,

ତହିଁ ଧୂଳି ଉଡ଼ିବାକୁ ନ ହୁଏ କୁଣ୍ଠିତ ।

 

କବି ବୋଡ଼ାସମ୍ବର ଅବସ୍ଥାନ କାଳରେ ଏ ଅଞ୍ଚଳରେ ସର୍ବପ୍ରଧାନ ଦର୍ଶନୀୟ ତୀର୍ଥସ୍ଥାନ ‘ନୃସିଂହନାଥ’ ସମ୍ବନ୍ଧରେ ଗୋଟିଏ ଲେଖାରମ୍ଭ କରିଥିଲେ । କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଯାଇଥିବାରୁ ଓ ବିଷୟଟି ମୁଖ୍ୟତଃ ମୃଗୟାଦର୍ଶନମୂଳକ ଥିବାରୁ ଉପରୋକ୍ତ ନାମରେ ପ୍ରକାଶ ହେଲା ।

 

ଜଗତ ଅଟଇ ଏକା ସ୍ୱଭାବ ଅଧୀନ,

ସ୍ୱଭାବେ ଚାଳିତ ହେବି ହେଲେହେଁ ମୁଁ ଦାନ ।

କୁସୁମ ସୁରଭି ଲୋକେ ଇଚ୍ଛନ୍ତି ଆଦରେ

ଧୂଳି ଯାଇ ବଳେ ବଳେ ଲାଗଇ ପାଦରେ ।

ପ୍ରଭୁ ଛଡ଼ା କୁସୁମରେ ମଣ୍ଡେ କେ ମଉଳି,

କେ ବା ଭକ୍ତିଭରେ ନିଏ ପ୍ରଭୁ-ପାଦଧୂଳି ।

ତୁମ୍ଭ ପାଦତଳେ ଯେବେ କରିବି ମୁଁ ସ୍ଥାନ,

କାଳେ ପାଇଯିବି ତୁମ୍ଭ ଭକତେ ସମ୍ମାନ ।

 

ଭକତର ମନ ସଙ୍ଗେ ମିଶିଲେ ମୁଁ ଦୀନ,

ନିଶ୍ଚେ ତୁମ୍ଭ ପାଦପଦ୍ମେ ହୋଇଯିବି ଲୀନ ।

ଭାସ୍କରକିରଣଠାରୁ ଭକ୍ତ ମନ ବଡ଼,

ଭକ୍ତ ମନ ଜ୍ଞାନମୟ ରବିରଶ୍ମି ଜଡ଼ ।

ରବିରଶ୍ମି ବ୍ୟାପିପାରେ ସଉର-ଜଗତ,

ଅଖିଳ ଜଗତବ୍ୟାପୀ ଭକ୍ତ ହୃଦଗତ ।

ବାନ୍ଧି ରଖିଛନ୍ତି ମୋତେ ଯେଉଁ କର୍ମଦାମ,

ତାହା ଯୋଗୁଁ ଦରଶନେ ହେଲି ସିଦ୍ଧକାମ ।

କରମ ଦେଉଛି କେତେ ଦୁଃଖ କେତେ ସୁଖ,

ଆୟତ୍ତ ମୋ ନାହିଁ, କର୍ମେ ହେବାକୁ ବିମୁଖ ।

ରୁଚି ଅନୁକୂଳ କର୍ମେ ଲୋକେ ସୁଖକର,

ପ୍ରତିକୂଳ ରୁଚିର ସେ ଦୁଃଖର ଆକର ।

କର୍ମ ଏକା ଦେଇଥାଏ ସମାଜେ ସମ୍ମାନ,

ଜୀବନର ଭାର ମାତ୍ର କର୍ମହୀନ ଜ୍ଞାନ ।

ଜଗତେ କରମ କରେ ଜୀବନ ପୋଷଣ,

ଜ୍ଞାନର ଧରମ ସଦା ଜୀବନତୋଷଣ ।

ତପସ୍ୟାର ଫଳ ଯେବେ ଫଳଇ ସଂସାରେ,

ପୋଷକ ତୋଷକ ରହିଥାନ୍ତି ଏକାଧାରେ ।

ଶାଳଗ୍ରାମ ମହତ୍ତ୍ୱ ନ ବୁଝି ଚମତ୍କାର,

ଅସ୍ତ୍ର ଘରଷଣେ କରିଥିଲା ବ୍ୟବହାର ।

ଚମତ୍କାର ମୁଖୁ ଶୁଣି ପ୍ରେମମୟ ଗୀତ

ଘର୍ଷଣ ନ ଗଣି ଶାଳଗ୍ରାମ ଥିଲେ ପ୍ରୀତ ।

ଯେ ଯେଉଁ କରମେ ହୋଇଥାଉ ନିୟୋଜିତ,

ନିଜେ ନିଜ ପ୍ରେମେ ମୁଗ୍‌ଧ ଥିବାର ଉଚିତ ।

କର୍ମ ଭାଗ୍ୟ ଦୁହେଁ ମୋର ହୋଇ ବଳବନ୍ତ,

କରାଇଲେ ଆଣି ତବ ଦର୍ଶନେ ସମର୍ଥ ।

କର୍ମଲବ୍‌ଧ ବୃକ୍ଷଯାନେ କରି ଆରୋହଣ,

ତୁମ୍ଭଙ୍କୁ ହୃଦୟେ ସ୍ଥାପି ରଚିଲି ଗମନ ।

ଏକ ବୃକ୍ଷେ ଚଢ଼ି ଶିବ ହୋଇଥାନ୍ତି ଧନ୍ୟ,

ଦ୍ୱି-ବୃଷକ ଯାନେ ହେଲି ମୁଁ କୃତାର୍ଥମନ୍ୟ ।

ତଥାପି ବୃଷଙ୍କ ଗତି ହେଲା କଷ୍ଟକର,

ବିଚାରିଲି ଶିବଠାରୁ ମୁଁ କି ଗୁରୁତର ।

ବୃଷ ବଦଳାଇ କଲି ମହିଷ ଯୋଜନ,

ତଥାପି ମୋ’ ହେଲା ପାଦଗତି ପ୍ରୟୋଜନ ।

ନିଜ ବଳ ଅବହେଳି ପରର ଭରସା

କଲେ, ଲୋକ ସବୁକାଳେ ଲଭଇ ଦୁର୍ଦ୍ଦଶା ।

ଖରଶ୍ୱାସେ ଧୀରପାଦେ ହୋଇ ଫେନମୁଖ,

ମହିଷ-ଯୁଗଳ କେତେ ଜଣାଇଲେ ଦୁଃଖ ।

ଭାବିଲି ଭ୍ରମନ୍ତି ଯମ ଗୋଟିଏ ମହିଷେ,

ମୋତେ ନପାରନ୍ତି ନେଇ ଯୁଗଳ ହୋଇ ସେ ।

ତହୁଁ ବୁଝିନେଲି ନିଜ ନିଜ ମୂର୍ଖପଣ,

ବୃହସ୍ପତି ସଙ୍ଗେ କରେଁ ବୃହତୀ ଗଣନ ।

ମନେକଲି ଯେଉଁ ଭାର ବିଧାତା ବିନ୍ୟସ୍ତ,

ସହଜେ ତା’ ବହେ ପ୍ରାଣୀ ହୋଇ ଚିରାଭ୍ୟସ୍ତ ।

ଯେଉଁ ଭାର ବହିବାକୁ ନୁହଇ ସେ ଯୋଗ୍ୟ,

ସେ ଭାର ପଡ଼ିଲେ ତାକୁ ମଣଇ ସେ ରୋଗ ।

ସହଜେ ଦୁର୍ବହ ଶିଳା ବହେ ଯେଉଁ ଖର,

ସାମାନ୍ୟ ସୂଚିର ଭାର ତାକୁ କଷ୍ଟକର ।

ମୋ’ ହୃଦେ ନୃସିଂହନାଥ ଥିଲ ତୁମ୍ଭେ ରହି,

ତେଣୁ ଅବା ଗୋ-ମହିଷ ନ ପାରିଲେ ବହି ।

ପଥେ ସେହିଦିନ ମୋର ହେଲା ଅବସ୍ଥାନ,

ସେଠାରେ ଦେଖିଲି ବନ ଗିରି ଦୃଶ୍ୟମାନ ।

ଦିନେ ଯାଇଥିଲି କରି ମୃଗୟା-ଦର୍ଶନ,

ଭୟ ଭାବନାରେ କରି ଲୋମହରଷଣ ।

ମୃଗୟାବିନୋଦେ ମରିଛନ୍ତି ଯେତେ ଲୋକ,

ତାଙ୍କ ଦଶା, ତାଙ୍କ ସ୍ତିରୀ ବାଳକଙ୍କ ଶୋକ,

ମୃଗୟାମୂଳକ ବନଗମନ ପଥରେ,

ପଡ଼ିଯାଉଥାନ୍ତି ଆସି ମୋ’ ସ୍କୃତିପଟରେ ।

ଅବ୍ୟାପାରେ କରିଥିଲା ବ୍ୟାପାର ଯେ କପି,

ତାର ଦଶା ଭାବି ପ୍ରାଣ ଯାଉଥାଏ କମ୍ପି ।

ପୁଣି ଭାବେଁ ଯେଉଁ ପଥ ମହତେ ଗମିତ,

ଅପଥ ହେଲେହେଁ ସୁପଥେ ଗଣିତ ।

ପାଞ୍ଚ-ଲୋକ ସଙ୍ଗେ ଥାଇ କରିବି ଦର୍ଶନ,

କିରୂପେ କାନନେ ଥା’ନ୍ତି ବନ୍ୟ-ଜନ୍ତୁଗଣ ।

ମାରିବାକୁ ଦେଖିବାକୁ ତାଙ୍କ ମୃତ୍ୟୁକ୍ଳେଶ,

ହୃଦୟେ ବାସନା ମୋର ରହି ନାହିଁ ଲେଶ ।

କୌତୂହଳେ କରିଅଛିଁ ସଦିଚ୍ଛା ପୋଷଣ,

ନୃସିଂହ କରିବେ ମୋର ବିପଦ ଶୋଷଣ ।

ନିବିଡ଼ କାମନେ ବୃକ୍ଷବକ୍ଷବଦ୍ଧ ଖଟେ,

ବସିଲି ମୁଁ ଅନଭ୍ୟାସ ବଶୁଁ ଚଢ଼ି କଷ୍ଟେ ।

ଭୂପତି ଅନୁଜ ଧରି ମୃଗୟୁର ବେଶ,

ଯାଇଥିଲେ ସଙ୍ଗେ ପାଇ ଅଗ୍ରଜ ନିଦେଶ ।

ତାଙ୍କ ପାଇଁ ସେହି ଖଟ ଥିଲା ନିରୂପିତ,

ଚଢ଼ି ସେ ବସିଲେ ନଳୀ ଘେନି ମୋ’ ସହିତ ।

ନତ ହେଲା ତରୁ ଶାଖା କମ୍ପିଗଲା ଖଟ,

ଭଞ୍ଜନ ବ୍ୟଞ୍ଜନ କଲା ରାବି କଟକଟ ।

କ୍ଷୀଣବାହୁ ଗ୍ରାମ୍ୟ ଖଟ ସ୍ୱଭାବେ ଦୁର୍ବଳ,

ତା’ ପୁଷ୍ଠେ ବସିଲୁଁ ବଳେ ପୃଥୁଳ ଯୁଗଳ ।

ତରୁଶାଖା ସଙ୍ଗେ କଥା କଲେ ପରସ୍ପର,

ବଳ ଯୋଗାଇବେ ତହିଁ ଏକକୁ ଅପର ।

ତରୁଶାଖା ଖଟବାହୁ ଦୁହେଁ ସହୋଦର,

ସଜୀବ ନିର୍ଜୀବ ଭେଦ ନ ଥିଲା ତାଙ୍କର ।

ତରୁଶିରା ହୋଇଥଲା ଦଉଡ଼ି ପ୍ରସ୍ତୁତ,

ତାହାର ବଳହିଁ ନିଜ ବଳେ କଲେ ଯୁତ ।

କାଳେ ଭାଙ୍ଗିଯିବ ଖଟ ହେଉଥାଏ ଶଙ୍କା,

ଉଶ୍ୱାସି ଆଶ୍ୱାସି ତାକୁ ଧରିଥାଏଁ ଲଙ୍କା ।

ପୁଣି ନ ପଡ଼ିବି ଶୁଣି ବନ୍ଧୁକ ଗର୍ଜନ,

ବୋଲି କରିଥିଲି ସେହି ଉପାୟ ସର୍ଜନ ।

ନୀରବେ ନିଶ୍ଚଳେ ବସି ନେଲୁଁ କିଛିକ୍ଷଣ,

ବନ୍ୟ-ଜନ୍ତୁ ଆଗମନ କରି ନିରୀକ୍ଷଣ ।

ଯାଇଥିଲେ ଭୂପ, ରାଜପୁରୁଷ ସେ ବନ,

ସାଧନ କରିବାଲାଗି ଶ୍ୱାପଦ ନିଧନ ।

ଦୂରେ ଦୂରେ ଭିନ୍ନ ଭିନ୍ନ ବୃକ୍ଷର ଉପରେ

ବସିଗଲେ ବଜ୍ରନାଦୀ ନଳୀ ଧରି କରେ ।

ଶୁଭିଲା ସୁଦୂରେ ବନେ ମାନବ କୁହାଟ,

ତା’ସଙ୍ଗେ ଶୁଭିଲା ଯେହ୍ନେ କାଠେ ବାଜେ କାଠ ।

ଶତ ଶତ ଜନେ ସେ ନାଦ ନାଦିତ,

ଘନ ଘନ ବନ ବକ୍ଷ କଲା ବିକ୍ଷୋଭିତ ।

ନିକଟୁ ନିକଟତର ହେଲା ସେ ଶବଦ,

ରହିଲୁଁ ତଳକୁ ଚାହିଁ ହୋଇ ନିସ୍ତବଧ ।

ଶ୍ରୁତିକି ଆସିଲା ନଳୀନାଦ ଏକ ଥର,

ଅନ୍ୟ ନଳୀ ଗରଜିଲା ମୁହୂର୍ତ୍ତ ଅନ୍ତର ।

ଏଣେ ଆମ୍ଭ ଆଡ଼େ ହେଲା ଶବ୍ଦ ସରସର,

ଦେଖିଲୁ ଆସୁଛି ଏକ ଭଲୁକପ୍ରବର ।

ଭୀତି ବିରକ୍ତିରେ ଥାଏ ପଳାୟନପର,

ନ ଥାଏ ତା’ ଗତି ଅତି ଦ୍ରୁତ କି ମନ୍ଥର ।

ଆମ୍ଭ ବୃକ୍ଷତଳେ ପଡୁଁ ନ ପଡୁଁ ତା’ ପଦ,

ପଡ଼ିଲା ତା’ ଲକ୍ଷେ ଗୋଳୀ ସ୍ୱରୂପେ ଆପଦ ।

ଅଗ୍ରସର ନୋହି ରକ୍ଷ କି ଭାବି ଚିତ୍ତରେ,

ପଛଘୁଞ୍ଚି ପଶିଗଲା କାନନ ଭିତରେ ।

ଶବଦୁ ପ୍ରତୀତ ହେଲା ହେଲା ସେ ପତିତ,

କ୍ଷଣ ପରେ ଦେଖାଗଲା ହୋଇ ଅବ୍ୟଥିତ

ବୃକ୍ଷମୂଳେ ଆସି ଦେଲା ଉପରେ ଅନାଇ,

ମନେ ମନେ ଡାକିଲି ମୁଁ ନରସିଂହ ତ୍ରାହି ।

ଶୁଣିଥିଲି କେନ୍ଦୁଫଳ ଖାଇବାକୁ ଋକ୍ଷ,

ଚଢ଼ିଥାଏ ନଭଶ୍ଚୁମ୍ବୀ ଉଚ୍ଚ ଉଚ୍ଚ ବୃକ୍ଷ ।

ସହଜେ ସେ ଚଢ଼ି ମୋତେ ପାରିଥାନ୍ତା ଧରି,

ରକ୍ଷା ପାଇଗଲି ନର ସିଂହ ନାମ ସ୍ମରି ।

ମୋ’ ହୃଦୁ ବାହାରି ତାର ଦୃଷ୍ଟି-ଦରପଣେ,

ପ୍ରଭୁ ଉଭା ହେଲେ ବୋଲି ବିଚାରିଲି ମନେ ।

ସ୍ୱାଭାବିକ ପ୍ରୀତି ଭୀତି ଏକ ହୃଦେ ଯାହା

ଜନ୍ମିଥାଏ, ଅନ୍ୟ ହୃଦେ ଜନମଇ ତାହା ।

କେବଳ କପଟ ପ୍ରୀତି ନୀଚାଶୟଙ୍କର,

ମଧୁର ଦର୍ଶନ ମାତ୍ର ମହାଭୟଙ୍କର ।

ଚାଲିଗଲା ସାଧୁ ରକ୍ଷ ହୋଇ ନତମୁଖ,

ହୃଦୟରୁ ଦୂରକରି ସଦ୍ୟଲବ୍‌ଧ ଦୁଃଖ ।

ଋକ୍ଷ ବୃକ୍ଷମୂଳେ ଆସି ଚାଲିଯିବାଯାଏ,

ବନ୍ଦୁକୀଙ୍କ ଗୋଳୀ ତ୍ୟାଗ ସୁବିଧା ନ ଥାଏ ।

ତା’ପରେ ବରାହ ଚାରି ଦେଲେ ଦରଶନ,

ଯାଉଥାନ୍ତି କରି ମୃଦୁ ନର୍ତ୍ତିତ ଗମନ ।

ବିଚଳିତ ହୋଇଥାନ୍ତି କୁହାଟ ଶ୍ରବଣେ,

ଊର୍ଦ୍ଧ୍ୱରୁ ପଡ଼ିବ ଗୋଳୀ ଥିଲା ନାହିଁ ମନେ ।

ସହସା ଶ୍ରବଣେ ପାଇ ବନ୍ଦୁକ ନିନାଦ,

ସାହସେ ପଳାଇଗଲେ ଜାଣି ପରମାଦ ।

କେତେବେଳେ କି ଆପଦ ଆଣଇ ସଂସାର,

ତହିଁକି ନ ପାରେ ଥାଇ ପ୍ରାଣୀ ଜ୍ଞାତସାର ।

କିନ୍ତୁ ଯହିଁ ଜାଣିପାରେ ବିପଦଲକ୍ଷଣ,

ସେ ସ୍ଥଳ ବରଜି ଚାଲିଯାଏ ତତକ୍ଷଣ ।

ପ୍ରଭୁଙ୍କ ଅଭୟପଦେ ଯେ ଚିରପ୍ରଣତ,

ଆପଦ ଆମୋଦେ ତାର ହୁଏ ପରିଣତ ।

ଏହିଠାରେ ପାଇଗଲି ତହିଁର ପ୍ରମାଣ,

ଅବନ୍ଧୁ ବନ୍ଦୁକ ମୁଖୁଁ ବରାହଙ୍କ ତ୍ରାଣ ।

ତା’ପରେ ଅଇଲା ମୃଗ ବିଶାଳ ବିଗ୍ରହ,

ତେଣେ ନଳୀ ନାଦୁଁ ଜାଣି ମୃଗୟୁ ନିଗ୍ରହ ।

ସଭୟ ନୟନେ ଦେଲା ଊର୍ଦ୍ଧ୍ୱକୁ ଅନାଇ,

ବସିଅଛି ନଳୀଧାରୀ ପ୍ରାଣ ନେବାପାଇଁ ।

ତହିଁ ମୋତେ ଭୀତ ମୃଗ ନିଶ୍ଚେ ମଣିଥିବ,

ଚିତ୍ରଗୁପ୍ତ ନାମଧେୟ ଶମନ-ସଚିବ ।

ଯମଦଣ୍ଡରୂପୀ ନଳୀ କରେ ଧରୁଁ ଧରୁଁ,

ପଲକେ ପଳାଇଗଲା ବନ୍ଧୁ ସନ୍ନିଧରୁ ।

କାନନ ଚାଳନ ଘୋରରବ କରି ଶେଷ

ପଲ୍ଲୀବାସୀ ପରିବେଶ କଲେ ପରବେଶ ।

କା ହସ୍ତେ କୁଠାର ଚଣ୍ଡ ଦଣ୍ଡ କାହା କରେ,

ବିରାଜଇ ସାହସର ଜନକ ରୂପରେ ।

ରୁକ୍ଷ କେଶ ଅଧକେ କେ ଜୁଡ଼ା ଅଛି ବାନ୍ଧି,

ଅଧା କେଶ ହେଉଛନ୍ତି ନୟନେ ବିବାଦୀ ।

କାହା ରୁକ୍ଷ କେଶ ହୋଇଅଛି ବିକର୍ତ୍ତିତ,

ବେଳ ଜାଣି ଗଣ୍ଡେ ଭାଲେ ହେଉଛି ନର୍ତ୍ତିତ ।

କେ ଦକ୍ଷିଣ କର୍ଣ୍ଣମୂଳେ ଅଛି ଖୋଷା ପାରି,

ବାମେ କେତେ କେଶ ଝୁଲେ ପହଞ୍ଚି ନ ପାରି ।

କା’ କର୍ତ୍ତିତ କେଶ ଅଗ୍ର ଧରି ତାମ୍ର ବର୍ଣ୍ଣ,

ଗ୍ରୀବା ପଛ ଧରି ଚୁମ୍ବୁଅଛି ବେନି କର୍ଣ୍ଣ ।

କଟି ଆଚ୍ଛାଦନ କରି ମଳିନ ବସନେ,

ନିବାରି ଉଦାରଜ୍ୱାଳା ବଗଡ଼ା ଅଶନେ ।

ଆସିଥିଲେ କରି ମୃଗ-ମାରର ଉତ୍ସବ,

ଦେଖିଲେ କେଉଁଠି କିଛି ପଡ଼ି ନାହିଁ ଶବ ।

ଜାଣିଲେ ସକଳ ଶ୍ରମ ହୋଇଅଛି ପଣ୍ଡ,

କୁଣ୍ଡାଇଲେ କେହି ତଳେ ବସି ଶୁଷ୍କ-ଗଣ୍ଡ ।

ହୃଦୟେ ନୃସିଂହେ ଦେଇ ଶତ ଧନ୍ୟବାଦ,

ବାହୁଡ଼ି ଆସିଲି ଲଂଘି ମୃଗୟା ପ୍ରମାଦ ।

 

ତୁଳସୀ-ରାମାୟଣର କିୟଦଂଶ

କରନ୍ତି ଯେ ନାନା ଅର୍ଥ ବର୍ଣ୍ଣସମୂହର,

ନବରସ ସର୍ବ ଛନ୍ଦ ଯା’ର ପରିଚର,

ମଙ୍ଗଳଦାୟିନୀ ପୁଣି ମଙ୍ଗଳଦାୟକ,

ପ୍ରଥମେ ବନ୍ଦଇଁ ସେହି ବାଣୀ-ବିନାୟକ ।

 

ସିନ୍ଧମୁନିଗଣ ନିତି ସେବି ଯା’ ପୟର,

ହୃଦୟ ମଧ୍ୟରେ ଦେଖିପାରନ୍ତି ଈଶ୍ୱର,

ଶରଧା ବିଶ୍ୱାସରୂପ ଅଟେ ଯାହାଙ୍କର,

ଦ୍ୱିତୀୟେ ବନ୍ଦଇଁ ସେହି ଗଉରୀ ଶଙ୍କର ।

 

ବନ୍ଦେଁ ଶିବରୂପୀ ଗୁରୁ ନିତ୍ୟ ଜ୍ଞାନମୟ,

ବକ୍ରବିଧୁ ନିତ୍ୟ ନେଇଥାନ୍ତି ଯା’ ଆଶ୍ରୟ,

ସୀତାରାମ ଗୁଣଗ୍ରାମ ଅରଣ୍ୟବିହାରୀ,

କବୀଶ୍ୱର କପୀଶ୍ୱର ବନ୍ଦଇଁ ବିଚାରି ।

 

ଉଦ୍ଭବ ସ୍ଥିତି ସଂହାର କରି – କ୍ଳେଶହରୀ,

ବନ୍ଦଇଁ ରାମବଲ୍ଲଭା ସୀତାଶ୍ରେୟସ୍କରୀ ।

ବନ୍ଦଇଁ ଶ୍ରୀରାମ ହରି ଅଭୟଚରଣ,

ଲୋଡ଼ନ୍ତି ବ୍ରହ୍ମାଦି ଦେବଗଣ ଯା’ ଶରଣ,

ଅଶେଷ ବିଶ୍ୱର ଯେହୁ ପରମ କାରଣ,

ଯା’ ଆଶ୍ରୟେ ହୁଏ ଭବସାଗର ତାରଣ,

ଯା’ ମାୟାରେ ଅସତ୍ୟହିଁ ଦିଶେ ସତ୍ୟ ସମ,

ରଜ୍ଜୁରେ ଉପୁଜିଥାଏ ଯେହ୍ନେ ଅହି ଭ୍ରମ,

ନ ବୁଝି ଅସୁର ମୂଢ଼େ ମରୁଥାନ୍ତି ଭ୍ରମି,

କବି ଆରମ୍ଭିଲେ ଗ୍ରନ୍ଥ ସେ ପୟରେ ନମି ।

 

ସମ୍ଭବତଃ ସମଗ୍ର ତୁଳସୀ ରାମାୟଣ ଗ୍ରନ୍ଥ ଖଣ୍ଡିକ ଏହିପରି ଭାବେର ଅନୁବାଦ କରିବାକୁ କବି ସଙ୍କଳ୍ପ ରଖି କାର୍ଯ୍ୟାରମ୍ଭ କରିଥିଲେ; କିନ୍ତୁ ଏତିକି ଅଂଶ ଲେଖିବା ପରେ ତାଙ୍କର ଜଣେ ବନ୍ଧୁ ସେହି କାର୍ଯ୍ୟରେ ହସ୍ତକ୍ଷେପ କରିଥିବାର ସମ୍ବାଦ ପାଇ ସେଥିରୁ ବିରତ ହେଲେ ।

 

ନାନା ପୁରାଣ ନିଗମ-ଆଗମ-ସମ୍ମତ,

ରାମକଥା ରାମାୟଣେ ଅଛି ଯା ସତତ ।

ସ୍ୱାନ୍ତଃ ସୁଖ ଆଶେ ତାହା ଶ୍ରୀ ତୁଳସୀ ଦାସ,

କଲେ ମନୋହର ଭାଷା-ପ୍ରବନ୍ଧେ ପ୍ରକାଶ ।

 

ଜୟ ବିନାୟକ            ଗଜେନ୍ଦ୍ର ବଦନ

ବୁଦ୍ଧିରାଶିର ଆଳୟ,

ସିଦ୍ଧିବିଧାୟକ            ସୁଗୁଣ ସଦନ

ଦୟା କର ଦୟାମୟ ।

ମୂକହିଁ ବକତା            ପଙ୍ଗୁ ହିଁ ପାରଇ

ଲଙ୍ଘି ପର୍ବତ ଗହନ

କରୁଣାରେ ଯା’ର,            କରନ୍ତୁ କରୁଣା

ସେ କଳିମଳ ଦହନ ।

ତରୁଣ ଅରୁଣ            ବାରିଜନୟନ

ନୀଳସରୋରୁହ ଶ୍ୟାମ,

ଦୀନବନ୍ଧୁ କ୍ଷୀର-            ସାଗର ଶୟନ

କର ମୋ’ ହୃଦୟ ଧାମ ।

ହେ ଉମାରମଣ            କରୁଣା ସଦନ

କୁନ୍ଦଇନ୍ଦୁ ସମ ଦେହ,

ତ୍ରିଶୂଳଧାରଣ            ମଦନ ମର୍ଦ୍ଦନ

 

ଏ ଦୀନକୁ କର ସ୍ନେହ ।

ବନ୍ଦଇଁ ଶ୍ରୀ ଗୁରୁଦେବ ପଙ୍କଜଚରଣ,

ଗୁରୁ କୃପାସିନ୍ଧୁ ନରରୂପୀ ନାରାୟଣ,

ସେ ଗୁରୁ ବଚନ ରବିକର ପରକାଶି

ମହା ମହୋ ତପପୁଞ୍ଜ ବେଗେ ଦିଏ ନାଶି ।

ବନ୍ଦଇଁ ଶ୍ରୀ ଗୁରୁପଦ-କମଳ-ପରାଗ,

ସୁରୁଚି ସୁବାସ ଯହିଁ ରସ ଅନୁରାଗ,

ଗୁରୁପଦଧୂଳି ଚାରୁ ବର୍ଣ୍ଣ ସୁଧାମୟ,

ଜନମ ମରଣ ଭବ ରୋଗ କରେ କ୍ଷୟ ।

ସେ ଧୂଳି ସୁକୃତ ଶମ୍ଭୁ ବିମଳ ବିଭୂତି,

ମଞ୍ଜୁଳ ମଙ୍ଗଳପ୍ରଦ ପ୍ରମୋଦ ପ୍ରସୂତି ।

ଜନମନ-ଦର୍ପଣର ମଳଚୟ ହରେ,

ଶିଷ୍ୟଶିରେ ଲାଗି ଗୁଣ ଗଣ ବଶ କରେ ।

ଗୁରୁ ପଦ ନଖ ମଣି ଜିଣି ଜ୍ୟୋତିର୍ମୟ

ଯା’ ସ୍ମରିଲେ ହୁଏ ଦିବ୍ୟ ଦୃଷ୍ଟିର ଉଦୟ ।

ଭାଗ୍ୟବାନ ନର ହୃଦେ ହୋଇ ତା’ ପ୍ରକାଶ,

ଅଚିରେ କରଇ ମୋହ-ତିମିର ବିନାଶ ।

ସୁନିର୍ମଳ ଜ୍ଞାନଚକ୍ଷୁ କରି ଉନ୍ମୀଳନ,

ଭବ-ନିଶା ଦୋଷ ଦୁଃଖ କରଇ ଖଣ୍ଡନ ।

ଶ୍ରୀରାମଚରିତ ମଣିମାଣିକ୍ୟପଟଳ,

କିବା ଗୁପ୍ତ କି ପ୍ରକଟ ଦେଖାଏ ସକଳ ।

ଯେସନ ସାଧକସିଦ୍ଧ ରଞ୍ଜି ସୁଅଞ୍ଜନ,

ଦେଖଇ କୌତୁକମୟ ମହୀଶୈଳ ବନ,

ତେସନ ସୁଜନ ଲଭି ଗୁରୁ- ଉପଦେଶ,

ଦେଖଇ କୌତୁକମୟ ଗିରି ବନଦେଶ ।

ଗୁରୁ ପଦରଜ ମୃଦୁ ମଞ୍ଜୁଳ ଅଞ୍ଜନ,

ନୟନ-ଅମିୟ ଦୃକ ଦୋଷ ବିଭଞ୍ଜନ ।

ସେ ଶୁଦ୍ଧ ଅଞ୍ଜନେ ରଞ୍ଜି ବିବେକ ଲୋଚନ,

ବର୍ଣ୍ଣଇଁ ରାମଚରିତ ଭବ ବିମୋଚନ ।

ବନ୍ଦୁଅଛି ସବିନୟେ ବ୍ରାହ୍ମଣ, ଚରଣ,

ହେଉ ମୋହୋ ମୋହ ଜାତ ସଂଶୟ ହରଣ ।

ସୁଜନ ସମାଜ ସର୍ବଗୁଣର ଆକର,

ପ୍ରଣମଇଁ ପ୍ରେମେ ତାଙ୍କ ଯୋଡ଼ି ବେନିକର ।

ସାଧୁଙ୍କ ଚରିତ ଶୁଦ୍ଧ କାର୍ପାସ ସମାନ,

ନୀରସ ବିଶଦ ତାର ଫଳ ଗୁଣବାନ ।

ନିବାରଇ ନାନା ଦୁଃଖ ସହି ପର ଲାଜ,

ତା’ ଯଶ ବନ୍ଦନ୍ତି ଲୋକେ ସୁସଭ୍ୟ ସମାଜ ।

ଆନନ୍ଦ ମଙ୍ଗଳମୟ ସଜ୍ଜନ ସମାଜ,

ଜଗତେ ଅଟଇ ଗତିଶୀଳ ତୀର୍ଥରାଜ ।

ଶ୍ରୀରାମ ଭକତି ତହିଁ ସୁରଧୂନୀ ଧାର,

ତହିଁ ମିଶେ ସରସ୍ୱତୀ ଶାଶ୍ୱତ ବିଚାର ।

ଭଲ ମନ୍ଦ ଜ୍ଞାନ କଥା ଭାସ୍କରଦୁହିତା,

ନାଶନ୍ତି କଳିର ତାପ ହୋଇ ପ୍ରବାହିତା ।

ହରିହର କଥା ତାଙ୍କ ମଞ୍ଜୁ ନୀରବେଣୀ,

ଦିଅନ୍ତି ମଙ୍ଗଳ ମୁଦ ହୋଇ ଶ୍ରେଣୀ ଶ୍ରେଣୀ ।

କୁଳେ କୁଳତୀର୍ଥରାଜ ନିଜ ଧର୍ମସ୍ଥିତି,

ବିଶ୍ୱାସ ବିଶାଳ ବଟ ନାଶେ ଯମ-ଭୀତି ।

ଦେଶେ ଦେଶେ ହୃଦେ ହୃଦେ ହୋଇ ପ୍ରକାଶିତ

କରୁଛନ୍ତି ସଦ୍ୟଫଳ ଲୋକେ ପ୍ରଦର୍ଶିତ ।

ଅଲୌକିକ ଏହି ତୀର୍ଥରାଜର ମହିମା,

ଶେଷ କରିହୁଏ ନାହିଁ ବର୍ଣ୍ଣି ତାର ସୀମା ।

ଶୁଣି ବୁଝ ଜନ ହୁଏ ଆନନ୍ଦିତ ମନ,

ଅନୁରାଗ କଲେ ହୁଏ ତୀର୍ଥେ ମଜ୍ଜନ ।

ସାଧୁ ସମାଜ ପ୍ରୟାଗ ଗୁଣ ଅସାମାନ୍ୟ,

ଇହଲୋକେ ଦେଇଥାଏ ଚାରିବର୍ଗ ଦାନ ।

ମଜ୍ଜନର ଫଳ ଦେଖ ମିଳଇ ତତ୍କାଳ,

କାକ ହୋଇଯାଏ ପିକ ବକ ହିଁ ମରାଳ ।

ଏ କଥାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ନ ମଣ,

ଅସମ୍ଭବ ସମ୍ଭବାଇଥାନ୍ତି ସାଧୁଗଣ ।

ବାଲ୍ମୀକି ନାରଦ କୁମ୍ଭଯୋନି ଋଷିମାନେ,

କି ଥିଲେ କି ହେଲେ କହିଛନ୍ତି ନିଜ ଗାନେ ।

ଜଳଚର ସ୍ଥଳଚର ଖେଚର ପ୍ଳବଙ୍ଗ,

ଲଭିଥାନ୍ତି ସଦଗତି ଲଭି ସାଧୁସଙ୍ଗ ।

ପାଷାଣହିଁ ସାଧୁ ପଦରଜର ପ୍ରସାଦୁଁ,

ଦିବ୍ୟ ତନୁ ଲଭିଅଛି ନିସ୍ତରି ପ୍ରମାଦୁ ।

ସବୁ ଶାସ୍ତ୍ର ଗାଏ ସାଧୁସଙ୍ଗର ପ୍ରଭାବ,

ସାଧୁସଙ୍ଗୁ ବଳି ନାହିଁ ଜଗତରେ ଲାଭ ।

ସାଧୁସଙ୍ଗ ବିନା ଭବେ ବିବେକ ଦୁର୍ଲ୍ଲଭ,

ରାମ କୃପା କଲେ ତାହା ହୁଅଇ ସୁଲଭ ।

ସାଧୁସଙ୍ଗ ଏକା ମୁଦ ମଙ୍ଗଳର ମୂଳ,

ସିଦ୍ଧିରୂପ ଫଳ ତାର ସାଧନାଟି ଫୁଲ ।

ଶଠହିଁ ସୁଜ୍ଞାନ ଲଭେ ସାଧୁସଙ୍ଗ ପାଇ,

ଲୌହ ସ୍ୱର୍ଣ୍ଣ ପାଲଟଇ ସ୍ପର୍ଶମଣି ପାଇଁ

ବିଧିବଶେ ସାଧୁ ଯଦି ରହେ କୁସମାଜେ,

ଫଣୀ ମଣି ପରି ନିଜ ଗୁଣ ଘେନି ରାଜେ ।

ହରି ହର ବିଧି କବି କୋବିଦ ଭାରତୀ,

ସାଧୁଙ୍କ ମହିମା ମୁଖେ ବର୍ଣ୍ଣି ନ ପାରନ୍ତି ।

ମୋ’ ଭଳି ମାନବ ସେହି ଗୁଣ ବର୍ଣ୍ଣିବାର,

ଶାକ-ବଣିକାର ହସ୍ତେ ରତନ ବେପାର ।

ବନ୍ଦଇ ସମଦରଶୀ ସାଧୁ ପଦଦ୍ୱୟେ,

ମିତ୍ର-ଅରି ଭାବ ଭବେ ନାହିଁ ଯା’ ହୃଦୟେ,

ସମସ୍ତଙ୍କ କରିଥାନ୍ତି ସମ ଉପକାର,

ଉଚ୍ଚ ନୀଚ ବୋଲି କେବେ ନ ଥାଏ ବିଚାର ।

ଯେସନ ସୁପୁଷ୍ପ ହୋଇ ଅଞ୍ଜଳିରେ ସ୍ଥିତ ।

ବାମ ଦକ୍ଷ ବେନିକର କରେ ସୁବାସିତ ।

ଦୟାଳୁ ସ୍ୱଭାବ ସାଧୁ ସରଳ ହୃଦୟ,

ବିଶ୍ୱବନ୍ଧୁ ରୂପେ ଥରେ ଘେନ ମୋ’ ବିନୟ ।

କୃପାକରି ଦିଅ ବାଳ-ହୃଦେ ମୋ’ ସୁମତି,

ଶ୍ରୀ ରାମଚରଣ ପଦ୍ମେ ହେଉ ମୋର ମତି ।

ସଭୟ ହୃଦୟେ ଏବେ ବନ୍ଦେ ଖଳଗଣ,

ବିନା କାର୍ଯ୍ୟେ କରନ୍ତି ଯେ ଶତ୍ରୁତାଚରଣ ।

ପର-ଉପକାର ଚାହିଁ ଲଭନ୍ତି ପ୍ରସାଦ,

ଭାଙ୍ଗିଲେ ହରଷ ତାଙ୍କ ବନିଲେ ବିଷାଦ ।

ହରିହର ଯଶ ଶଶଧରକୁ ସେ ରାହୁ,

ଅନିଷ୍ଟସାଧନେ ବୀର ଦଶଶତ ବାହୁ ।

ପରଦୋଷ ଦେଖିବାକୁ ସହସ୍ର ଲୋଚନ,

ପରହିତ ଘୃତନାଶୀ ମାଛି ତାଙ୍କ ମନ ।

ତେଜରେ କୃଶାନୁ ଖଳ ରୋଷେ ମହେଶ୍ୱର,

ପାପ ଅପଗୁଣ ଧନେ ଧନୀ ଧନେଶ୍ୱର ।

ଖଳର ଉଦୟ କେତୁ ସମ ଭୟପ୍ରଦ,

ଖଳ ଦରଶନେ ଲୋକେ ଗଣନ୍ତି ବିପଦ ।

ଜଗତଜନକୁ ଖଳ ମହାଶୟ ସଲ,

କୁମ୍ଭକର୍ଣ୍ଣ ସମ ଖଳ ଶୋଇଥିବା ଭଲ ।

ପରହାନି କରେ ଖଳ ପ୍ରାଣ ଦେଇ ବଳି,

କରକା ଦ୍ରବଇ ଯଥା ନାଶି ନାଗବଲ୍ଲୀ ।

ପରଦୋଷ ଗାନେ ଖଳ ସହସ୍ରବଦନ,

ଶେଷନାଗ ମଣି ତାଙ୍କୁ କରୁଛି ବନ୍ଦନ ।

ପରଖଚ ଶୁଣେ ଖଳ ଅୟୁତ ଶ୍ରବଣେ,

ବଳି ତେଣୁ ତାକୁ ପୃଥୁରାଜ(୧) ସମ ମଣେ ।

ଶକ୍ର ସମ ମଣି ଖଳଠାରେ ମୁଁ ବିନୀତ

ଅବିରତ ଇଚ୍ଛେ ଯେଣୁ ସୁରାଳୟ ହିତ ।

ନିପୁଣ ସତତ ବାକ୍ୟ ବଜ୍ର ବରଷଣେ,

ସହସ୍ରଲୋଚନ ପରଦୋଷ ଦରଶନେ ।

ଜଳେ ଖଳ ମିତ୍ରରହିଁ ଚାହିଁଲେ ଉନ୍ନତି,

ଏଣୁ କରେଁ କରଯୋଡ଼ି ଖଳକୁ ବିନତି ।

ଯେତେହେଁ ବିନୀତ ହୁଅ ଦେଖାଅ ସଦ୍ଭାବ;

ଖଳ କେବେ ନ ଛାଡ଼ଇ ଆପଣା ସ୍ୱଭାବ ।

ପାଳିଲେହେଁ ଶିଶୁକାଳୁ ଖଆଇ ପାୟସ,

ଛାଡ଼ି ନ ପାରଇ ମାଂସଭୋଜନ ବାୟସ ।

ସାଧୁ ଦୁଷ୍ଟ ପଦେ ବନ୍ଦି କରୁଛି ସମ୍ମାନ

ଦୁଃଖ ଦେବାପାଇଁ ଦୁହେଁ ଅଟନ୍ତି ସମାନ ।

ସାଧୁର ବିଯୋଗେ ପ୍ରାଣେ ନ ରହଇ ସୁଖ,

ଅସାଧୁ ସଂଯୋଗେ ତଥା ହୁଏ ମହାଦୁଃଖ ।

ଜଳୌକା ଜଳଜ ଏକ ଜଳରୁ ଜନମ,

ହେଲେହେଁ ଦୁହିଁଙ୍କ ଗୁଣ ନ ହୁଅଇ ସମ ।

ସୁଧା ସୁରା ଜନମିଲେ ଯେସନ ସାଗରୁ,

ସାଧୁ ଅସାଧୁଙ୍କ ଜନ୍ମ ତଥା ଜଗତରୁ ।

ସାଧୁ ସୁଧା ସୁଧାକର ସୁରଧୁନୀ ପରି

ଅସାଧୁ ଗରଳ ବହ୍ନି କର୍ମନାଶା ସରି ।

 

୧ । ପୃଥୁରାଜ-ଭାଗବତ କଥା ଶୁଣିବାକୁ ଦୁଇ ହଜାର କର୍ଣ୍ଣର ଶୁଣିବା ଶକ୍ତି ପାଇବାକୁ ବର ମାଗିଥିଲେ ।

 

ନିଜ ନିଜ ଗୁଣ କରିଥାନ୍ତି ପରକାଶ,

ଭଲ କଲେ ଯଶ ମିଳେ ମନ୍ଦେ ସର୍ବନାଶ ।

ସୁଗୁଣ ଦୁର୍ଗୁଣ ଭବେ ଜାଣନ୍ତି ସକଳ,

ଯେ ଯାହା କରଇ ତାହା ତାକୁ ଲାଗେ ଭଲ ।

ଯେ ଭଲ ସେ ଭଲ କରି ପରଶଂସା ପାଏ,

ଯେ ମନ୍ଦ ସେ ମନ୍ଦ କରି ନୀଚତାକୁ ଯାଏ ।

ଅମୃତ ଖାଇଲେ ଲୋକ ହୁଅଇ ଅମର,

ମରଣ ଲଭଇ ସିନା ଖାଇଲେ ଜହର ।

ସାଧୁ ଜନ ହୋଇଥାଏ ସଦା ଗୁଣଗ୍ରାହୀ,

ଅସାଧୁ ଦୁର୍ଗୁଣ ନିଏ ଜ୍ଞାନ ତାର କାହିଁ ।

କେତେ ଲୋକ ଗୁଣ ଦୋଷ ନ ପାରନ୍ତି ବାରି;

ଏଣୁ ଗୁଣ ଦୋଷ କିଛି କହିବା ବିସ୍ତାରି ।

ଭଲ ମନ୍ଦ ସବୁ କଥା ବିଧାତା-ନିର୍ମିତ,

ଗୁଣ ଦୋଷ ସବୁ ଶାସ୍ତ୍ରେ ହୋଇଛି ଚିହ୍ନିତ ।

ଦୁଃଖ ସୁଖ ପାପ ପୁଣ୍ୟ ଦିନ ଆଉ ରାତି,

ଭଲ ମନ୍ଦ ହେବ ଦୈତ୍ୟ ସୁଜାତି କୁଜାତି ।

ଉଚ୍ଚ ନୀଚ ରାଜା ରଙ୍କ ସାଧୁ ଆଉ ଖଳ,

ସୁରଧୁନୀ କର୍ମନାଶା ଅମୃତ ଗରଳ ।

ସତ୍ୟ ମିଥ୍ୟା ଜନ୍ମ ମୃତ୍ୟୁ ସ୍ୱରଗ ନରକ,

ସର୍ଜନା କରିଛି ସବୁ ବ୍ରହ୍ମାଣ୍ଡ-ସର୍ଜକ ।

ଦୋଷ ଛାଡ଼ି ଗୁଣ ବାଛି ନିଏ ସନ୍ଥ ଜନ,

ହଂସ ଯଥା ଜଳୁ କ୍ଷୀର କରଇ ଗ୍ରହଣ ।

ଖଳ ଯେବେ ସ୍ୱାର୍ଥଲୋଭେ ସାଧୁବେଶ ଧରେ

କାଳନେମୀ ଦଶାନନ ପରି ଶେଷେ ମରେ ।

ପ୍ରକୃତ ଯେ ସାଧୁ ବେଶେ ନକରେ ଆଦର,

ଯଥା ଋକ୍ଷ ଜାମ୍ବବନ୍ତ ପବନକୁମର ।

ସାଧୁସଙ୍ଗ କଲେ ଲାଭ ଖଳ ସଙ୍ଗେ ହାନି,

ବେଦେ ଶାସ୍ତ୍ରେ ଅଛି ଏହା ଜାଣିଥାନ୍ତି ଜ୍ଞାନୀ ।

ଗଗନେ ଉଡ଼ଇ ଧୂଳି ପବନ ସହିତ,

କାଦୁଅ ହୁଅଇ ହେଲେ ଜଳରେ ମିଳିତ ।

ରାମ ରାମ ଭାଷେ ଶୁକ ସାଧୁଘରେ ରହି,

ଅସାଧୁର ଘରେ ଥିଲେ କୁବାକ୍ୟ ଭାଷଇ ।

କୁସଙ୍ଗରେ ଧୂମ ହୁଏ କଳା କଦାକାର,

ସାଧୁ କରେ ମସୀ ହୋଇ କରେ ଉପକାର ।

ଲୂତାଜାଲେ ଯେଉଁ ଧୂମ ହୁଅଇ ଅଳନ୍ଧୁ,

ଗଗନରେ ହୋଇଥାଏ ମେଘ ଲୋକ-ବନ୍ଧୁ ।

କୁସ୍ଥାନେ ରହିଲେ ଗ୍ରହେ ଦିଅନ୍ତି କୁଫଳ,

ଶୁଭ ସ୍ଥାନଗତ ହେଲେ କରନ୍ତି ମଙ୍ଗଳ ।

ଗଙ୍ଗାରେ ପଡ଼ିଲେ ଜଳ ହୁଏ ଗଙ୍ଗାଜଳ,

ପଡ଼ିଲେ ଚାଣ୍ଡାଳ କୂପେ ଦୂଷିତ କେବଳ ।

ମେଘ ସୃଷ୍ଟିକରେ ବାତ ବାଷ୍ପ ସଙ୍ଗେ ରହି,

ଲଭିଲେ ଅନଳ ସଙ୍ଗ ଗୃହ ଦିଏ ଦହି ।

ଦେବଛଡ଼ା ବାସ ଶିରେ କରନ୍ତି ବନ୍ଧନ,

ପ୍ରେତର ବସନ ଦୂରୁ କରନ୍ତି ବର୍ଜନ ।

ସାଧୁ ହେଉ ଖଳ ହେଉ ସର୍ବେ ରାମମୟ,

କରଯୋଡ଼ି ବନ୍ଦୁ ଅଛିଁ ହେଉନ୍ତୁ ସଦୟ ।

ଦେବାସୁର ନାଗ ନର ଗନ୍ଧର୍ବ କିନ୍ନର,

ଏମାନଙ୍କୁ ବନ୍ଦୁଅଛି ଯୋଡ଼ି ବେନି କର ।

ଖଗ ମୃଗ ପ୍ରେତ ପିତୃ ସ୍ଥାବର ଜଙ୍ଗମ,

କୃପାକର ବନ୍ଦୁଅଛି ମୁଁ ମୂଢ଼ ଅକ୍ଷମ ।

ଚାରି ଲକ୍ଷ ଚଉରାଶି ଜାତି ଜୀବଗଣ,

ସର୍ବେ ରାମମୟ ବନ୍ଦେଁ ସଭିଙ୍କ ଚରଣ ।

କେ ଜଳେ କେ ସ୍ଥଳେ ନଭେ କରିଅଛ ବାସ

ମୋ’ ବିନୟ ଘେନି କର କରୁଣା ପ୍ରକାଶ ।

ନାହିଁ ବିଦ୍ୟା ବୁଦ୍ଧି ବଳ କିଛି ଏ ଦାସର,

ଭରସା କରିଛିଁ ତୁମ୍ଭ ପଦ-ସାରସର ।

ସର୍ବେ ମିଳି ଏକମନେ ହୁଅନ୍ତୁ ସଦୟ,

ଘେନ ଘେନ ଘେନ ମୋର ସପ୍ରେମ ବିନୟ ।

କରିବାକୁ ଶ୍ରୀରାମଙ୍କ ରଚିତ ବର୍ଣ୍ଣନା,

ଲଘୁ ହୃଦୟରେ ମୋର ପୋଷିଛିଁ ବାସନା ।

ସ୍ୱଳ୍ପ ମୋର ମତି ତହିଁ ଚରିତ ମହାନ,

କବିତାର ରୀତି ପୁଣି କିଛି ନାହିଁ ଜ୍ଞାନ ।

ଶକତି କଙ୍ଗାଳ ମୋର ମନୋରଥ ରଜା,

ପିପୀଲିକା ସିନ୍ଧୁ ପାରେ ବଳାଉଛି ମଜ୍ଜା ।

ସେ ଚରିତ ଉପଯୋଗୀ ଭାଷାଜ୍ଞାନ ନାହିଁ,

ଶଣସୂତ୍ର ଲଗାଉଛି ମଣି ଗୁନ୍ଥା ପାଇଁ ।

ମୃତ୍ତିକା ପାତ୍ରରେ ସୁଧା ରଖିବି ସଜ୍ଜନ,

ଏ ଧୃଷ୍ଟତା ଦରଦ୍ର୍ୟର କରିବେ ମାର୍ଜ୍ଜନ ।

ମୋ’ ଭାଷାଦୋଷରେ ରୋଷ ମାନସେ ନ ଧରି,

ଶୁଣିବେ ସାଗ୍ରହେ ଶିଶୁ ଭାଷଣର ପରି ।

କରୁଛିଁ ତୁମ୍ଭଙ୍କୁ ମୁହିଁ ଜ୍ଞାନେ ପିତା-ଜ୍ଞାନ,

ଗଣ ମୋତେ ନିଜ ଶିଶୁ ସନ୍ତାନ ସମାନ ।

ଶିଶୁର ବଚନ ଶୁଣି ହସିଥାନ୍ତି ଜନେ,

ହସନୀୟ ହେଲେହେଁ ତା’ ପ୍ରୀତିପ୍ରଦ ମଣେ ।

ଅବଶ୍ୟ ହସିବେ ଖଳେ ଲଗାଇ ଦୂଷଣ,

ତହିଁ ଶ୍ଳାଘ୍ୟ ମଣେ ଯେଣୁ ତାଙ୍କ ତା’ ଭୂଷଣ ।

ନିଜ କବିତାକୁ କେ ବା ନ ବୋଲଇ ଭଲ,

ସରସ ଥାଉ ବା ଥାଉ ନୀରସ କେବଳ ।

ପରର କବିତା ଦେଖି ପ୍ରୀତିଲାଭ କରେ,

ସେପରି ସଜ୍ଜନ ଅତି ଅଳ୍ପ ଜଗତରେ ।

ମେଘର ଜଳରେ ସର ସରିତ ସମାନ,

ବଢ଼ାନ୍ତି ପରର ଗୁଣେ ନିଜର ସମ୍ମାନ ।

ଏପରି ଅନେକ ଲୋକ ଅଛନ୍ତି ଜଗତେ,

ସାଧୁ ବଢ଼େ ଚନ୍ଦ୍ର ବୃଦ୍ଧି ଚାହିଁ ସିନ୍ଧୁ ମତେ ।

ଭାଗ୍ୟ ମୋର ସାନ ତହିଁ ବଡ଼ ଅଭିଳାଷ,

ଏ ଯୋଗୁଁ କରିବେ କେହି କେହି ଉପହାସ ।

ଶ୍ରୀରାମଚରଣକଞ୍ଜେ ନାହିଁ ଯା’ଙ୍କ ପ୍ରୀତି,

ହସିବେ ସେ କବିଗଣ ଚାହିଁ ମୋ’ ଏ ରୀତି ।

ସେଥିକି ମୋ’ କାବ୍ୟ ହାସ୍ୟରସମୟ ବୋଲି,

ସେ ହାସ୍ୟ ଚନ୍ଦନ ମଣି ଅଙ୍ଗେ ହେବି ବୋଳି ।

ରାମଚନ୍ଦ୍ରଚରଣରେ ଅଛି ଯା’ ପୀରତି,

ମଧୁର ଲାଗିବ ମଣେ ମୋର ଏ ଭାରତୀ ।

ନୁହଇଁ ମୁଁ କବି, ନାହିଁ ଅଳଙ୍କାରଜ୍ଞାନ,

ନ ଜାଣଇ ଛାନ୍ଦରୀତି ପ୍ରବନ୍ଧ ବିଧାନ ।

ପ୍ରବୀଣ ଚତୁର ନୁହେଁ, ନୁହେଁ ମୁଁ ବିଦ୍ୱାନ,

ଗୋଟିଏ କଳା ହିଁ ହୃଦେ ପାଇ ନାହିଁ ସ୍ଥାନ ।

ଭାବ-ଭେଦ ରସ-ଭେଦ ଅଛଇ ଅପାର,

କବିତାର ଦୋଷଗୁଣ ବିବିଧ ପ୍ରକାର ।

ସେସବୁରୁ ଜ୍ଞାନକୁ ମୋ’ ଆସି ନାହିଁ ଏକ,

ନ ଥିବେ ମୋ’ଠାରୁ ବଳି ବିଶ୍ୱେ ଅବିବେକ ।

ମଙ୍ଗଳ ଭବନ ରାମ ଅମଙ୍ଗଳହାରୀ,

ଜପୁଛନ୍ତି ତାଙ୍କୁ ଉମା ସଙ୍ଗେ ତ୍ରିପୁରାରି ।

ଉଦାରଚରିତ ପ୍ରଭୁ ଗୁଣର ନିଧାନ,

ଯଶ ତାଙ୍କ ଗାଉଛନ୍ତି ନିଗମ ପୁରାଣ ।

ରାମନାମହୀନ ହେଲେ ସୁକବି-କବିତା,

ଯେତେ ଗୁଣ ଥାଉ ତାହା ନୁହଇ ଶୋଭିତା ।

ଯେତେ ଅଳଙ୍କାର ଘେନୁ ଚନ୍ଦ୍ରମୁଖୀ ନାରୀ,

ବସ୍ତ୍ର ବିନା ପାରଇ କି ହୋଇ ମନୋହାରୀ !

ଗୁଣହୀନ କାବ୍ୟ କରିଥାଉ ମନ୍ଦ କବି,

ଥିଲେ ତହିଁ ରାମନାମ ସୁରମ୍ୟ ସୁରଭି,

ବିବୁଧମଣ୍ଡଳ ତାକୁ କରନ୍ତି ଆଦର,

ସୁରଭିତ କୁସୁମକୁ ଯଥା ମଧୁକର ।

ନିର୍ଗୁଣ କବିତ୍ୱେ ମୋର ରାମଯଶ ଭରି,

ଅକବି ହେଲେହେଁ ଗଣି ହେବି କବି ପରି ।

ସେ ଭରସା କରିଅଛିଁ ହୃଦୟେ ପୋଷଣ,

ସୁସଙ୍ଗରୁ ଲୋକେ ପାଇଥାନ୍ତି ବଡ଼ପଣ ।

ଚନ୍ଦନର ସଙ୍ଗଗୁଣେ ଧୂମ ସୁବାସିତ,

ଦେଖାଯାଏ କରିଥାଏ ଲୋକ ଉଲ୍ଲାସିତ ।

ରଚନା ମୋହର ହୋଇଥିଲେହେଁ କୁତ୍ସିତ,

ରାମକଥା ଘେନି ହୋଇପାରେ ସୁରୋଚିତ ।

ଶ୍ରୀରାମଚରିତ ହୋଇ ମଳୟ ପବନ,

କିପାଁ ନ କରିବ ମୋର କାବ୍ୟକୁ ଚନ୍ଦନ ।

ମୂର୍ଖମୁଖସୃତ ରାମଚରିତ ଅମିୟ,

କାଳୀ ଗାଈ ଦୁଧ ପରି ହେଉ ଲୋକପ୍ରିୟ ।

ମଣି ଶୋଭେ ସର୍ପଶିରେ ମାଣିକ୍ୟ ଭୂଧରେ,

ଗଜମୋତି ଶୋଭୁଥାଏ ଗଜ ମସ୍ତକରେ ।

ରାଜାଶିରେ ବାମା ବକ୍ଷେ ପାଇଲେ ସେ ସ୍ଥାନ,

ଅଧିକ ତାହାଙ୍କ ଶୋଭା ହୁଏ ବର୍ଦ୍ଧମାନ ।

କବିତା ସେରୂପେ ଜନ୍ମି ସୁକବି ବଦନେ,

ଶୋଭା କରେ ବିକଶିତ ଗୁଣଜ୍ଞ ସୁଜନେ ।

ଶାରଦା ତ ନ ବାଛନ୍ତି ପଣ୍ଡିତ ମୂରୁଖ,

ଭକତର ଭକତିରେ ଲଭିଥାନ୍ତି ସୁଖ ।

ଭକତି ଦେଖିଲେ ତେଜି ବ୍ରହ୍ମାର ସଦନ,

ଭକତର ହୃଦପଦ୍ମେ ସ୍ଥାପନ୍ତି ଆସନ ।

ଶାରଦାଙ୍କ ଭୂଷା ପାଇଁ ନାହିଁ ମୋ’ ସଙ୍ଗତି,

ଯାହା ଅଛି ତାହା ଦେଇ କରୁଛିଁ ଭକତି ।

ପ୍ରାକୃତ ଜନର ଗୁଣ ଗାନ କଲେ ଲୋଭେ,

ମସ୍ତକ ଝୁଣନ୍ତି ଦେବୀ ହୃଦୟର କ୍ଷୋଭେ ।

ହୃଦୟସାଗରେ ମତି ଶମ୍ବୁକପଟଳ,

ତହିଁକି ଶାରଦା ଦେବୀ ସ୍ୱଚ୍ଛ ସ୍ୱାତୀଜଳ ।

ସୁବିଚାର ମେଘ ଯଦି କରଇ ବର୍ଷଣ,

ଜନ୍ମଇ କବିତା-ମୋତି କହନ୍ତି ସୁଜନ ।

ଶ୍ରୀରାମଚରିତେ ଯେତେ ଦେବୀଙ୍କ ତର୍ପଣ,

ଅନ୍ୟେ ନାହିଁ ବୋଲି କହିଥାନ୍ତି ବୁଧଗଣ ।

କବିତା ମୁକୁତା ଯୁକ୍ତି ଯନ୍ତ୍ରେ ରନ୍ଧ୍ର କରି,

ଗୁନ୍ଥିଲେ ଶ୍ରୀରାମ-କଥା ସୂତ୍ର ମଧ୍ୟେ ଭରି,

ସୁମନେ ସୁମନେ ତାହା ହୃଦରେ ମୁଦରେ,

ଘେନିଲା ମାତ୍ରକେ ମନ ପ୍ରାଣ ସ୍ନିଗ୍‌ଧ କରେ ।

 

ଈଶ୍ୱର-ଦ୍ରୋହୀ

(୧୯୨୦) (ସେପ୍ଟେମ୍ବର, ୧୯୨୦, ଉତ୍କଳ ସାହିତ୍ୟ)

ବିଶ୍ୱପତି ଆଦ୍ୟେ କରି ଖାଦ୍ୟ ସରଜନ,

ତହିଁପରେ ସରଜିଲେ ଜୀବଜନ୍ତୁଗଣ ।

ଜୀବନଧାରଣ ପାଇଁ ଯେତେ ଦରକାର,

ପ୍ରକାଣ୍ଡ ବ୍ରହ୍ମାଣ୍ଡଗୋଟା ତହିଁର ଭଣ୍ଡାର ।

ଜୀବନରକ୍ଷଣ ଯୋଗ୍ୟ ଅବୟବମାନ,

ଯଥାଯଥ ରୂପେ କରି ଅଛନ୍ତି ନିର୍ମାଣ ।

ସେହିରୂପେ ଦେଇଛନ୍ତି ବୁଦ୍ଧି କଉଶଳ,

ଯେଉଁ ରୂପେ ହେବ ଯା’ର ଜୀବନେ କୁଶଳ ।

ତା’ ଉପରେ ଦେଇଛନ୍ତି ମାନବକୁ ଜ୍ଞାନ,

ଜ୍ଞାନର ଉପରେ ପୁଣି ବିବେକର ସ୍ଥାନ ।

ବିବେକ ଯେ ଲଭିଥାଏ ସେ ଏକା ମାନବ,

ବିବେକବିହୀନ ଜ୍ଞାନ କରଇ ଦାନବ ।

ବିଧିଦତ୍ତ ବୃତ୍ତିର ଯେ ଅପବ୍ୟବହାର

କରେ, ସେ ଈଶ୍ୱରଦ୍ରୋହୀ ଧିକ୍ ତା’ ବିଚାର ।

ସକଳ ମାନବ ଏକ ଈଶ୍ୱର-ସନ୍ତାନ,

ବିବେକୀ ବିଚାରେ ତହିଁ ନାହିଁ ବଡ଼ ସାନ ।

ନିଜେଦଶ ପରଦେଶ କରେ ଭେଦଜ୍ଞାନ,

ସେ ଈଶ୍ୱରଦ୍ରୋହୀ ତାଙ୍କ ଅଧମ ସନ୍ତାନ ।

ପରଦେଶ ଧନ ଲୁଟି ନିଜଦେଶ ପୋଷେ,

ନ ବିଚାରି ପରଦୁଃଖ ନିଜଦେଶ ତୋଷେ,

ପରଦୋଷେ ଅଗ୍ନିଶର୍ମା ନିଜଦୋଷେ ଅନ୍ଧ,

ଈଶ୍ୱରଦ୍ରୋହୀ ସେ, ତାର ତହିଁରେ ଆନନ୍ଦ ।

ପରଗୁଣ ପ୍ରଶଂସାରେ ଲଜ୍ଜା ଲଭେ ଦ୍ୱେଷେ,

ନିଜ ଗୁଣ ପ୍ରଚାରିତ କରେ ଦେଶେ ଦେଶେ,

କଣ୍ଟକ ପକାଏ ନେଇ ପରଜ୍ଞାନ-ପଥେ,

ସେ ଈଶ୍ୱରଦ୍ରୋହୀ ନିଜେ ଭ୍ରମି ଜ୍ଞାନରଥେ,

ନିଜ ଦେଶ ପ୍ରବେଶନେ ପରେ କରେ ମନା,

ପର ଦେଶେ କରେ ନିଜ ପ୍ରଭୁତ୍ୱ କାମନା ।

ଅଧର୍ମ ଆଚରି କରେ ପର ଦେଶ ଜୟ,

ସେ ଈଶ୍ୱରଦ୍ରୋହୀ, ତାର ପ୍ରାଣ ପାପମୟ ।

ସମଗୁଣେ ପୂଜା ଘେନେ ନାନା ଉପଚାରେ,

ଅନ୍ୟକୁ କଣିକା ଘେନାକଥା ନ ପଚାରେ ।

ନିଜ ଲାଭେ ଶତଜିହ୍ୱ, ପରପାଇଁ ମୂକ,

ନିଶ୍ଚୟ ଈଶ୍ୱରଦ୍ରୋହୀ ସେହି ବାବଦୂକ ।

ନିଜେ କରେ ମଦ୍ୟ ମାଂସ ଅତ୍ୟଧିକ ଗ୍ରାସ,

ଚାହୁଁଥାଏ ଅନ୍ନ ବିନା ଅନ୍ୟ ଉପବାସ,

ଉପବାସୀଠାରୁ ପୁଣି ଆଶା କରେ ଧନ,

ନିଶ୍ଚୟ ଈଶ୍ୱରଦ୍ରୋହୀ ରାକ୍ଷସ ସେ ଜନ ।

ଦେଖୁଥାଏ ଅନ୍ୟ ଶୀତ ବାତେ ଥରହର,

ବହୁମୂଲ୍ୟ ବାସେ ନିଜେ ହୁଏ ମନୋହର,

ତା’ ଉପରେ ମଣ୍ଡିଥାଏ ବିବିଧ ଭୂଷଣ,

ସେହିଟି ଈଶ୍ୱରଦ୍ରୋହୀ ଅବନୀ-ଦୂଷଣ ।

ଈଶ୍ୱରଙ୍କ ଦତ୍ତ ଧନେ ଈବର ସନ୍ତାନ

ବଞ୍ଚିତ ହେବାର ନୁହଁ ଈଶ୍ୱର-ବିଧାନ,

ସେ ଧନକୁ ରଖଇ ଯେ ଆସୁରିକ ବେଳ,

ଅସ୍ତ୍ରଶସ୍ତ୍ର-ବିବେଷ୍ଟିତ ଭଣ୍ଡାର କବଳେ,

କଦାପି ତା’ ପ୍ରତି ତୁଷ୍ଟ ନୁହଁନ୍ତି ଈଶ୍ୱର,

ଈଶ୍ୱରଙ୍କ ଦ୍ରୋହୀ ମଧ୍ୟ ଗଣ୍ୟ ସେହି ନର ।

କିନ୍ତୁ ଯାହା ଲଭିବାକୁ ଯେତେ ପରିଶ୍ରମ-

ଆବଶ୍ୟକ, ତହିଁ ନିଜେ ଥାଉଁ ଥାଉଁ କ୍ଷମ,

ପରିଶ୍ରମ-ଲବ୍‌ଧ ଧନ ନିଏ ଭୁଜବଳେ,

ଗଣନୀୟ ସେ ଈଶ୍ୱରଦ୍ରୋହୀଙ୍କର ଦଳେ ।

ବଳ ଥାଉଁ ଥାଉଁ ଶ୍ରମବିମୁଖ ଯେ ଜନ,

ନ କରଇ ବିଧିଦତ୍ତ ଧନ ଅରଜନ,

ପରଦ୍ରବ୍ୟ ଚାହିଁ ଚାହିଁ ରଖିଥାଏ ଆଶ,

ଯଥା ତରୁତଳେ ଶୋଇ ମେଳିବାର ଆସ୍ୟ,

ନ ଲୋଡ଼ଇ ଜ୍ଞାନ ସୁଖଲାଭର ଉପାୟ,

କରୁଥାଏ ଦୂଷଣୀୟ କର୍ମ ସମୁଦାୟ,

ସେ ଈଶ୍ୱରଦ୍ରୋହୀ ଦ୍ରୋହଫଳ ତାର ଦୁଃଖ,

ବର୍ତ୍ତମାନ ଭବିଷ୍ୟତେ ନାହିଁ ତାର ସୁଖ ।

ମନ୍ଦ କହି ଭଲ କାର୍ଯ୍ୟ କରେ ଯେଉଁ ଜନ,

ଈଶ୍ୱର ପ୍ରସାଦ ଲାଭେ ହୁଏ ସେ ଭାଜନ;

ଭଲ କହି କର୍ମ ଯେବେ କରେ ବିପରୀତ,

ସେହିଟି ଈଶ୍ୱରଦ୍ରୋହୀ ବିଶ୍ୱର ଅହିତ ।

ନୃପତି ଶକତି ଲୋକମଙ୍ଗଳ କାରଣ,

ଉଚିତ ନୁହଇ ତହିଁ ଦ୍ରୋହ ଆଚରଣ;

ରାଜଦ୍ରୋହୀ ଲୋକଦ୍ରୋହୀ ଈଶ୍ୱରଙ୍କ ଦ୍ରୋହୀ

ଧର୍ମ-ତୁଳାଦଣ୍ଡେ ଥା’ନ୍ତି ସମତୁଲ ହୋଇ ।

 

ମଧୁପର ମଧୁଭିକ୍ଷା

(୧୯୨୨) (ଡିସେମ୍ବର, ୧୯୨୨ରେ ରଚିତ)

ଜୟ ମଧୁମୟ ବିଧୁର ଉଦୟ-

ଭୂମି ମଧୁ ବିହାୟସ ହେ,

ବିଶ୍ୱ ସମୁଦୟ ତୁମ୍ଭ ମଧୁମୟ,

ଦିଅ ମଧୁମୟ ଯଶ ହେ ।

ଦିନେ ଦିନକରେ ରାତ୍ରେ ଗ୍ରହ ତାରେ

ମଧୁର ଜ୍ୟୋତି ପ୍ରକାଶ ହେ,

ଅଚଳ ଅନିଳ ଜଗତ ଅଖିଳ

କରିଛ ମଧୁ ଆବାସ ହେ ।

କୋକିଳ ନିସ୍ୱନେ ବଲ୍ଲକୀ ନିକ୍ୱଣେ

ଦେଇଛ ମଧୁ ଲେପନ ହେ,

ପୁଷ୍ପିତ କାନନେ ଶିଶୁର ଆନନେ

କରିଛ ମଧୁ କ୍ଷେପଣ ହେ

ଫୁଲ ଫଳ କାଣ୍ଡ ତରୁ ଇକ୍ଷୁଦଣ୍ଡ

ତୁମ୍ଭ ମଧୁ ଛନ୍ତି ବହି,

ସରିତ ନିର୍ଝରେ ସରେ ଜଳଧରେ

ତୁମ୍ଭ ମଧୁ ଅଛି ରହି ହେ ।

ପ୍ରୀତିର ଲୋଚନେ ଜ୍ଞାନ ଆଲୋଚନେ

ଦେଇଅଛ ମଧୁ ଘାରି,

ତୁମ୍ଭ ଶ୍ରୀଚରଣ-କଞ୍ଜେ ଅନୁକ୍ଷଣ

‘ମଧୁପ’ ମଧୁ ଭିକାରି ହେ ।

 

ଅର୍ପଣ

(୧୯୨୨) (ଡିସେମ୍ବର୧୯୨୨, ଉତ୍କଳ ସାହିତ୍ୟ)

ଜୟ ଜଗଦୀଶ            ଜୟ ସମ୍ପଦୀଶ

ଜୟ ମୋ’ ଜୀବନ କାରଣ

ମନ ମୋର ଯେବେ      ଅପଥେ ଚଳଇ

କାହିଁକି ନ କର ବାରଣ ?

ଯେବେ କରିବାକୁ ତବ ତର୍ପଣ,

କରେଁ ତାକୁ ପଦତଳେ ଅର୍ପଣ

ପାପେ ଘୃଣାକରି            ଫିଙ୍ଗିଦିଅ କିପାଁ

ତୁମ୍ଭେ ପରା ଜନତାରଣ । ୧ ।

 

ଭବେ ତୁମ୍ଭେ ମହାପାପହରଣ

ବୋଲି ପଶିଲି ଚରଣେ ଶରଣ,

ପାପେ ଯଦି ଡରି            ଯିବ ଅପସରି

କେମନ୍ତେ ହେବ ତା’ ଜାରଣ । ୨ ।

 

ଯଦି ବୋଲିବ ମୋହର ଭରମ

ପାପ ମୋର ଅରଜିତ କରମ,

 

ଅରଜିଛିଁ ଯାହା            ଅରପିଲି ତାହା

କୃପାବହି କର ଧାରଣ । ୩ ।

 

ମନ ନୁହେ କି ତୁମ୍ଭର ପ୍ରଦାନ

କ’ଣ ନୁହ ସେ ପ୍ରାଣର ପ୍ରଧାନ,

ଦେଇଅଛ ଯାହା            ନେବ ନାହିଁ ତାହା

ଏ କେମନ୍ତ ଅବଧାରଣ ?

 

ଭରସା

ଦୃଢ଼ ଭରସା କରିଛିଁ ଚରଣେ

ଦିନେ ନାହିଁ ଦିନେ            କରୁଣା ଲଭିବି

ଜୀବନେ ନ ହେଲେ ମରଣେ ।

ତୁମ୍ଭ ଚରଣ ଜଗତ ଶରଣ

କେହି କରୁ ବା ନ କରୁ ବରଣ,

ଚିର ଦୁଃଖ ଦେଇ            ପାରିବ କି ଚାହିଁ

ଭବସାଗର ସନ୍ତରଣ । ୧ ।

 

ଚାଲିଯାଉଛି ରଜନୀ ବାସର

ଚଳିଯାଉଛି ମାସ ସଂବତ୍ସର

ମୋର ଦଶା ଚିର            ରହିଥିବ ସ୍ଥିର

ବାହାର ସେ ମୋ’ ବିଶ୍ୱାସର । ୨ ।

 

ତୁମ୍ଭେ ନିଜ ଯା’କୁ ଅଛ ସରଜି,

ତାକୁ କେମନ୍ତେ ପାରିବ ବରଜି,

ତୁମ୍ଭର ଦଣ୍ଡନ            ମଣିବି ମଣ୍ଡନ

କେମନ୍ତେ ନ ହେବ ମରଜି । ୩ ।

 

ତୁମ୍ଭେ ମାରିବ ଅଥବା ତାରିବ

ଯାହା ଇଚ୍ଛା ତାହା କରିପାରିବ,

ଯାହା କର ତାହା            ତୁମ୍ଭ ଇଚ୍ଛା ବୋଲି

ମୋ’ ଜୀବ ସମୟ ସାରିବ । ୪ ।

 

ପ୍ରଭୁ, ଶୁଣିଅଛି ଏକ ମନ୍ତର

ତାହା ଭାବୁଛି ବସି ନିରନ୍ତର,

ଯେଡ଼େ ଦୋଷ କଲେ      ତୁମ୍ଭ ଦେଶୁଁ ବଳେ

କରି ନ ପାରିବ ଅନ୍ତର । ୫ ।

 

ଭାରତୀ-ଭାବନା

(୧୯୨୨-୧୯୨୩)(ଜାନୁୟାରୀ, ୧୯୨୩,ମୁକୁର ପତ୍ରିକାରେ ପ୍ରକାଶିତ ।

(୧)

ଗୋଲୋକ-ମଣ୍ଡଳ-            ନାଥେ ଲକ୍ଷ୍ୟ କରି

କହନ୍ତି ଭାରତୀ-କିଶୋରୀ,

ଭାରତ-ମଣ୍ଡଳେ            ଯାହା କଲ ନାଥ

ମନୁ ହେଉ ନାହିଁ ପାସୋରି,

ଗୋପେନ୍ଦ୍ର, ଛଳେ ଜାତିକୁଳ ନାଶିଲ,

ଯାହାଥିଲା ଆମ୍ଭ            ନିଜସ୍ୱ ତହିଁରେ

ନିଜ ପ୍ରଭୁତା ପ୍ରକାଶିଲ ।

(୨)

ବିକ୍ରମେ ହରାଇ            ବିକର୍ମେ ଡରାଇ

ବଶୀଭୂତ କଲ ସକଳେ,

ବାସରୁ ଯାମିନୀ            ଯାପି ନ ପାରିଲୁ,

ତୁମ୍ଭ ପଦସେବା ନ କଲେ;

ତହିଁରେ, ଉଦାରପଣ ଦେଖାଇଲ,

ଧନ ମନପର            ଗର୍ଭେ ମେଣ୍ଟିକରି

ପଦ ସେବନ ଶିଖାଇଲ ।

 

(୩)

ତୁମ୍ଭ ହାସେ ହାସ            ତୁମ୍ଭେ ଭାଷେ ଭାଷ

ରହିଲା ତୁମ୍ଭ ପଦେ ମତି,

ତୁମ୍ଭ କଥା ବିନା            ଜଗତେ ଆମ୍ଭର

ରହିଲା ନାହିଁ ଅନ୍ୟ ଗତି,

ଗୋପେନ୍ଦ୍ର, ତୁମ୍ଭରି ଇଙ୍ଗିତେ ଚଳିଲୁଁ;

ତୁମ୍ଭ ପଦେ ମାତି            ନିଜ ଗଉରବ

ନିଜର ଚରଣେ ଦଳିଲୁଁ ।

 

(୪)

ଅଶନେ ବସନେ            ଶୟନେ ସ୍ୱପନେ

ତୁମ୍ଭ ପଦେ ମନ ରହିଲା,

ମଦନ ଦେଖିଲେ            କ୍ଷଣିକ ବିରହ

ଜୀବନକୁ ଆମ୍ଭ ଦହିଲା,

ଗୋପେନ୍ଦ୍ର, ଜାଣ ତୁମ୍ଭେ ସବୁ ହୁନ୍ଦର,

ତୁମ୍ଭର ଆସନ            ବାସନ କାଶନ

ସମସ୍ତ ଦିଶିଲା ସୁନ୍ଦର ।

 

(୫)

ତୁମ୍ଭର କଥାରେ            ମଧୁର ରହିଲା

କରିନେଲ ହୃଦ କଳଣା,

ତୁମ୍ଭ ବଦନରୁ            କଥା ନ ସ୍ଫୁରିଲେ

ସବୁଯାକ ହେଲା ଅଲଣା;

ଗୋପେନ୍ଦ୍ର, ନିଜ ବାସ ବିଷ ମଣିଲୁଁ,

ମନ୍ତରେ ମୋହିଲ            ତନ୍ତରେ ତୁମ୍ଭର

ମହତ-କଉଡ଼ି ଗଣିଲୁଁ ।

 

(୬)

ଆମ୍ଭ କ୍ଷୀର ସର            ଲବଣିରେ ପୁଷ୍ଟ

ବଳକୁ ତୁମ୍ଭର ଅନାଇ,

ଭୟ ଲଭି ସିନା            ଜାରମଣି ବୀରେ

କରି ନ ପାରିଲେ ଲଢ଼ାଇ,

ଗୋପେନ୍ଦ୍ର, ଯେ କଥା କହିଥିଲ ଯାଇ,

ଜୟ ଗର୍ବେ ମାତି            କେଉଁ କଥା କଲ

ପୂର୍ବ ପ୍ରତିଜ୍ଞା ଅନୁଯାୟୀ ।

ପାଞ୍ଚାଳେ, ପରିଚୟ ହେଲା ଯାହାର,

 

ଯାହା ଲାଗି ହେଲା            ସକଳ କଳହ

ମାନ ବଢ଼ାଇଲ ତାହାର ।

(୮)

ଗାନ୍ଧିନୀଜ(୧)କଷ୍ଟ            ଗଣନା ନ କରି

ବନ୍ଦି ପୁର କଲେ ଗମନ,

କାନ ନ ପାତିଲ            ଦୂରେ ଥାଇ କଲୁଁ

ଯେତେ ହାହାକାର କ୍ରନ୍ଦନ;

ଜଗତେ, କୀରତିର ବାନା ଉଡ଼ିଲା,

ପାର ନିଆଁ ମେଣ୍ଟି            କଉଶଳ ବଳେ

ଉଗ୍ରସେନାନନ୍ଦ ବଢ଼ିଲା ।

(୯)

ପରେ ଜଣାଗଲା            ତୁମ୍ଭ ଆମ୍ଭ ଭେଦ

ତୁମ୍ଭେ ଦ୍ୱୀପାନ୍ତରନିବାସୀ,(୨)

ବାଲ୍ୟଜୀବନରେ            ଆମ୍ଭର ଧନରେ

ବଢ଼ିବା ପାଇଁ ଥିଲ ଆସି;

ଗୋପେନ୍ଦ୍ର, ତୁମ୍ଭେ ହେଲ ବିଶ୍ୱବିଖ୍ୟାତ

ଆମ୍ଭ ସଙ୍ଗେ ଏକ            ବେଭାରେ ଚଳିଲେ

ହେଉଛି ଏବେ ଲାଜ ଜାତ ।

 

(୧୦)

ଡାକି ତ ନ ଥିଲୁଁ            ତୁମ୍ଭ ଘର ଯାଇ

ଆସିଥିଲ ନିଜ ଲାଭରେ,

ସରଳ-ହୃଦୟ            ମଣି ସିନା ଘରେ

ରଖିଲୁଁ ଅତି ସ୍ନେହାଦରେ,

ଗୋପେନ୍ଦ୍ର, କହିବ କଲ ଉପକାର,

ଯାହା କରିଅଛ            ନିଜ ସ୍ୱାର୍ଥ ପାଇଁ

ନ ଥିଲା ଆମ୍ଭ ଦରକାର ।

 

(୧୧)

ତୁମ୍ଭର ଆଗରେ            ତୁମ୍ଭର ପରାଏ

ମୂଷଳମାନ(୩)ଥିଲେ ଆସି,

କୋପନ ସ୍ୱଭାବ            ହେଲେହେଁ ଆମ୍ଭର

ସମସ୍ତ ଥିଲେ ନାହିଁ ଗ୍ରାସି;

କରି ସେ, ନଥିଲେ ବସନହରଣ,

ଦୂରପଦସୁତା            ଚିନ୍ତି କା’ର ପାଶ

କରି ନ ଥିଲେ ସେ ପ୍ରେରଣ ।

 

(୧୨)

ଆମ୍ଭ କର ଧରି            ଚାଲି ଚାଲି କ୍ରମେ

ତୁମ୍ଭ ପରାକ୍ରମ ବଢ଼ିଲା,

ତୁମ୍ଭ ବିନା ଆମ୍ଭେ            ଚଳି ନ ପାରିବୁଁ

କଥା ଶୁଣିବାକୁ ପଡ଼ିଲା;

ଜୀବନ, ଜୀବିକା ତୁମ୍ଭରି ହାତରେ,

ଦେଇ ତୁମ୍ଭ ପଦ            ଆଶାରେ ରହିଲୁ

କାନ୍ଦି ମରୁଅଛୁଁ କାତରେ ।

 

(୧୩)

ଷଣ୍ଢ ମାରିବାର            ଧରମ ତୁମ୍ଭର

ବିଷକୂଟ କର ଆହାର,

ତୁମ୍ଭ ପୂତନାରୀ-            ମହିମା କରଇ

ନାରୀ ଗଉରବ ପ୍ରସାର;

ତୁମ୍ଭର, ଗର୍ଭ କଳିବାର ଦୁଷ୍କର,

ବନ୍ଧୁ ବୋଲି ଯା’କୁ            ସେନାବଳ ଦେଲ

ପ୍ରାଣ ନ ରହିଲା ତାଙ୍କର ।

 

୧ । ଅକ୍ରୂର ଯମୁନା ସ୍ନାନ ସମୟରେ କୃଷ୍ଣଙ୍କୁ ବନ୍ଦନା କରିଥିଲେ ।

୨ । ଦ୍ୱୀପାନ୍ତର-ଦ୍ୱାରକା ।

୩ । ମୂଷଳମାନ-ମୂଷଳୀ, ବଳରାମ ।

(୧୪)

କୃଷ୍ଣା କୃଷ୍ଣ ଘେନି            ଭାରତ ବିପ୍ଳବ

ଉପୁଜିଲା କପଟପାଶେ,

ଯଦି କୃଷ୍ଣ ତହିଁ            ବିଜୟ ନିଶ୍ଚୟ

ରହିଗଲା ଲୋକ-ବିଶ୍ୱାସେ;

ବୋଇଲେ, ଦୁଃଶାସନ ମୂଳ କାରଣ,

ବିଧାତା-ବିଧାନ            ଲଙ୍ଘନୀୟ ନୁହେ

କେମନ୍ତେ ହୁଅନ୍ତା ବାରଣ ?

 

(୧୫)

ବିରାଟ ବିଭବ            ସୁଖେ ଭୋଗ କଲେ

କୌଶଳେ ପାଣ୍ଡୁର ନନ୍ଦନେ,

ଶେଷେ ଅଧିକାରୀ            ନିଜେ ଅପସରି

ରହିଲେ ଚରଣବନ୍ଦନେ;

ଉତ୍ତର, ମିଳିଲା ଯାହା ଶେଷକାଳେ,

 

ପୂର୍ବ ଛଳ ବଳ            ହୋଇଲା ବିଦିତ

କର ଦେବା ହେଲା କପାଳେ ।

(୧୬)

ବଡ଼ ବଡ଼ ବୀରେ            କୁରୁ ଅନ୍ନ ଖାଇ

ପାଣ୍ଡବଙ୍କ ଜୟ ବାଞ୍ଛିଲେ,

ତୁମ୍ଭ ଅପମାନେ            ଦୁଃଖ ବହି ମନେ

ଦୁର୍ଯ୍ୟୋଧନ ଦୋଷ ବାଛିଲେ;

ତୁମ୍ଭରେ, ଭକତି ଥାଏ ଉଭଙ୍କର,

ତୁମ୍ଭର ସଦିଚ୍ଛା            ଅପାଣ୍ଡବ ପକ୍ଷେ

ନ ହେଲା କେବେ ଶୁଭଙ୍କର ।

(୧୭)

ନ ଦୋଷି ଅକ୍ଷରେ            ଅର୍ଥର ଲକ୍ଷ୍ୟରେ

ଉଚିତ ସ-କାର ଭରିବ,

ଲଘୁ ଗୁରୁ ହ୍ରସ୍ୱ            ଦୀର୍ଘ ଯା’ ଅବଶ୍ୟ

ହେବା ଯୋଗ୍ୟ ତାହା କରିବ;

ପାଠକ, ସେହି ଭାର ତୁମ୍ଭ ହାତରେ,

ହେବ ବିଚାରକ            ବୋଲି ବିରଚକ

ଜଣାଉଛି ନତ-ମଥାରେ ।